ଲକ୍ଷ୍ନୌ: ଉତ୍ତରପ୍ରଦେଶର ଦୁଧୱା ନ୍ୟାସନାଲ ପାର୍କରେ ଏକ ବିରଳ ପ୍ରଜାତିର ସାପ ଦେଖିବାକୁ ମିଳିଥିଲା । ଯେତେବେଳେ ଏହି ସାପର ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା ଲୋକେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ।
ଏହି ଲାଲ ରଙ୍ଗର ସାପ ପ୍ରଜାତିଙ୍କୁ ରେଡ୍ କରାଲ୍ କୁକିରି କୁହାଯାଏ । ଯାହାକି ଅତି ବିରଳ ପ୍ରଜାତିର । ଏହି ସାପର ଫଟୋକୁ ଦୁଧୱା ନ୍ୟାସନାଲ ପାର୍କର ଜଣେ କର୍ମଚାରୀ କ୍ଲିକ୍ କରିଥିଲେ । ଯାହାକୁ ଟ୍ବିଟରରେ ୱାଇଲ୍ଡ ଲାଇଫ ଏବଂ ପର୍ଯ୍ୟଟନ ସଂଗଠନ ୱାଇଲ୍ଡଲାନ୍ସ ଦ୍ବାରା ସେୟାର କରାଯାଇଥିଲା ।
ଏହି ବିରଳ ପ୍ରଜାତିର ସାପ ପ୍ରଥମେ 1936 ମସିହାରେ ଦୁଧୱାଠାରେ ଦେଖାଯାଇଥିଲା । ଏହି ସାପର ବାୟୋଲଜିକାଲ ନାମ ହେଉଛି "ଓଲିଗୋଡନ୍ ଖେରିଏନସିସ୍" । ଭାରତୀୟ ବନ ବିଭାଗର ବରିଷ୍ଠ ଅଧିକାରୀ ରମେଶ ପାଣ୍ଡେଙ୍କ ଅନୁଯାୟୀ, ଗତ କିଛି ବର୍ଷ ମଧ୍ୟରେ ଲାଲ୍ କରାଲ୍ କୁକିରି ସାପକୁ ଚାରିଥର ଦେଖିବାକୁ ମିଳିଥିଲା । କିନ୍ତୁ ଏହା ପୂର୍ବରୁ ସାପକୁ ଏତେ ଥର ଦେଖାଯାଇ ନଥିଲା ।
ସୂଚନାଯୋଗ୍ୟ, 2015 ମସିହା ପୂର୍ବରୁ ଏହି ବିରଳ ପ୍ରଜାତିର ସାପ ଉତ୍ତର ପ୍ରଦେଶରେ ଦେଖାଯାଇଥିଲା । ବନ ବିଭାଗର ଦାବି ଅନୁଯାୟୀ, ଏହି ରହସ୍ୟମୟ ସାପ ବିଷୟରେ ସମଗ୍ର ବିଶ୍ବ ଏପର୍ଯ୍ୟନ୍ତ ଅଜ୍ଞ ।
ୱାଇଲ୍ଡଲାନ୍ସ ବୁଧବାର ଏହି ବିରଳ ପ୍ରଜାତିର ସାପର ଏକ ଫଟୋ ସେୟାର କରି ଲେଖିଛି, 'ଦୁଧୱା ନ୍ୟାସନାଲ ପାର୍କ ବିବିଧତା ଏବଂ ଆଶ୍ଚର୍ଯ୍ୟରେ ପରିପୂର୍ଣ୍ଣ । ରେଡ୍ କରାଲ୍ କୁକିରି ସାପ ଏକ ବିରଳ ପ୍ରଜାତିର ସାପ । ବୁଧବାର ଖୁବ୍ ଜୋରରେ ବର୍ଷା ହେବା ପରେ ଏହା ଦେଖାଦେଇଛି ।
ବିଶେଷଜ୍ଞଙ୍କ ଅନୁଯାୟୀ, ନାଲି ରଙ୍ଗର କୁକି ସାପ ବିଷାକ୍ତ ନୁହେଁ । ଏହି ସାପମାନେ କେବଳ କୀଟପତଙ୍ଗ ଏବଂ ପୋକ ଖାଇଥା’ନ୍ତି । ସେମାନଙ୍କର ଲାଲ କମଳା ରଙ୍ଗ ଏବଂ ଦାନ୍ତ ହେତୁ ଏହି ସାପଗୁଡ଼ିକର ନାମ ରେଡ୍ କରାଲ୍ କୁକିରି ରଖାଯାଇଛି ।