ହାଇଦ୍ରାବାଦ: ଭାରତର ସବୁ ନାଗରିକଙ୍କ ଜୀବନ ପ୍ରତି ଅଧିକାର ପାଇଁ ଥିବା ସାମ୍ବିଧାନିକ ଗ୍ୟାରେଣ୍ଟି ପ୍ରତିବର୍ଷ ଦେଶର ରାଜରାସ୍ତାରେ ରକ୍ତରଂଜିତ ହୋଇଯାଏ । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ–ଏନସିଆରବିର ସଦ୍ୟତମ ତଥ୍ୟରୁ ଏହା ସ୍ପଷ୍ଟ ଭାବେ ଅନୁମେୟ ।
ବଡ ଦୁର୍ଭାଗ୍ୟର କଥା ଯେ, ଗତବର୍ଷ ଦେଶରେ ସଂଘଟିତ ୪ ଲକ୍ଷ ୩୭ ହଜାର ସଡକ ଦୁର୍ଘଟଣାରେ ୧ ଲକ୍ଷ ୫୫ ହଜାରଙ୍କ ଜୀବନ ଯାଇଥିଲା । ଦ୍ରୁତଗତିରେ ଗାଡି ଚାଳନା ଓ ବେପରୁଆ ଗାଡି ଚାଳନା ବିରୋଧରେ ବ୍ୟାପକ ସଚେତନତା ଓ ଅନେକ ଆକର୍ଷଣୀୟ ରୋଡ୍ ସାଇଡ୍ ସେଫଟି ସ୍ଲୋଗାନ ସତ୍ତ୍ବେ ସଡକ ଦୁର୍ଘଟଣାରେ ଦେଶରେ ପ୍ରତି ବର୍ଷ ହଜାର ହଜାର ସଂଖ୍ୟାରେ ଲୋକେ ବଳି ପଡୁଛନ୍ତି । ଦ୍ରୁତଗତିରେ ଗାଡି ଚାଳନା ହିଁ ୬୦ ପ୍ରତିଶତ ସଡକ ଦୁର୍ଘଟଣାର ମୁଖ୍ୟ କାରଣ ବୋଲି ଏନସିଆରବି ରିପୋର୍ଟରେ କୁହାଯାଇଛି । ଏଥିଯୋଗୁଁ ଗତବର୍ଷ ୮୬ ହଜାର ୨୪୧ ଜଣ ପ୍ରାଣ ହରାଇଥିଲେ । ବେପରୱା ଗାଡି ଚାଳନା ୨୫ ଦଶମିକ ୭ ପ୍ରତିଶତ ଦୁର୍ଘଟଣା ଓ ୪୨ ହଜାର ୫୫୭ଟି ମୃତ୍ୟୁର କାରଣ ବୋଲିଏନସିଆରବି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ସାମଗ୍ରିକ ଭାବେ ଦେଖିବାକୁ ଗଲେ, ଉଭୟ ଦ୍ରୁତ ଗତି ଓ ଅସାବଧାନ ଗାଡି ଚାଳନା ଯୋଗୁଁ ୮୫ ପ୍ରତିଶତରୁ ଅଧିକ ସଡକ ଦୁର୍ଘଟଣା ଘଟୁଛି । ଏସବୁ ଶୋଚନୀୟ ଦୁର୍ଘଟଣାରେ ୧୮ରୁ ୩୫ ବୟସ ବର୍ଗର ୬୫ ପ୍ରତିଶତ ଲୋକ ପ୍ରାଣ ହରାଉଥିବାରୁ ମର୍ମାହତ ହୋଇଛନ୍ତି କେନ୍ଦ୍ର ଭୂପୃଷ୍ଠ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । କାରଣ ଏଥିଯୋଗୁଁ ଭାରତ ୩ରୁ ୫ ପ୍ରତିଶତ ଜିଡିପି ହରାଉଛି । ତାଙ୍କ ମନ୍ତ୍ରାଳୟ ବହୁମୁଖୀ ନୀତି ଆପଣାଇ ୨୦୧୮ ସୁଦ୍ଧା ଘରୋଇ ସଡକ ଦୁର୍ଘଟଣା ଅଧା ହ୍ରାସ କରିବ ବୋଲି ଗଡକରୀ ପୂର୍ବରୁ ଘୋଷଣା କରିଥିଲେ । କିନ୍ତୁ ଏଥିରେ ତାଙ୍କ ମନ୍ତ୍ରାଳୟ ବିଫଳ ହୋଇଛି ବୋଲି ଏହି ବର୍ଷ ଫେବ୍ରୁଆରୀରେ ହୋଇଥିବା ଷ୍ଟକହୋମ ସମ୍ମିଳନୀରେ ସ୍ୱୀକାର କରିଥିଲେ ଗଡକରୀ । ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇଁ ନୂଆ ମୋଟର ଭେଇକିଲ ଆଇନ୍ ପ୍ରଣୟନ କରାଯାଇଥିଲେ ମଧ୍ୟ ଏହାର ସଠିକ କାର୍ଯ୍ୟକାରିତା ନେଇ ଜଟିଳ ସମସ୍ୟା ଦେଖାଦେଇଛି । ତେବେ, ସଡକ ଦୁର୍ଘଟଣା ପାଇଁ ଗତି ଓ ବେପରୱା ମନୋଭାବକୁ ଦାୟୀ କଲେ ପ୍ରକୃତ କାରଣ ଲୁଚିଯାଉଛି । ପ୍ରତିବର୍ଷ ଲକ୍ଷ ଲକ୍ଷ ପରିବାର ସଡକ ଦୁର୍ଘଟଣା ଯୋଗୁଁ ସେମାନଙ୍କ ଉପାର୍ଜନକ୍ଷମ ସଦସ୍ୟଙ୍କୁ ହରାଉଛନ୍ତି । ସେସବୁ ପରିବାର ଅସହାୟ ହୋଇ ରାସ୍ତାକୁ ଚାଲିଆସୁଛନ୍ତି । ଜୀବନ ଦୁର୍ବିସହ ହୋଇପଡୁଛି ।
ପ୍ରଶ୍ନ ହେଉଛି ଆଉ କେତେ ଦିନ ଏମିତି ଚାଲିଥିବ ? କାହାକୁ ଏଥିପାଇଁ ଦାୟୀ କରାଯିବ ? ୫ ବର୍ଷ ପୂର୍ବେ ସଡକ ସୁରକ୍ଷା ଉପରେ ଅଧିକ ଫୋକସ ରଖାଯିବ ବୋଲି କେନ୍ଦ୍ର ସଚିବ ଘୋଷଣା କରିଥିଲେ । ଏଥିପାଇଁ ବିପଜ୍ଜନକ ସଡକର ମରାମତି, ନିର୍ମାଣ ସମୟରୁ ହିଁ ଯାନବାହନର ସୁରକ୍ଷା ଓ ସ୍ଥିରତା ନିଶ୍ଚିତ କରିବା, ଡ୍ରାଇଭରଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଓ ସଡକ ସୁରକ୍ଷା ନିୟମର କଡାକଡି ପାଳନ ଭଳି କେତେକ ପଦକ୍ଷେପ ସଂପର୍କରେ ଘୋଷଣା କରାଯାଇଥିଲା । ୬ ମାସ ପୂର୍ବେ ନୀତିନ ଗଡକରୀ କହିଥିଲେ ଯେ, ଜର୍ମାନୀ, ଆମେରିକା ଭଳି ଦେଶରେ ଗାଡିଗୁଡିକ ଭାରତ ଅପେକ୍ଷା ଦ୍ରୁତଗତିରେ ଚାଲେ । କିନ୍ତୁ ସେ ଦେଶଗୁଡିକରେ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ଖୁବ୍ କମ୍ । ତେବେ ଦ୍ରୁତଗତିରେ ଗାଡି ଚାଳନା ହିଁ ଦୁର୍ଘଟଣାର ପ୍ରମୁଖ କାରଣ ବୋଲି କହିବା ଠିକ୍ ହେବ ନାହିଁ ବୋଲି ଗଡକରୀ କହିଥିଲେ । ଇଂଜିନିୟରିଂ ତ୍ରୁଟି, ବିସ୍ତୃତ ପ୍ରୋଜେକ୍ଟ ରିପୋର୍ଟରେ ତ୍ରୁଟି , ସଡକରେ ଆବଶ୍ୟକ ସଂଖ୍ୟକ ଇଣ୍ଡିକେଟରର ଅଭାବ ଭଳି କାରଣକୁ ବି ବୃଦ୍ଧି ପାଉଥିବା ସଡକ ଦୁର୍ଘଟଣା ପାଇଁ ଦାୟୀ କରିଥିଲେ ଗଡକରୀ ।
ତେବେ ପ୍ରଶ୍ନ ଉଠୁଛି ଯେ, ସଂଶୋଧିତ ପଦକ୍ଷେପ କାହିଁକି ନିଆଯାଇନାହିଁ ? ଚାରିବର୍ଷ ପୂର୍ବେ ଘୋଷଣା କରାଯାଇଥିଲା ଯେ, ଜାତୀୟ ରାଜପଥର ୭୮୬ଟି ଜାଗାକୁ ଅଧିକ ବିପଦପୂର୍ଣ୍ଣ ଭାବେ ଚିହ୍ନଟ କରାଯାଇଛି । ମାତ୍ର ଦୁଇ ବର୍ଷ ମଧ୍ୟରେ ୧୧ ହଜାର କୋଟି ଟଙ୍କା ବ୍ୟୟ କରାଯାଇ ସେଗୁଡିକର ମରାମତି କରାଯିବ ବୋଲି ଘୋଷଣା କରାଯାଇଥିଲା । ଏବେ କିନ୍ତୁ ଗଡକରୀ କହୁଛନ୍ତି ଯେ, ବର୍ତ୍ତମାନ ବ୍ଲାକସ୍ପଟ ସଂଖ୍ୟା ତିନି ହଜାର ହେଲାଣି । ଆସନ୍ତା ଦଶ ବର୍ଷ ମଧ୍ୟରେ ସଡକ ଦୁର୍ଘଟଣା ସଂଖ୍ୟା ହ୍ରାସ କରିବାକୁ ଅତିରିକ୍ତ ୧୦ ହଜାର ୯ ଶହ କୋଟି ଆମେରିକୀୟ ଡଲାର ( ପାଖାପାଖି ୮, ୧୭, ୦୦୦ କୋଟି ) ବ୍ୟୟ କରିବାକୁ ଭାରତକୁ କହିଥିଲା ବିଶ୍ୱବ୍ୟାଙ୍କ୍ । ଯଦି ସରକାର ଏଭଳି ବିପୁଳ ପରିମାଣରେ ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଅଛନ୍ତି, ତାହା ହେଲେ ଏହା ପ୍ରତିବର୍ଷ ଜିଡିପିକୁ ୩ ଦଶମିକ ୭ ପ୍ରତିଶତ ଅଭିବୃଦ୍ଧିରେ ସହାୟକ ହେବ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । କିନ୍ତୁ କୋଭିଡ ସଂକଟ ତ ସବୁ କିଛି ଠପ୍ କରିଦେଇଛି । ଯଦି ଅଟୋମୋବାଇଲ ଶିଳ୍ପ ପରିସ୍ଥିତିର ବାସ୍ତବତା ଓ ଭୟାବହତାକୁ ଦେଖି ଗ୍ରାହକମାନଙ୍କ ପାଇଁ କିଛି ସୁରକ୍ଷା ବ୍ୟବସ୍ଥା କରନ୍ତେ, ତାହା ହେଲେ ସଡକ ନିରାପତ୍ତାରେ ଉଲ୍ଲେଖନୀୟ ଉନ୍ନତି ଆସନ୍ତା ।