ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକୁ ନେଇ ସୋମବାର ଲୋକସଭାରେ ଜୋରଦାର ହଙ୍ଗାମା ହୋଇଛି । ଏହି ସମୟରେ କଂଗ୍ରେସ ଏବଂ ବିଜେପି ସାଂସଦ ମୁହାଁମୁହିଁ ହୋଇଛନ୍ତି । କଂଗ୍ରେସ ସାଂସଦ ରାମ୍ୟା ହରିଦାସ ବିଜେପି ସାଂସଦଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି । ଏନେଇ ସେ ବାଚସ୍ପତି ଓମ୍ ବିରଲାଙ୍କୁ ଚିଠି ଲେଖି ସାଂସଦଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ଅନ୍ୟପକ୍ଷରେ ବିଜେପି ସାଂସଦମାନେ ମଧ୍ୟ କଂଗ୍ରେସ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି ।
ରାମ୍ୟା ନିଜ ଚିଠିରେ ଲେଖିଛନ୍ତି 'ମାର୍ଚ୍ଚ 2 ତାରିଖ ଅପରାହ୍ନ 3ଟା ସମୟରେ ଲୋକସଭା ଭିତରେ ସାଂସଦ ଜଶକୌର ମୀନା ମୋତେ ଆକ୍ରମଣ କରିଥିଲେ । ମୁଁ ଜଣେ ଦଳିତ ଏବଂ ମହିଳା ବୋଲି ବାରମ୍ବାର ମୋ ସହ ଏଭଳି ଘଟୁଛି କି ? ମୁଁ ଉକ୍ତ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରୁଛି। '
ସେପଟେ ମହିଳା ସାଂସଦଙ୍କ ଏକ ଗ୍ରୁପ ମୀନା ଏବଂ ଚିକ୍କାମାଲୁରୁ ସାଂସଦ ଶୋଭା କରାଣ୍ଡଲାଜେଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରସଙ୍ଗ ଉଠାଇବାକୁ ଓମ୍ ବିର୍ଲାଙ୍କୁ ଭେଟିଥିଲେ ।
ସୂଚନାଯୋଗ୍ୟ ଯେ, ସୋମବାର ଠାରୁ ସଂସଦରେ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହୋଇଛି । ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଲୋକସଭାରେ ଦିଲ୍ଲୀ ହିଂସାକୁ ନେଇ ଗୃହରେ ହଙ୍ଗାମା କରିଥିଲେ ବିପକ୍ଷ ସାଂସଦ । ଏହା ସହିତ ସେମାନେ ଦିଲ୍ଲୀ ହିଂସା ପାଇଁ ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିଥିଲେ । ଏହି ସମୟରେ କଂଗ୍ରେସ ଏବଂ ବିଜେପିର ସାଂସଦଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।
IANS