ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ତିକ୍ତତା ବଢିଚାଲିଛି। ବିଶ୍ବାସ ଯୋଗ୍ୟ ନଥିବା ଚୀନର କୌଣସି ପ୍ରତିଶୃତିକୁ ମାନିହେବନି। କାରଣ ପୂର୍ବରୁ ଅନେକ ଥର ବିଶ୍ବାସ ଜନ୍ମାଇ ସେ ବିଷ ଦେଇଛି। ଏପଟେ ଦେଶରେ ମହାମାରୀ ସ୍ଥିତି ଲାଗିରହିଥିବା ବେଳେ ବାରମ୍ବାର ଏଲଏସିରେ ଚୀନ ନିଜର କଳାକାରନାମା ଦେଖାଉଛି। ଏହା ଭିତରେ ବିରୋଧୀ ମାନେ କେନ୍ଦ୍ରକୁ ବାରମ୍ବାର ଜବାବ ମାଗିଚାଲିଛନ୍ତି ସୀମାର ସ୍ଥିତି ବିଷୟରେ।
ଏ ସମସ୍ତ ସ୍ଥିତିକୁ ଅନୁଧ୍ଯାନ କରି ଓ ଜାରି ରହିଥିବା ପରିସ୍ଥିତି ଭିତରେ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲୋକସଭାରେ ସୂଚନା ପ୍ରଦାନ କରିପାରନ୍ତି । ରାଜନାଥ ସିଂହ ଅପରାହ୍ନ ୩ଟାରେ ସଂସଦରେ କହିପାରନ୍ତି ଯେ, ବାସ୍ତବିକ ନିୟନ୍ତ୍ରଣ ରେଖାରେ ବର୍ତ୍ତମାନ ସ୍ଥିତି କେମିତି ଅଛି ।
ସୂଚନାଯୋଗ୍ୟ, ବିରୋଧୀ ଦଳର ନେତାମାନେ ଚୀନକୁ ନେଇ ସରକାରଙ୍କୁ ଆକ୍ରମଣ କରୁଛନ୍ତି ଏବଂ ବାରମ୍ବାର ସରକାରଙ୍କୁ ଜବାବ ମାଗୁଛନ୍ତି । ସୋମବାର ଲୋକସଭାରେ ବିରୋଧୀ ଦଳର ନେତାମାନେ ସୀମାରେ ଉତ୍ତେଜନା ପ୍ରସଙ୍ଗ ଉଠାଇବାକୁ ଉଦ୍ୟମ କରିଥିଲେ । ତେବେ ମହାମାରୀ କାଳରେ ସଂସଦରେ ମୌସୁମୀ ଅଧୀବେଶନ ଆରମ୍ଭ ହୋଇଥିବା ବେଳେ ଏହା ଆଗାମୀ ଅକ୍ଟୋବର ୧ ତାରିଖ ଯାଏଁ ଚାଲିବ ।
ନିକଟରେ ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ ହ୍ରଦ ନିକଟରେ ରଣନୀତିକୁ ନିୟନ୍ତ୍ରଣ କରି ଭାରତ ଚୀନ୍କୁ ପଛରେ ପକାଇ ଦେଇଛି। ଏହା ଚୀନ୍ ସୈନିକମାନଙ୍କ ଦ୍ୱାରା ଲଦାଖର ଚୁସୁଲ ନିକଟ ଦକ୍ଷିଣ ପାଙ୍ଗୋଙ୍ଗ ତସୋ ନିକଟ ଭାରତୀୟ ଅଞ୍ଚଳରେ ପ୍ରବେଶ କରିବାକୁ ଏକ ପ୍ରୟାସକୁ ବିଫଳ କରିଥିଲା।
ଫିଙ୍ଗର ଅଞ୍ଚଳ, ଗାଲୱାନ ଉପତ୍ୟକା, ହଟ ସ୍ରିଙ୍ଗ୍ସ ଏବଂ କଙ୍ଗରୁଙ୍ଗ ନାଲା ସମେତ ଏକାଧିକ ଅଞ୍ଚଳରେ ଚୀନ୍ ସେନା ଦ୍ୱାରା ହୋଇଥିବା ଅପରାଧକୁ ନେଇ ଏପ୍ରିଲ-ମେ ମାସରୁ ଭାରତ ଏବଂ ଚୀନ୍ ବିବାଦ ଲାଗି ରହିଛି।