ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ସଡକ ଦୁର୍ଘଟଣା । ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ ହମିରପୁରରେ ଓଲଟି ପଡିଛି । ବସରେ ମହିଳା ଓ ଶିଶୁଙ୍କ ସମେତ 30 ଜଣ ଯାତ୍ରୀ ଥିଲେ। ଦୁର୍ଘଟଣାରେ 12ରୁ ଉର୍ଦ୍ଦ୍ବ ଯାତ୍ରୀ ଆହତ ହୋଇଥିବା ନେଇ ସୂଚନା । ସାଦର କୋଟୱାଲୀ ଅଞ୍ଚଳର ସିଟି ଜଙ୍ଗଲ ନିକଟରେ ବସଟି ଓଲଟି ପଡିଥିଲା। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଆହତଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଛି।
ବସଟି ନୋଏଡାରୁ ମହୋବାକୁ ଯାଉଥିବା ସୂଚନା ମିଳିଛି। ବସ ଚାଳକର ଅସାବଧାନତା କାରଣରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଏହାପୂର୍ବରୁ ରବିବାର କୁଶୀନଗରରେ ଶ୍ରମିକଙ୍କୁ ନେଇ ବିହାର ଯାଉଥିବା ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ 11 ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି।
ଶାହି ପେଟ୍ରୋଲ ପମ୍ପ ନିକଟରେ ଥିବା କୁଶୀନଗରର NH 28ରେ ବିହାରକୁ ଯାଉଥିବା ଏହି ବସଟି ପିଆଜ ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ 11 ଜଣ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ବସଟି ହିମାଚଳପ୍ରଦେଶରୁ ବିହାରର ଯାଉଥିଲା । ଆହତଙ୍କ ମଧ୍ୟରୁ 4 ଜଣଙ୍କୁ ଗୁରୁତର ଅବସ୍ଥାରେ ଫାଜିଲନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ 7 ଜଣଙ୍କୁ ଚିକିତ୍ସା ପରେ ଡିସଚାର୍ଜ କରାଯାଇଥିବା ସୂଚନା ।
ଶ୍ରମିକଙ୍କୁ ନେଇ ଯାଉଥିବା ବସ ବାରମ୍ବାର ଦୁର୍ଘଟଣା ହେଉଥିବାରୁ ପ୍ରବାସୀମାନଙ୍କୁ ଅସୁରକ୍ଷିତ ଉପାୟରେ ଯାତ୍ରା କରିବାକୁ ଅନୁମତି ନଦେବାକୁ ଜିଲ୍ଲା କତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପୂର୍ବରୁ ଅରୟିଆରେ ଏକ ଟ୍ରକ୍ ଓ ଟ୍ରଲର ଧକ୍କାରେ ନିଜ ଘରକୁ ଫେରୁଥିବା 26 ଜଣ ଶ୍ରମିକଙ୍କ ମୃତ୍ୟୁ ହେବା ପରେ କୌଣସି ଶ୍ରମିକଙ୍କ ଆସିବା ଉପରେ ରୋକ ଲଗାଇଥିଲେ ଉତ୍ତରପ୍ରଦେଶ ସରକାର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ