ଜମ୍ମୁ: ପୁଲୱାମାରେ ବିସ୍ଫୋରକ ଭର୍ତ୍ତି କାର ଜବତ ପରେ ଆଉ ଏକ ସଫଳତା । ମିଳିଲା ସଣ୍ଟ୍ରୋ କାର ମାଲିକର ପରିଚୟ । କାରଟି ସୋପିଆନ ଜିଲ୍ଲାର ହିଦାୟତୁଲ୍ଲା ନାମକ ଏକ ବ୍ୟକ୍ତିର । ହିଦାୟତୁଲ୍ଲା 2019ରୁ ହିଜବୁଲ ମୁଜାହିଦ୍ଦିନର ଜଣେ ସକ୍ରିୟ ଆତଙ୍କବାଦୀ । ଗୁରୁବାର ଆତଙ୍କବାଦୀଙ୍କ ଏକ ବଡ ହମଲା ରୋକିବାରେ ସଫଳ ହୋଇଥିଲେ ଭାରତୀୟ ସେନା ।
2019 ଫେବୃୟାରୀ 14ରେ ପୁଲାୱାମା ଆକ୍ରମଣର ପୁନରାବୃତ୍ତି କରିବାକୁ ଷଡଯନ୍ତ୍ର ରଚିଥିଲେ ଆତଙ୍କବାଦୀ । ଯାହାକୁ ପଣ୍ଡ କରି ଦେଇଥିଲେ ଭାରତୀୟ ସୁରକ୍ଷାକର୍ମୀ। ପୁଲୱାମା ପୋଲିସ ସୂଚନା ମିଳିଥିଲା ଯେ, ପୁଲୱାମାରେ ଆତଙ୍କବାଦୀ ହମଲା ହେବାକୁ ଯାଉଛି । ରାତି ପ୍ରାୟ 11 ସମୟରେ ଆୟନାଗୁଣ୍ଡ ଠାରେ ଏକ ଧଳା ସଣ୍ଟ୍ରୋ କାର ଦେଖିବାକୁ ମିଳିଥିଲା । ଏହି କାରରେ 2 ଚକିଆ ଯାନର ନମ୍ବର ପ୍ଲେଟ ଲାଗିଥିଲା ।
ସୁରକ୍ଷା ବାହିନୀ କାରକୁ ଅଟକାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ କାରରେ ବସିଥିବା ଆତଙ୍କବାଦୀ ୟୁ-ଟର୍ଣ୍ଣ ମାରି ପଳାଇବାକୁ ଚେଷ୍ଟା କରିଥିଲେ । ଆତଙ୍କବାଦୀମାନେ କାର ଛାଡି ପଳାଇ ଯାଇଥିଲେ । ତୁରନ୍ତ ଖୋଜାଖୋଜି କରିବା ପରେ କାରରେ ଏକ ବଡ଼ ନୀଳ ଡ୍ରମ୍ ଭର୍ତ୍ତି ବିସ୍ଫୋରକ ସାମଗ୍ରୀ ମିଳିଥିଲା । କାରରେ 40 ରୁ 45 କିଲୋଗ୍ରାମ ବିସ୍ଫୋରକ ସାମଗ୍ରୀ ରହିଥିଲା ।
ତୁରନ୍ତ ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ନିକଟସ୍ଥ ଗାଁକୁ ସ୍ଥାନାନ୍ତର କରାଯିବା ପରେ ଏହି ବିସ୍ଫୋରଣ ସହିତ ବୋମାକୁ ନିଷ୍କ୍ରିୟ କରାଯାଇଥିଲା। ଫଳରେ ଏକ ବଡ ଷଡଯନ୍ତ୍ର ବିଫଳ ହୋଇଯାଇଛି ।