ଜୟପୁର: ରାଜସ୍ଥାନ ରାଜନୀତିରେ ଗୋଟିଏ ମାସ ଧରି ଚାଲିଥିବା ଅଚଳାବସ୍ଥା ବାକ ବିତଣ୍ଡାର ଅନ୍ତ ଘଟିଛି । ସରକାର ଉପରେ ଥିବା ସଂକଟ ଟଳିଛି । ଗେହଲଟ ନିଜ ଅଭିଜ୍ଞତା ଓ ଦକ୍ଷତା ଦେଖାଇ ସରକାର ବଞ୍ଚାଇବାରେ ସଫଳ ହୋଇଛନ୍ତି । ବାଦ ବିବାଦ କୋର୍ଟ ସବୁ ଲଢେଇର ପରିସମାପ୍ତି ଘଟାଇ ଏବେ ସରକାର କାମ କରିବେ ବୋଲି ରାଜ୍ୟବାସୀ ଆଶା ରଖିଛନ୍ତି ।
କିନ୍ତୁ ଏହି ସମଗ୍ର ଘଟଣା ଏବେ ସରାକାର ଭାଙ୍ଗିବା ଗଢିବାରେ ସିଦ୍ଧହସ୍ତ ବିଜେପି ପାଇଁ ଅନେକ ଆହ୍ବାନ ସୃଷ୍ଟି କରିଛି । ରାଜ୍ୟ ଦଳ ଶାଖା ଯେ ଏକତ୍ରିତ ନାହିଁ ଆଜି ତାହା ସ୍ପଷ୍ଟ ଧରାପଡିଛି । ଯାହାକୁ ନେଇ ଏବେ ରାଜସ୍ଥାନ ଶାଖା ସମେତ କେନ୍ଦ୍ରୀୟ ନେତୃତ୍ବ ପାଇଁ ଚିନ୍ତା ବଢାଇଛି ।
ସୂଚାନ ଅନୁସାରେ ଶୁକ୍ରବାର ଗେହଲଟ ସରକାରଙ୍କ ପକ୍ଷରୁ ଆଗତ ଆସ୍ଥା ପ୍ରସ୍ତାବର ଆଲୋଚନା ପରେ ଠିକ ଭୋଟିଂ ପୂର୍ବରୁ ବିଜେପିର 4 ଜଣ ବିଧାୟକ ହଠାତ ମୋବାଇଲ ବନ୍ଦ କରି କେଉଁଆଡେ ଗାଏବ ହୋଇଯାଇଥିଲେ । ବିଧାନସଭା ମୁଲତବୀ ହେବାପରେ ପୁଣି ପହଞ୍ଚିଥିଲେ । ଯାହା ବିଜେପିକୁ ଜବରଦସ୍ତ ଝଟକା ଲାଗିଛି । ବିଜେପି ବିଧାୟକ କୈଳାଶ ମୀନା, ଗୌତମ ମୀନା, ଗୋପୀଚାନ୍ଦ ମୀନା ଓ ହରେନ୍ଦ୍ର ନୀନାମା ଭୋଟିଂ ପୂର୍ବରୁ ଉଭାନ ହୋଇଯାଇଥିଲେ । ଫଳରେ ବିଜେପି ଆଉ ଗୃହରେ ଭୋଟିଂ ପାଇଁ ଦାବି କରିନଥିଲା ।
ଏହାକୁ ନେଇ ରାଜ୍ୟ ବିଜେପି ସଭାପତି ତଥା ବିଧାୟକ ସତିଶ ପୁନିଆ ବିଧାୟକଙ୍କ ସହ କଥା ହୋଇଛନ୍ତି । ରାଜ୍ୟ ସଭାପତି ସତିଶ ପୁନିଆ ଏହି ପ୍ରସଙ୍ଗକୁ କିନ୍ତୁ ଭିନ୍ନ ଢଙ୍ଗରେ ସଫେଇ ଦେଇଛନ୍ତି । ସତିଶ କହିଛନ୍ତି ଜଣେ ବିଧାୟକଙ୍କ ଗାଡି ଖରାପ ହୋଇଯାଇଥିଲା । ସେ ଗାଡି କାମ କରିବାକୁ ଯାଇଥିଲେ । ଅନ୍ୟ 3 ଜଣ ବିଧାୟକ ବସି ବସି ଥକି ଯାଇଥିଲେ । ସେମାନେ ଘରକୁ ପଳାଇଥିଲେ ।
ତେବେ ସତିଶଙ୍କ ଏହି ସଫେଇ ହିଁରୁ ଦଳର ବିଧାୟକ ଯେ ଏକାଠି ନାହାଁନ୍ତି ତାହା ସ୍ପଷ୍ଟ ହୋଇଛି । ଏଠି ପ୍ରଶ୍ନ ଉଠୁଛି ଯଦି ବିଧାୟକଙ୍କ ଗାଡି ଖରାପ ଥିଲା ବିଧାୟକ ନିଜେ ଗ୍ୟାରେଜ ଯିବାର କୌଣସି ଆବଶ୍ୟକତା ନଥିଲା । ପୁଣି ମୋବାଇଲ କାହିଁକି ବନ୍ଦ କରିଥିଲେ । ସେହିପରି ଅନ୍ୟ 3 ଜଣ ବିଧାୟକ ଆସ୍ଥା ଭୋଟ ପାଇଁ ଆଲୋଚନା ଚାଲିଥିବା ବେଳେ ବସି ବସି ବୋର ହୋଇ ଚାଲିଯିବେ କେମିତି? ଦଳର ହ୍ବୁଇପ ଜାରି ସତ୍ବେ ନରହିବା ଅନେକ ପ୍ରଶ୍ନ ଉଠୁଛି । ପୁଣି ଏମାନେ ମଧ୍ୟ ମୋବାଇଲ ବନ୍ଦ କରିଥିଲେ । ଏହି ସବୁ ଘଟଣାକୁ ନେଇ ଏବେ ରାଜସ୍ଥାନରେ କଂଗ୍ରେସ ବିଜେପିକୁ କଟାକ୍ଷ କରିବା ଆରମ୍ଭ କରିଛି ।
ଅନ୍ୟପଟେ ଏହି ଖବର କେନ୍ଦ୍ରୀୟ ନେତୃତ୍ବ ପାଖରେ ପହଞ୍ଚିବା ପରେ ତୁରନ୍ତ ରିପୋର୍ଟ ମାଗିଥିବା ଜଣାପଡିଛି । ଏହାସହ ଖୁବଶୀଘ୍ର ରାଜ୍ୟନେତାଙ୍କୁ ଦିଲ୍ଲୀ ସମନ କରାଯାଇଥିବା ଜଣାପଡିଛି ।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ