ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦ ଲାଗି ରହିଥିବାବେଳେ ରୁଷ୍ ଗସ୍ତରେ ଯାଇଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କ ଚୀନ ପ୍ରତିପକ୍ଷଙ୍କୁ ଭେଟିବେ ବୋଲି ଲାଗି ରହିଥିବା ଚର୍ଚ୍ଚାରେ ବିରାମ ହୋଇଛି । ପ୍ରତିରକ୍ଷା ମନ୍ତ୍ରୀ ଚୀନ ପ୍ରତିପକ୍ଷଙ୍କୁ ଭେଟିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।
ମସ୍କୋରେ ଦୁହିଁଙ୍କ ମଧ୍ୟରେ ଭେଟଘାଟ ହୋଇପାରେ ବୋଲି ଚୀନ ମିଡିଆ ପ୍ରକାଶ କରିଥିଲା । ଯେଉଁଥିରେ ଭାରତ-ଚୀନ ମଧ୍ୟରେ ଦେଖାଦେଇଥିବା ସୀମା ବିବାଦ ଉପରେ ଆଲୋଚନା ହୋଇପାରେ ବୋଲି ଚୀନ ମିଡିଆ ପ୍ରକାଶ କରିଥିଲେ ।
ବର୍ତ୍ତମାନ ତିନି ଦିନିଆ ଋଷ ଗସ୍ତରେ ରହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହି ଗସ୍ତ ସମୟରେ ସେ 75 ତମ ବିଜୟ ଦିବସ ପରେଡରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଏପଟେ ଆଜି ସୀମା ବିବାଦକୁ ନେଇ WMCC ବୈଠକ ବସିବ । ଏଥିରେ ଉଭୟ ଦେଶର ଯୁଗ୍ମ ସଚିବ ସ୍ତରୀୟ ପଦାଧିକାରୀ ଯୋଗ ଦେଇ ସୀମା ବିବାଦ ଉପରେ ଆଲୋଚନା କରିବେ । WMCC 2012 ମସିହାରେ ଗଠିତ ହୋଇଥିବାବେଳେ ଏଥିରେ ଉଭୟ ଦେଶ ମଧ୍ୟରେ ସୀମା ବ୍ୟାପାରର ଆଲୋଚନା କରାଯିବ ।
ତେବେ ସୀମା ବିବାଦକୁ ନେଇ ସୋମବାର କମାଣ୍ଡର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । 15 ତାରିଖ ରାତିରେ ଲଦାଖର ଗଲୱାନରେ ଭାରତ-ଚୀନ ବିବାଦ ଚରମ ସୀମାରେ ପହଞ୍ଚିଥିଲା । ରକ୍ତାକ୍ତ ସଂଘର୍ଷରେ ଭାରତର 20 ଯବାନ ଶହୀଦ ହୋଇଥିଲେ । ସେପଟେ ଚୀନର ମଧ୍ୟ 43 ଯବାନ ମୃତାହତ ହୋଇଥିବା ନେଇ ସୂଚନା ମିଳିଥିଲା । ଏହାପରେ ଉଭୟ ଦେଶ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ଜାରି ରହିଛି ।
ସୂଚନାଥାଉକି, ଗତକାଲି ରୁଷିଆ, ଭାରତ ଓ ଚୀନର ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଭିଡିଓ କନଫେରନ୍ସ ଜରିଆରେ ସାମିଲ ହୋଇଥିଲେ । ଏହି ବୈଠକରେ ଚୀନକୁ ବୈଦେଶିକ ମନ୍ତ୍ରୀ ଆଇନା ଦେଖାଇବା ସହ ଅନ୍ତର୍ଜାତୀୟ ଆଇନକୁ ଚୀନ ସମ୍ମାନ ଦେଉ ବୋଲି ଜୟଶଙ୍କର କହିଥିଲେ ।
ସେହିପରି ଚୀନ ଓ ଭାରତ ମଧ୍ୟରେ ଦେଖାଦେଇଥିବା ସୀମା ବିବାଦରେ ତୃତୀୟ ପକ୍ଷର ଆବଶ୍ୟକତା ନାହିଁ ବୋଲି ଋଷ ସ୍ପଷ୍ଟ କରିଥିଲା ।
@ANI