ଚେନ୍ନାଇ: ପୁଣି ବିମାନ ବନ୍ଦରରୁ ସୁନା ଜବତ । ବୁଧବାର ତ୍ରିଭେନ୍ଦ୍ରମ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ 9.9 କିଲୋଗ୍ରାମର ସୁନା ଜବତ କରାଯାଇଛି । ଚାଲାଣ ହେଉଥିବା ଏହି ସୁନାର ମୂଲ୍ୟ ପାଖାପାଖି 3 କୋଟି ହେବ ।ସୁନା କାରବାରରେ ସମ୍ପୃକ୍ତ ଥିବା ବ୍ୟକ୍ତି ଜଣକ ହେଲେ ଅନେଶ କୁମାର । ସେ ଜଣେ ଏୟାର କଣ୍ଡିସନିଙ୍ଗ କର୍ମଚାରୀ ହେବା ସହ ଏକ ବେସରକାରୀ ସଂସ୍ଥା ସହ ଜଡିତ ଅଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ବ୍ୟକ୍ତି ଜଣକୁ ବିମାନ ବନ୍ଦର ଷ୍ଟାଫ ଗେଟରେ ଚେକ କରିବା ସମୟରେ ସେ ବାରଣ କରିବା ସହ ଫୋନରେ କଥା ହୋଇ ଚାଲିଯାଇଥିଲେ । ପରେ ପରେ ପାଖରେ ଥିବା ଏକ ଡଷ୍ଟବିନରେ କିଛି ପ୍ୟାକେଟ ପକାଇଦେଇଥିଲେ । ତେବେ ବ୍ୟକ୍ତି ଜଣକର ଗତିବିଧିକୁ ତଦନ୍ତକାରୀ ସଂସ୍ଥା ଅନୁଧ୍ୟାନ କରିବା ଡଷ୍ଟବିନ ଭିତରେ ଯାଞ୍ଚ କରିବାରୁ ସୁନା ମିଳିଥିବା ବରିଷ୍ଠ ପୋଲିସ ଅଧିକାରୀ ବିକାଶ ରାଜ କହିଛନ୍ତି ।
ଜବତ ସୁନାକୁ ବାହାରେ ଅପେକ୍ଷା କରିଥିବା ଅନ୍ୟ ଜଣେ ବ୍ୟକ୍ତିକୁ ଦେଇଥାନ୍ତେ ବୋଲି ଅନେଶ ପୋଲିସ ଆଗରେ ସୂଚନା ଦେଇଛନ୍ତି । ତେବେ ଏତେ ପରିମାଣର ସୁନା ବ୍ୟକ୍ତି ଜଣକ କେଉଁଠୁ ଆଣିଲେ ଓ କାହାକୁ ଦେଇଥାନ୍ତେ ସେ ବିଷୟରେ ପୋଲିସ ତଦନ୍ତ କରୁଛି ।