ଲେଫ୍ଟନାଣ୍ଟ ଜେନେରାଲ ଡି. ଏସ୍. ହୁଡ଼ା, ପୂର୍ବତନ ନର୍ଥର୍ଣ୍ଣ କମାଣ୍ଡ ସେନାମୁଖ୍ୟ, (2016 ସର୍ଜିକାଲ ଷ୍ଟ୍ରାଇକ୍ର ନେତୃତ୍ବ ନେଇଥିବା ଅଧିକାରୀ)
ଜଣେ କମାଣ୍ଡିଂ ଅଫିସରଙ୍କ ସମେତ 20 ଜଣ ଭାରତୀୟ ସୈନ୍ୟଙ୍କ ଦୁଃଖଦ ମୃତ୍ୟୁ ଘଟଣାରୁ ଲଦାଖ ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖା (LAC) ରେ ଲାଗି ରହିଥିବା ପରିସ୍ଥିତିର ଗୁରୁତ୍ବ ଜାଣିହୁଏ । ବୋଧହୁଏ, 1962 ପରେ ଭାରତ ଓ ଚୀନ ମଧ୍ୟରେ ଏହା ସବୁଠାରୁ ଅଧିକ ସଙ୍କଟଜନକ ସ୍ଥିତି ଏବଂ ଉଭୟ ଦେଶର ସମ୍ପର୍କ ଉପରେ ଏହାର ଦୀର୍ଘକାଳୀନ ପ୍ରଭାବ ଅନୁଭୂତ ହେବ । ପ୍ରାୟତଃ, ସମସ୍ୟାର ମୂଳ କାରଣ, ସେ ଅଞ୍ଚଳର ଭୌଗୋଳିକ ସ୍ଥିତି ଏବଂ ଦୁଇ ଦେଶର ସେନା ମଧ୍ୟରେ ଲାଗି ରହିଥିବା ସ୍ଥିତିର ଭବିଷ୍ୟତ ଫଳାଫଳ କ’ଣ ହେବ, ତାହା ଜାଣିବାକୁ ସାଧାରଣ ଲୋକେ ଇଚ୍ଛାପ୍ରକାଶ କରନ୍ତି । ତେଣୁ, ବାସ୍ତବିକତା ପରିପ୍ରେକ୍ଷୀରେ ଏହି ସବୁ ପ୍ରସଙ୍ଗକୁ ଏଠାରେ ସ୍ଥାନିତ କରିବା ଲାଗି ଉଦ୍ୟମ କରିବୁ ।
ବାସ୍ତବ ନିୟନ୍ତ୍ରଣ ରେଖା
1962 ଯୁଦ୍ଧ ସମୟରେ, ପଶ୍ଚିମ ଲଦାଖର ପ୍ରାୟ 38,000 ବର୍ଗ କିଲୋମିଟର ଅଞ୍ଚଳକୁ ଚୀନ ସେନା ଅକ୍ତିଆର କରିନେଇଥିଲା । ଭାରତୀୟ ଅଞ୍ଚଳକୁ ଚୀନ ଅକ୍ତିଆର କରିନେବା ପରେ ଯେଉଁ ବାସ୍ତବ ସୀମାରେଖା ସୃଷ୍ଟି ହୋଇଥିଲା ତାହାକୁ ବାସ୍ତବ ନିୟନ୍ତ୍ରଣ ରେଖା- LAC ବୋଲି କୁହାଗଲା । ତେବେ, ଏହା ପରଠାରୁ ଏଲ୍ଏସିକୁ ମାନଚିତ୍ରରେ ରେଖାଙ୍କିତ କରାଯାଇନାହିଁ କି ବାସ୍ତବ କ୍ଷେତ୍ରରେ ଚିହ୍ନିତ କରାଯାଇନାହିଁ ଏବଂ କେତେକ ଅଞ୍ଚଳରେ ଏଲ୍ଏସି ସମ୍ପର୍କରେ ଉଭୟ ପକ୍ଷର ନିଜ ନିଜ ଦୃଷ୍ଟିକୋଣ ଭିତ୍ତିକ ଭିନ୍ନ ଭିନ୍ନ ଧାରଣା ରହିଛି ।
ଉଭୟ ଭାରତ ଓ ଚୀନ ସେନା ଏଲ୍ଏସି ସମ୍ପର୍କିତ ସେମାନଙ୍କ ଧାରଣା ଭିତ୍ତିରେ ପ୍ୟାଟ୍ରୋଲିଂ କରନ୍ତି ଏବଂ ମତପାର୍ଥକ୍ୟ ଲାଗି ରହିଥିବା କେତେକ ଅଞ୍ଚଳରେ ଉଭୟ ପକ୍ଷର ପ୍ୟାଟ୍ରୋଲିଂ ଟିମ୍ ପରସ୍ପରର ମୁହାଁମୁହିଁ ମଧ୍ୟ ହୋଇଥାଆନ୍ତି । ଏହି ମୁହାଁମୁହିଁ ସ୍ଥିତିର ଶାନ୍ତିପୂର୍ଣ୍ଣ ଅବସାନ ଲାଗି ଅନେକ ବୁଝାମଣା ଏବଂ ପ୍ରୋଟୋକଲ ରହିଛି ଏବଂ ଏସବୁ ଅନୁସାରେ ଉଭୟ ପକ୍ଷ ସୈନ୍ୟମାନଙ୍କର ଆଚରଣ ନିର୍ଦ୍ଧାରିତ ହୋଇଥାଏ । ଉଦାହରଣ ସ୍ବରୂପ, 2013 ମସିହାର ‘ସୀମୀ ପ୍ରତିରକ୍ଷା ସହଯୋଗ ବୁଝାମଣା’ର ଧାରା VIIIରେ ଉଲ୍ଲେଖ ରହିଛି:
‘ଉଭୟ ପକ୍ଷ ସମ୍ମତି ପ୍ରଦାନ କରୁଛନ୍ତି ଯେ, ବାସ୍ତବ ନିୟନ୍ତ୍ରଣ ରେଖା ସମ୍ପର୍କରେ ସାଧାରଣ ବୋଧଗମ୍ୟତା ନ ଥିବା ଅଞ୍ଚଳରେ ଉଭୟ ପକ୍ଷର ପ୍ରତିରକ୍ଷା ବାହିନୀ ମୁହାଁମୁହିଁ ସ୍ଥିତିରେ ପହଞ୍ଚିବା କ୍ଷେତ୍ରରେ, ଉଭୟ ପକ୍ଷ ସର୍ବାଧିକ ଆତ୍ମସଂଯମ ରକ୍ଷା କରିବେ, ଉସୁକାଇଲା ଭଳି କୌଣସି କାର୍ଯ୍ୟ କରିବେ ନାହିଁ, କୌଣସି ପ୍ରକାର ବଳପ୍ରୟୋଗ କରିବେ ନାହିଁ କି ବଳପ୍ରୟୋଗର ଧମକ ଦେବେନାହିଁ, ପରସ୍ପର ପ୍ରତି ଭଦ୍ର ଆଚରଣ ପ୍ରଦର୍ଶନ କରିବେ ଏବଂ ଗୁଳି ବିନିମୟ କିମ୍ବା ସଶସ୍ତ୍ର ସଂଘର୍ଷ ଭଳି ସ୍ଥିତିକୁ ଏଡ଼ାଇ ଯିବେ ।’
ବିଭିନ୍ନ ପ୍ରୋଟୋକଲକୁ ଉଭୟ ପକ୍ଷ ନିଷ୍ଠାର ସହ ପାଳନ କରିଆସୁଛନ୍ତି ଏବଂ ଏହା ଦ୍ବାରା 1975ରେ ସୀମାରେ ସଂଘର୍ଷ ଘଟି ଚାରି ଜଣ ଭାରତୀୟ ଯବାନଙ୍କ ମୃତ୍ୟୁ ଘଟଣା ପରଠାରୁ ଏ ପର୍ଯ୍ୟନ୍ତ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳ ଶାନ୍ତିପୂର୍ଣ୍ଣ ରହିଆସିଛି । ମେ ମାସ ପ୍ରଥମ ସପ୍ତାହରେ ଚୀନ ସେନାର ଅନୁପ୍ରବେଶ ଯୋଗୁଁ ଏବେ ଏହି ସ୍ଥିତିରେ ଅଚାନକ ପରିବର୍ତ୍ତନ ଘଟିଛି ।
ପୂର୍ବ ଲଦାଖର ଭୌଗୋଳିକ ସ୍ଥିତି-
ଲଦାଖକୁ ଉଚ୍ଚ ପାର୍ବତ୍ୟାଞ୍ଚଳର ଏକ ମରୁଭୂମି ବୋଲି କୁହାଯାଏ ଏବଂ ପୂର୍ବ ଲଦାଖ ଅଞ୍ଚଳ ତିବ୍ବତୀୟ ମାଳଭୂମିକୁ ଲାଗି ରହିଛି । ପାଙ୍ଗଙ୍ଗ ସୋ ହ୍ରଦ ଏବଂ ଗଲୱାନ ନଦୀ ଉପତ୍ୟକା 14,000 ଫୁଟ୍ ଉଚ୍ଚତାରେ ରହିଛି ଏବଂ ହଟ୍ ସ୍ପ୍ରିଙ୍ଗ ଅଞ୍ଚଳ ରହିଛି 15,500 ଫୁଟ୍ ଉଚ୍ଚତାରେ । ଏହି ତିନିଟି ସ୍ଥାନରେ ଏବେ ଚୀନ ସେନା ଓ ଭାରତୀୟ ସେନା ମୁହାଁମୁହିଁ ହୋଇଛନ୍ତି ।
ପାଙ୍ଗଙ୍ଗ ସୋ ଏବଂ ଗଲୱାନ ଅଞ୍ଚଳରେ ସବୁଠାରୁ ଅଧିକ ଉତ୍ତେଜନା ସୃଷ୍ଟି ହୋଇଛି । ପାଙ୍ଗଙ୍ଗ ସୋ’ର ଉତ୍ତର କୂଳରେ ବାସ୍ତବ ନିୟନ୍ତ୍ରଣ ରେଖା ସଂପର୍କରେ ଭାରତ ଓ ଚୀନ ମଧ୍ୟରେ ଭିନ୍ନ ଭିନ୍ନ ପରିପ୍ରେକ୍ଷୀ ଭିତ୍ତିକ ମତପାର୍ଥକ୍ୟ ରହିଛି ଏବଂ ଅତୀତରେ, ଉଭୟ ପକ୍ଷ ନିଜର ବୋଲି ଦାବି କରିଆସୁଥିବା ଅଞ୍ଚଳ ଯାଏ ପ୍ୟାଟ୍ରୋଲିଂ କରିଛନ୍ତି । ଫିଙ୍ଗର 4ରେ ଏଲ୍ଏସି ରହିଛି ବୋଲି ଚୀନ ଦାବି କରୁଥିବା ବେଳେ ଭାରତ ମତରେ ଏହା ଆହୁରି ପୂର୍ବ ଯାଏ ଯାଇ ଫିଙ୍ଗର 8ରେ ରହିଛି । ସମ୍ପ୍ରତି ଚୀନ ନିଜର ବୋଲି ଦାବି କରିଆସୁଥିବା ଅଞ୍ଚଳକୁ ଅକ୍ତିଆର କରିନେଇଛି ଏବଂ ଫଳସ୍ବରୂପ, ଭାରତୀୟ ସେନା ନିଜର ବୋଲି ଧାରଣା ରଖିଥିବା ଏଲ୍ଏସି ଅଞ୍ଚଳ ଯାଏ ପ୍ୟାଟ୍ରୋଲିଂ ବନ୍ଦ ରଖିଛି ।
ଗଲୱାନ ଉପତ୍ୟକାରେ ଥିବା ଏଲ୍ଏସି, ଭାରତର ଏକ ଗୁରୁତ୍ବପୂର୍ଣ୍ଣ ରାସ୍ତାଠାରୁ ପ୍ରାୟ ଛଅ କିଲୋମିଟର ଦୂର । ଏହି ରାସ୍ତା ଦୌଲତ ବେଗ ଓଲଡି (DBO) ଯାଏ ଯାଇଛି, ଯେଉଁଠାରେ ବିଶ୍ବର ସର୍ବୋଚ୍ଚ ବିମାନ ଅବତରଣ ସ୍ଥଳୀ ଅବସ୍ଥିତ । ଡିବିଓ ଆଖପାଖ ଅଞ୍ଚଳରେ ନିୟୋଜିତ ଆମ ସେନା ବାହିନୀକୁ ସାମଗ୍ରୀ ଯୋଗାଣ ପାଇଁ ଏହା ହିଁ ଏକମାତ୍ର ସବୁଦିନିଆ ରାସ୍ତା । ଏହି ରାସ୍ତା ଡାରବକ୍ରୁ ଆରମ୍ଭ ହୋଇ 255 କିଲୋମିଟର ଦୂର ଡିବିଓ ଯାଏଁ ଲମ୍ବିଛି । 2000 ମସିହାରେ ଏହି ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇଥିଲା, କିନ୍ତୁ ଶ୍ୟୋକ୍ ନଦୀ ଉପରେ ପୋଲ ନଥିବା କାରଣରୁ ସେନା ପକ୍ଷରୁ ଏହାର ଉପଯୋଗରେ ବାଧାପ୍ରାପ୍ତ ହୋଇଥିଲା । 2019ର ଏକ ସ୍ଥାୟୀ ପୋଲ ନିର୍ମାଣ ଶେଷ ହେଲା ଏବଂ ରକ୍ଷା ମନ୍ତ୍ରୀଙ୍କ ଦ୍ବାରା ଏହା ଉଦ୍ଘାଟିତ ହେଲା । ରଣକୌଶଳ ଦୃଷ୍ଟିରୁ ଏହି ରାସ୍ତାର ବିଶେଷତ୍ବ ଏବେ ଖୁବ୍ ଅଧିକ । କାରଣ, ଏବେ ଏହି ରାସ୍ତା ଦେଇ ଉତ୍ତର ଲଦାଖର ବିଭିନ୍ନ ଅଞ୍ଚଳକୁ ସେନା ଓ ସାମରିକ ଉପକରଣ ପ୍ରେରଣ ତ୍ବରାନ୍ବିତ ହୋଇପାରିବ ।
ଗଲୱାନ ଉପତ୍ୟକା ବାଟ ଦେଇ ଚୀନ ସେନା ଏଲଏସିରେ ପ୍ରବେଶ କଲେ ସେମାନେ ଏହି ଗୁରୁତ୍ବପୂର୍ଣ୍ଣ ରାସ୍ତାକୁ ବିଚ୍ଛିନ୍ନ କରିଦେଇପାରିବେ । ଆମର ଏହି ଅଞ୍ଚଳକୁ ଚୀନ୍ ସେନାର ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସେନା ପକ୍ଷରୁ ଦୃଢ଼ ଭାବରେ ପ୍ରତିରୋଧ କରାଯାଇଛି ଏବଂ ଜୁନ 15 ତାରିଖରେ ଏହିପରି ଏକ ସଂଘର୍ଷ ଘଟଣାରେ 20 ଜଣ ସୈନ୍ୟ ସହିଦ ହୋଇଛନ୍ତି ।
ପରିସ୍ଥିତି କେତେ ଗମ୍ଭୀର ?
ଅତୀତରେ ଚୀନ ପକ୍ଷରୁ ଅନେକ ଥର ଅନୁପ୍ରବେଶ ହୋଇଛି ଏବଂ ଏଥିରୁ କେତେକ କ୍ଷେତ୍ରରେ ଦୀର୍ଘ କାଳ ଧରି ମୁହାଁମୁହିଁ ସ୍ଥିତି ଲାଗି ରହିଥିଲା । ଯେମିତି କି 2013ରେ ଡେପସାଙ୍ଗ, 2014ରେ ଚୁମାର ଏବଂ 2017ରେ ଡୋକଲାମରେ ଉପୁଜିଥିବା ସ୍ଥିତି । ହେଲେ ଏ ସବୁ ଥିଲା ସ୍ଥାନୀୟ କାରଣଜନିତ ପରିସ୍ଥିତି ଏବଂ ଉଭୟ ପକ୍ଷରୁ କୌଣସି ହିଂସା ବିନା ଶାନ୍ତିପୂର୍ଣ୍ଣ ଢଙ୍ଗରେ ସେ ସବୁର ସମାଧାନ ହୋଇଥିଲା । କିନ୍ତୁ ବର୍ତ୍ତମାନର ଚୀନ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଭିନ୍ନ ।
ସମଗ୍ର ଏଲ୍ଏସିର ବିଭିନ୍ନ କ୍ଷେତ୍ରରେ ଚୀନ ବହୁ ସଂଖ୍ୟାରେ ନିର୍ମାଣ କାର୍ଯ୍ୟ କରୁଛି ଏବଂ ସ୍ପଷ୍ଟତଃ ଚୀନ ସରକାରଙ୍କ ସର୍ବୋଚ୍ଚ ସ୍ତରରେ ଏହା ଅନୁମୋଦନ ଲାଭ କରିଛି । ଚୀନର ସାମରିକ ପଦକ୍ଷେପ ସହିତ ନିକଟରେ ସଂଘଟିତ ହିଂସାକାଣ୍ଡ ଅଭୂତପୂର୍ବ ଏବଂ ଏହା ଫଳରେ ଉଭୟ ସେନାର ଆଚରଣ ନିର୍ଦ୍ଧାରଣ କରୁଥିବା ସବୁ ପ୍ରୋଟୋକଲକୁ ସମ୍ପୂର୍ଣ୍ଣ ଭଙ୍ଗ କରାଯାଇଛି ।
ଚୀନର ଏହି କାର୍ଯ୍ୟକଳାପ ଯୋଗୁଁ ଏଲ୍ଏସିରେ ଭାରତୀୟ ସେନାର ଆଚରଣ ସମ୍ପର୍କିତ ନିର୍ଦ୍ଦେଶାବଳୀର ପୁନଃ ଆକଳନ ଲାଗି ଭାରତ ବାଧ୍ୟ ହୋଇଛି ଏବଂ ଆଗାମୀ ଦିନରେ ଅଧିକ ଆକ୍ରମଣାତ୍ମକ ଆଚରଣ ପ୍ରଦର୍ଶିତ ହେବ ବୋଲି ଆମେ ନିଶ୍ଚିତ । ସୀମା ପରିଚାଳନା କ୍ଷେତ୍ରରେ ଏହାର ସୁଦୂରପ୍ରସାରୀ ପ୍ରଭାବ ପଡ଼ିବ ଏବଂ ନିକଟ ଭବିଷ୍ୟତରେ ଏଲ୍ଏସି ଅଞ୍ଚଳରେ ଉଷ୍ମତା ଲାଗି ରହିପାରେ ବୋଲି ଆମେ ଅନୁମାନ କରିପାରିବା ।
ଭାରତ-ଚୀନ ସମ୍ବନ୍ଧର ଗୁଣ ଓ ମାନ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବ ଏବଂ ଏବେଠାରୁ ଏହାର ସଙ୍କେତ ଦୃଶ୍ୟମାନ ହେଲାଣି । ସାରା ଦେଶରେ ଏବେ ଚୀନ ବିରୋଧୀ ମନୋଭାବ ପ୍ରକଟିତ ହୋଇଛି ଏବଂ ବିବାଦୀୟ ପରିସ୍ଥିତିର ସମାଧାନ ଯେଉଁଭଳି ଭାବରେ ହେଉ ନା କାହିଁକି, ଭାରତକୁ ଡରାଇବା ପାଇଁ ଚୀନର ସାମରିକ ଶକ୍ତି ପ୍ରଦର୍ଶନ ଉଦ୍ୟମ ଯୋଗୁଁ ଚୀନକୁ ଏ ଦେଶର ନାଗରିକମାନେ କଦାପି ଭୁଲିବେ ନାହିଁ ।