ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ହଟେଇବାକୁ କଂଗ୍ରେସ ନେତୃତ୍ବାଧିନ ରାଜ୍ୟରେ ବିରୋଧ ଜାରି । ସୁପ୍ରିମକୋର୍ଟରେ ଆବେଦନ କଲେ ରାଜସ୍ଥାନ ସରକାର । ମୌଳିକ ଅଧିକାରକୁ ଏହା ଉଲ୍ଲଙ୍ଘନ କରୁଥିବା ନେଇ ଆବେଦନ କରାଯାଇଛି।
ରାଜ୍ୟ ସରକାରଙ୍କ ଏହି ଆବେଦନରେ ଦର୍ଶାଯାଇଛି, ସିଏଏ ଭାରତ ସମ୍ବିଧାନର ଧାରା 14 ଓ 21 ର ଉଲ୍ଲଙ୍ଘନ କରିବା ସହ ଧର୍ମନିରପେକ୍ଷତାର ମୌଳିକ ନୀତିକୁ ମଧ୍ୟ ଏହା ଉଲ୍ଲଙ୍ଘନ କରୁଛି । ତେଣୁ ଏହା ଉପରେ ଶୁଣାଣି କରି ନିଷ୍ପତ୍ତି ନିଆଯାଉ ।
ଗତ ସୋମବାର ତେଲେଙ୍ଗାନାରେ ସିଏଏ, ଏନଆରସି ଓ ଏନପିଆର ବିରୋଧୀ ସଂକଳ୍ପ ପାରିତ କରାଯାଇଛି । ସୂଚନାଯୋଗ୍ୟ, ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ପ୍ରପୀଡିତ ହୋଇ ଭାରତରେ ଶରଣ ପଶିଥିବା ହିନ୍ଦୁ, ଶିଖ, ଜୈନ, ପରସି, ବୁଦ୍ଧ ଓ ଖ୍ରୀଷ୍ଟିଆନଙ୍କୁ ସିଏଏ ନିୟମ ଅନୁଯାୟୀ ନାଗରିକତା ଦିଆଯିବ । ତେବେ ଏଥିରୁ ମୁସଲମାନଙ୍କୁ ବାଦ ଦିଆଯାଇଥିବାରୁ ଏହାକୁ ନେଇ ଦେଶବ୍ୟାପୀ ବିରୋଧ ଦେଖିବାକୁ ମିଳୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ