1995 ଜୁଲାଇ 11ରୁ 16 ମଧ୍ୟରେ ସଂଘଟିତ ସ୍ରେବ୍ରେନିକା ଗଣହତ୍ୟାକୁ ଇତିମଧ୍ୟରେ 25 ବର୍ଷ ବିତିଗଲାଣି । ୟୁରୋପରେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ, ନାଜିମାନଙ୍କ ଭୟାବହ ସଂହାରଲୀଳାରେ 60 ଲକ୍ଷ ଇହୁଦିଙ୍କ ପ୍ରାଣହାନି ଘଟଣା ପରବର୍ତ୍ତୀ ସମୟରେ ଏହା ଥିଲା ପ୍ରଥମ ଗଣହତ୍ୟା, ଯାହାକୁ କି ନରସଂହାର ଭାବରେ ଅଭିହିତ କରାଯାଇଥିଲା । ଯେତେବେଳେ ବି ସ୍ରେବ୍ରେନିକା ଭଳି ଏକ ସଂହାରଲୀଳା ଘଟେ, ଏଥିରୁ ନିବୃତ୍ତ ରହିବା ଉଦ୍ଦେଶ୍ୟରେ ‘ପୁଣି ଥରେ ନୁହେଁ’ ଭଳି ପ୍ରଭାବହୀନ ବାକ୍ୟାଂଶର ରୀତିମତ ପୁନରାବୃତ୍ତି କରାଯାଏ ସତ, ହେଲେ ପୁଣି ତାହା ହିଁ ଆଉ ଥରେ ଘଟିଥାଏ । 1994 ମସିହା ଏପ୍ରିଲ ଓ ଜୁଲାଇ ମାସ ମଧ୍ୟରେ ରୁଆଣ୍ଡାରେ ସଂଘଟିତ ଭୟଙ୍କର ନରସଂହାରରେ 800,000 ଟୁଟ୍ସି ବ୍ୟକ୍ତିଙ୍କୁ ହତ୍ୟା କରାଯିବାର ଠିକ୍ ବର୍ଷକ ପରେ ସ୍ରେବ୍ରେନିକା ନରସଂହାର ଘଟିଥିଲା ।
ନରସଂହାର ଘଟିବା ଉଚିତ ନୁହେଁ । ନରସଂହାରର ଏଭଳି ଅନେକ ଦୃଷ୍ଟାନ୍ତ ରହିଛି, ଯେତେବେଳେ କି ଅନ୍ତର୍ଜାତୀୟ ସମୁଦାୟ ଅସହାୟ ଭାବରେ ନିରବଦ୍ରଷ୍ଟା ମାତ୍ର ସାଜିଛନ୍ତି । ସ୍ରେବ୍ରେନିକା କ୍ଷେତ୍ରରେ ମଧ୍ୟ ସେଠାରେ ଉପସ୍ଥିତ ଜର୍ମାନୀ ଶାନ୍ତିସେନା କେବଳ ଚାହିଁ ରହିଥିଲେ ଏବଂ ବାସ୍ତବରେ, ସେମାନେ ବୋସ୍ନିଆର ଯେଉଁ 300 ମୁସଲମାନ ବ୍ୟକ୍ତିଙ୍କୁ ଆଶ୍ରୟ ଦେବାରେ ବିଫଳ ହୋଇଥିଲେ ସେମାନଙ୍କୁ ବୋସନିଆ-ସର୍ବିଆ ସାମରିକ ବାହିନୀର ଜେନେରାଲ ରାଟ୍କୋ ମ୍ଲାଦିକ୍ଙ୍କ ନେତୃତ୍ବରେ ପରିଚାଳିତ ସେନା ଦ୍ବାରା ହତ୍ୟା କରାଯାଇଥିଲା । ଆଶ୍ରୟ ଖୋଜୁଥିବା ସେହି 300 ଲୋକଙ୍କ ଜୀବନ ରକ୍ଷା କରିବାରେ ବିଫଳ ହୋଇଥିବା ଜର୍ମାନୀର ଶାନ୍ତିସେନାଙ୍କୁ 2017ରେ ହେଗ୍ର ଏକ ଅପିଲ୍ କୋର୍ଟ ଭର୍ତ୍ସନା କରିଥିଲେ । ବିଡ଼ମ୍ବନାର ବିଷୟ ଯେ, ମିଳିତ ଜାତିସଂଘ ପକ୍ଷରୁ ସ୍ରେବ୍ରେନିକାକୁ ‘ନିରାପଦ ଅଞ୍ଚଳ’ ରୂପେ ଘୋଷଣା କରାଯାଇଥିଲା ଏବଂ ଏଭଳି ମାନ୍ୟତା ପ୍ରଦାନ ଦ୍ବାରା କେବଳ ଏହା ହିଁ ହେଲା ଯେ, ବୋସନିଆ-ସର୍ବିଆ ସେନା ଦ୍ବାରା ହତ୍ୟାର ଶିକାର ହେବା ଲାଗି ସେଠାକାର 8000 ବୋସନିଆ ମୁସଲମାନ ବ୍ୟକ୍ତିଙ୍କୁ ଅସୁରକ୍ଷିତ ଅବସ୍ଥାରେ ଛାଡ଼ି ଦିଆଯାଇଥିଲା ।
ପ୍ରାୟତଃ ପାଣିପାଗ ଭଳି ନରସଂହାର ସଂପର୍କରେ ପୂର୍ବାନୁମାନ କରାଯାଇପାରେ । ପବନରେ ଉଡୁଥିବା କୁଟାଖିଅର ଗତିରୁ କେଉଁ ସ୍ଥାନରେ ଆସନ୍ନ ଗଣହତ୍ୟା ସଂଘଟିତ ହେବାକୁ ଯାଉଛି, ସେ ସଂପର୍କରେ ସ୍ପଷ୍ଟ ସଂକେତ ମିଳିପାରେ । ଠିକ୍ ଯେମିତି ରୁଆଣ୍ଡାରେ ହିଂସାକାଣ୍ଡ ଘଟିବାକୁ ଯାଉଥିବା ବେଳେ, ରୁଆଣ୍ଡାରେ ମିଳିତ ଜାତିସଂଘର ସହାୟତା ଅଭିଯାନ (UNAMIR)ର ନେତୃତ୍ବ ନେଉଥିବା ମେଜର ଜେନେରାଲ ରୋମିଓ ଡାଲାୟର ଆଗକୁ ଭୟାବହ ବିପଦ ଆଶଙ୍କା ବ୍ୟକ୍ତ କରି କେତେକ ଜରୁରୀକାଳୀନ ବାର୍ତ୍ତା ପଠାଇଥିଲେ । ବିଶ୍ବର କୌଣସି ସ୍ଥାନରୁ ପ୍ରତ୍ୟୁତ୍ତର ମିଳିଲା ନାହିଁ । ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବିରୋଧରେ ତ୍ବରିତ ବେଗରେ ବୃଦ୍ଧି ପାଉଥିବା ଘୃଣାଭାବ ନେଇ ପବନରେ କୁଟାଖିଅଟିଏ ଉଡୁଥିଲା ଏବଂ ପରିଣାମରେ ସେହି ଗୋଷ୍ଠୀ ଅମାନବୀୟ ବର୍ବରତାର ଶିକାର ହେଲା।
1994 ମସିହାର ରୁଆଣ୍ଡାକୁ ଫେରିବା । ବିଶ୍ବରେ ଇଣ୍ଟରନେଟ୍ର ପୂର୍ଣ୍ଣ ବିକାଶ ଘଟି ନଥିଲା ଏବଂ ଫେସ୍ବୁକ ଭଳି ସାମାଜିକ ଗଣମାଧ୍ୟମ ସୃଷ୍ଟି ହେବା ପାଇଁ ଆହୁରି ଗୋଟିଏ ଦଶନ୍ଧି ବାକି ଥିଲା ବେଳେ ଘୃଣାପୂର୍ଣ୍ଣ ମନୋଭାବର ବ୍ୟାପ୍ତି ଦିଗରେ ନୂତନ ଭାବେ ସୃଷ୍ଟ ରେଡିଓ ଟେଲିଭିଜନ ଲିବ୍ରେ ଡେସ୍ ମିଲ୍ କଲିନ୍ସ’ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟ ସଂପାଦନ କରିଥିଲା ଏବଂ ଏଥିରେ ‘ଅସରପାମାନଙ୍କୁ ମାରିବା’ ଲାଗି ପ୍ରସାରିତ ଆହ୍ବାନରେ ଟୁଟ୍ସିମାନଙ୍କୁ ଉପଲକ୍ଷ୍ୟ କରାଯାଇଥିଲା । ରୁଆଣ୍ଡାରେ ଏହି ରେଡିଓ ସଂସ୍ଥା ସ୍ଥାପନ କରିବା ସହ ଏହାକୁ ପାଣ୍ଠି ପ୍ରଦାନ କରିଥିବା ବ୍ୟକ୍ତି, 84 ବର୍ଷୀୟ ଫେଲିସିଏନ୍ କାବୁଗାଙ୍କୁ ନିକଟରେ ପ୍ୟାରିସ୍ରେ ଗିରଫ କରାଯାଇଛି । ସେଠାରେ ସେ ଜାଲ ପରିଚୟ ଦେଇ ରହୁଥିଲେ । ଯଦି ଏଭଳି ଘୃଣାଭାବକୁ ଏକ ସ୍ପଷ୍ଟ ସଂକେତ ବୋଲି ଧରିନିଆଯାଏ, ତେବେ, ଅନେକ ସମୟରେ ଏହି ଘୃଣାଭାବର ଉତ୍ସ ହେଉଛି ଏକ ବିଦ୍ବେଷପୂର୍ଣ୍ଣ ଉତ୍ତୁଙ୍ଗ ଜୁଆର ଉତ୍ପନ୍ନକାରୀ ଅତି କଦର୍ଯ୍ୟ ରାଷ୍ଟ୍ରବାଦ । ଏଥିପାଇଁ କେବଳ 1990 ଦଶକର ପ୍ରାରମ୍ଭିକ ଭାଗରେ ସର୍ବିଆର ରାଷ୍ଟ୍ରପତି ସ୍ଲୋବୋଦାନ ମିଲୋସେଭିକ୍ଙ୍କ ବୃତ୍ତିଗତ ଜୀବନ ଉପରେ ନଜର ପକାଇବା ଦରକାର । 1990 ଦଶକର ପ୍ରଥମ ଭାଗରେ, ସର୍ବିଆରୁ ଅଲଗା ହୋଇ ଗଠିତ ଯୁଗୋସ୍ଲୋଭିଆ ଜନରାଜ୍ୟର ସମଗ୍ର ଅଞ୍ଚଳରେ ସର୍ବିଆ ରାଷ୍ଟ୍ରବାଦରୁ ଉତ୍ପନ୍ନ ହୋଇଥିବା ହିଂସାକାଣ୍ଡ ଭିଆଇବା ଲାଗି ସେ ସବୁଠାରୁ ଅଧିକ ଦାୟୀ ଥିଲେ ଏବଂ ସ୍ରେବ୍ରେନିକା ଏହି ହିଂସାର ସର୍ବାଧିକ ଜଘନ୍ୟ ଦୃଷ୍ଟାନ୍ତ । 1980 ଦଶକରେ ମିଲୋସେଭିକ୍ କମ୍ୟୁନିଷ୍ଟ ପାର୍ଟିର ଜଣେ କର୍ମକର୍ତ୍ତା ଥିଲେ । କିନ୍ତୁ ରାଜନୈତିକ ଜୀବନରେ ଆଗକୁ ଆଗେଇବା ଲାଗି ସର୍ବିଆର କଠୋର ରାଷ୍ଟ୍ରବାଦ ହିଁ ସର୍ବୋତ୍ତମ ମାଧ୍ୟମ ବୋଲି ସେ ଆବିଷ୍କାର କଲେ । ପ୍ରକୃତରେ କୋସୋଭୋ ସ୍ବୟଂଶାସିତ ଅଞ୍ଚଳରେ ରହୁଥିବା ସର୍ବିଆର ଲୋକମାନେ ହିଁ ନରସଂହାରର ଶିକାର ହେବା ଆଶଙ୍କା ରହିଛି ବୋଲି 1986ରୁ ମିଲୋସେଭିକ୍ ପ୍ରଚାର କରିବା ଆରମ୍ଭ କରିଦେଲେ । କୋସୋଭୋରେ ବସବାସ କରୁଥିବା ସଂଖ୍ୟାଲଘୁଙ୍କ ଜୀବନ ପ୍ରତି ଅନୁଭୂତ ଏହି ଆଶଙ୍କାରୁ ହିଁ ଏକ ବୃହତ୍ ସର୍ବିଆ ଗଠନର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବାର ଥିଲା । ଏହି ଉପସ୍ଥାପନାରୁ ଆମେ ଯେଉଁ ଉପଲବ୍ଧି ହାସଲ କଲୁ ତାହା ହେଲା ଯେ, ସ୍ବଜାତିର ଏକ ଗୋଷ୍ଠୀ ପ୍ରତି ରହିଥିବା ନରସଂହାର ଆଶଙ୍କାକୁ ଉପସ୍ଥାପନ କରିବା ପରେ, ଏହାକୁ ସଂପୂର୍ଣ୍ଣ ଭାବରେ ଓଲଟାଇ ଦିଆଯାଇପାରେ ଏବଂ ବାସ୍ତବରେ ଏହା ବଳରେ ଏକ ବିରୋଧୀ ଗୋଷ୍ଠୀରେ ନରସଂହାର ସଂଘଟିତ କରାଯାଇପାରେ । 1989ରେ ମିଲୋସେଭିକ୍ ସର୍ବିଆର ରାଷ୍ଟ୍ରପତି ହେବା ପରେ, 1974 ମସିହାରେ କୋସୋଭୋ ପ୍ରଦେଶକୁ ପ୍ରଦତ୍ତ ସ୍ବୟଂଶାସନ କ୍ଷମତା ପ୍ରତ୍ୟାହାର କରିନେବାକୁ ସ୍ଥିର କଲେ । ପୃଥକ୍ ଭାବେ ଗଠିତ ଯୁଗୋସ୍ଲାଭିଆ ଜନରାଜ୍ୟରେ ଘଟିଥିବା ଭୟାବହ ହିଂସାକାଣ୍ଡ ଏହିଠାରୁ ହିଁ ଆରମ୍ଭ ହୋଇଥିଲା ଏବଂ 1990 ଦଶକର ପ୍ରାରମ୍ଭିକ ଭାଗରେ ସାରା ଅଞ୍ଚଳରେ ଧ୍ବଂସଲୀଳା ଜାରି ରହିଥିଲା । ସେଠାରେ ମଧ୍ୟ ବାଲ୍କାନ୍ ଅଞ୍ଚଳରେ ଯଥାର୍ଥରେ ଜଣେ ଗାନ୍ଧିଙ୍କ ନେତୃତ୍ବରେ ଅହିଂସା ଏବଂ ଆଇନ ଅମାନ୍ୟ ଆନ୍ଦୋଳନ ଚାଲିଥିଲା ଏବଂ ସେ ଥିଲେ ଇବ୍ରାହିମ ରୁଗୋଭା, ଯିଏ କି ପୂର୍ବରୁ ପ୍ୟାରିସ୍ରେ ରହି ସାହିତ୍ୟିକ ବିଚାରବାଦୀ ରୋଲାଣ୍ଡ ବାର୍ଥେସ୍ଙ୍କ ତତ୍ତ୍ବାବଧାନରେ ଶିକ୍ଷାଲାଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ କୋସୋଭୋର ରାଷ୍ଟ୍ରପତି ହୋଇଥିଲେ । ଏଭଳି ଏକ ଆନ୍ଦୋଳନର ଉପସ୍ଥିତି ସତ୍ତ୍ବେ ସେହି ଅଞ୍ଚଳରୁ ନିର୍ଗତ ଆତଙ୍କବାଦର ନିଆଁକୁ ମିଲୋସେଭିକ୍ ଅବିରତ ଭାବେ ଇନ୍ଧନ ଯୋଗାଇ ଚାଲିଥିଲେ ଏବଂ ପରବର୍ତ୍ତୀ ସମୟରେ ନରସଂହାର ଓ ଜାତି ଭିତ୍ତିକ ମୂଳପୋଛ ଅଭିଯାନ ରୂପରେ ଅଧିକରୁ ଅଧିକ ଦମନଲୀଳା ରଚିବାର ସନ୍ଦର୍ଭ ଓ କାରଣ ରୂପେ ଏହା ହିଁ ଉପସ୍ଥାପିତ ହୋଇଥିଲା ।
କ୍ଷୋଭର ବିଷୟ ଯେ, ଯେ କୌଣସି ପର୍ଯ୍ୟାପ୍ତ ଅନୁଭବ ସଂପନ୍ନ ପର୍ଯ୍ୟବେକ୍ଷକଙ୍କ ପାଇଁ ଏହି ହିଂସାତ୍ମକ ସ୍ଥିତିର ଆଶଙ୍କା ସଂପର୍କରେ ସ୍ପଷ୍ଟ ସଂକେତ ମିଳୁଥିବା ସତ୍ତ୍ବେ ନରସଂହାର ସଂଘଟନକୁ ରୋକିବା ଦିଗରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ରହିଛି । କୌଣସି ନରସଂହାର ଘଟିବାର ପୂର୍ବ ସଂକେତ, ପୂର୍ବରୁ ବର୍ଣ୍ଣିତ ଘୃଣାଭାବ ବୃଦ୍ଧି ଘଟଣାରୁ ଏବଂ ଜର୍ମାନୀର ସମାଜ ବିଜ୍ଞାନୀ ଏଲିସାବେଥ୍ ନୋଏଲ୍-ନ୍ୟୁମାନ୍ଙ୍କ ମତାମତ ଉଦ୍ଧାର କରି ଫରାସୀ ଇତିହାସକାର ଏବଂ ରାଜନୀତି ବିଜ୍ଞାନୀ ଜ୍ୟାକ୍ସ ସେମେଲିନ୍ଙ୍କ ଦ୍ବାରା ରଚିତ ପୁସ୍ତକ ‘ପ୍ୟୁରିଫାଇ ଆଣ୍ଡ ଡେଷ୍ଟ୍ରୟ: ଦି ପଲିଟିକାଲ ୟୁଜେସ୍ ଅଫ ମାସାକ୍ରା ଆଣ୍ଡ୍ ଜେନୋସାଇଡ୍’ରେ ବର୍ଣ୍ଣିତ ‘କୁଣ୍ଡଳାକୃତିର ନିରବତା’ରୁ ମିଳିପାରିବ । ଏଥିରେ ସନ୍ନିହିତ ଅର୍ଥ ହେଉଛି ବହୁସଂଖ୍ୟକ ଲୋକ ହୁଏତ ଦ୍ବେଷପୂର୍ଣ୍ଣ ଭାଷଣ ପ୍ରଦାନରେ ନିଜେ ସକ୍ରିୟ ଭାବେ ସଂପୃକ୍ତ ହୋଇ ନପାରନ୍ତି, ବାସ୍ତବରେ ସେଥିରେ ସମ୍ମତ ବି ହୋଇ ନପାରନ୍ତି, କିନ୍ତୁ ଏହା ବିରୋଧରେ ସ୍ବର ଉଠାଇବା କିମ୍ବା ନିନ୍ଦା କରିବାରେ ବିଫଳ ହୁଅନ୍ତି । ନିଜ ଗୋଷ୍ଠୀ ଭିତରୁ ଅଲଗା କରିଦିଆଯିବାର ସଂକୀର୍ଣ୍ଣ ଆଶଙ୍କାରେ, ହୁଏତ ସେମାନେ ହିଂସା ପ୍ରପୀଡ଼ିତ ଗୋଷ୍ଠୀ ପ୍ରତି କିଛି ମାତ୍ରାରେ ସହାନୁଭୂତି ପ୍ରଦର୍ଶନ କରିବାକୁ ଚାହିଁ ନ ପାରନ୍ତି ।
ବିଂଶ ଶତାବ୍ଦୀରେ ନରସଂହାରର କାହାଣୀ ଏକ କ୍ଷୋଭପୂର୍ଣ୍ଣ ବିଷୟ ହୋଇ ରହିଆସିଛି । ନରସଂହାର ସଂଲଗ୍ନ କ୍ରିୟାକଳାପରୁ ଏକ ଅନ୍ତର୍ଜାତୀୟ ନ୍ୟାୟିକ ପଦ୍ଧତିର ମୂଳସୂତ୍ର ସ୍ଥାପିତ ହୋଇଛି, ଯାହାକି ଏଭଳି କାର୍ଯ୍ୟକଳାପକୁ ରୋକିବାରେ ବିଫଳ ହୋଇଛି ସତ, କିନ୍ତୁ ବହୁ ବିଳମ୍ବରେ ହେଲେ ମଧ୍ୟ, ବିଭିନ୍ନ ସମୟରେ ଅପରାଧୀମାନଙ୍କୁ ଠାବ କରିପାରିଛି । ସେ ଯାହାହେଲେ ବି ପ୍ରତ୍ୟେକ ଫେଲିସିଏନ୍ କାବୁଗା, ସ୍ଲୋବୋଦୋନ ମିଲୋସେଭିକ୍ ଏବଂ ରାଟ୍କୋ ମ୍ଲାଡିସ୍ଙ୍କୁ ଗିରଫ କରି ଅଦାଲତରେ ହାଜର କରାଯାଇଥିବା କ୍ଷେତ୍ରରେ ଏମିତି ଅନେକ ଅପରାଧୀ ଅଛନ୍ତି, ଯେଉଁମାନେ ସହଜରେ ଖସି ଯାଇ ଶେଷ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଜୀବନ ନିର୍ବାହ କରିଛନ୍ତି । ପ୍ରକୃତରେ କ’ଣ ସେମାନେ ରାତିରେ ନିଶ୍ଚିନ୍ତରେ ଶୋଇପାରନ୍ତି ବୋଲି ମନରେ ପ୍ରଶ୍ନ ଉଠେ ।