ନୂଆଦିଲ୍ଲୀ: କୋରୋନା ଭାଇରସ କାରଣରୁ ଦେଶର ଲକ୍ ଡାଉନ୍ ଜାରି ରହିଛି । ଏହି ଲକ୍ ଡାଉନ୍ ମେ 3ରେ ଶେଷ ହେବ । ଲକ୍ ଡାଉନ୍ ଦେଶର କାରଣରୁ ସମସ୍ତ କାମ ବନ୍ଦ ହୋଇ ପଡିଛି । ଏଭଳି ପରିସ୍ଥିତିରେ ସରକାର ସମସ୍ତଙ୍କ ସହଯୋଗ ଲୋଡିଛନ୍ତି । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଶୁକ୍ରବାର ସମସ୍ତ ପ୍ରାଇଭେଟ ସ୍କୁଲକୁ ଅପିଲ କରିଛନ୍ତି ।
କୋରୋନା ସଙ୍କଟ ସମୟରେ ବାର୍ଷିକ ସ୍କୁଲ ଫି ଓ ଏକକାଳୀନ ତିନି ମାସର ଫି ନେବା ଉପରେ ପୁନଃବିଚାର ପାଇଁ ଅପିଲ କରିଛନ୍ତି । ଏଭଳି ସମୟରେ ଅଭିଭାବକଙ୍କ ଠାରୁ ଏକାକାଳୀନ 3 ମାସର ଫି ନେବା ଉପରେ ଚିନ୍ତା ବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଫେସବୁକ୍ ଏବଂ ଟ୍ବିଟରରେ ପୋଷ୍ଟ କରି ମନ୍ତ୍ରୀ କହିଛନ୍ତି ଯେ, ଦେଶର ଅନେକ ଅଭିଭାବକ ଏହା ତାଙ୍କ ନଜରକୁ ଆଣିଛନ୍ତି ଯେ ସଙ୍କଟ ସମୟରେ ମଧ୍ୟ ଅନେକ ସ୍କୁଲ ବାର୍ଷିକ ଶୁଳ୍କ ଏବଂ ତିନିମାସ ଫି ବୃଦ୍ଧି କରିଛନ୍ତି । ସେ କହିଛନ୍ତି,‘ ମୁଁ ସମସ୍ତ ରାଜ୍ୟର ଶିକ୍ଷା ବିଭାଗରୁ ଆଶା କରୁଛି ଯେ ସେମାନେ ଅଭିଭାବକ ଏବଂ ବିଦ୍ୟାଳୟର ସ୍ବାର୍ଥର ସୁରକ୍ଷା ଦିଗରେ ସମନ୍ବୟ ରକ୍ଷା କରିବେ । ମାନବିକ ମୂଲ୍ୟବୋଧକୁ ପ୍ରାଥମିକତା ଦେବାକୁ ଅନୁରୋଧ କରୁଛି | ଏହି ପରିପ୍ରେକ୍ଷୀରେ, ଆଶା ଯେ ସମସ୍ତ ବିଦ୍ୟାଳୟ ସେମାନଙ୍କ ଶିକ୍ଷକ ଏବଂ ସମଗ୍ର କର୍ମଚାରୀଙ୍କୁ ଠିକ୍ ସମୟରେ ଦରମା ପ୍ରଦାନ ବିଷୟରେ ଚିନ୍ତା କରିବେ’ ।
ସୂଚନାଯୋଗ୍ୟ ଯେ, ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଶୁକ୍ରବାର ଦିଲ୍ଲୀର ସମସ୍ତ ଘରୋଇ ବିଦ୍ୟାଳୟକୁ ଫି ନବଢାଇବା ପାଇଁ କହିଛନ୍ତି । ଏହାସହ ଯେ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିନି ସେଯାଏଁ କେବଳ ଟ୍ୟୁସନ୍ ଫି ହିଁ ନିଆଯିବ ।