ହାଇଦ୍ରାବାଦ: ପୁଣି ବିବାଦରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ନିଜ ବିରୋଧୀଙ୍କ ଉପରେ ଅପବାଦ ଲଗାଉଥିବାର ଅଭିଯୋଗ ହୋଇଛି । କିନ୍ତୁ ଟ୍ରମ୍ପ ଏହାକୁ ସମ୍ପୂର୍ଣ୍ଣ ଖାରଜ କରି ଟ୍ବିଟରେ ରାଷ୍ଟ୍ରପତି ଶୋଷଣ ବୋଲି କହିଛନ୍ତି। ତେବେ ଏହି ଅଭିଯୋଗ ନିଶ୍ଚିତ ଭାବେ ଆଶ୍ଟର୍ଯ୍ୟଜନକ ।
ଆମେରିକାରେ ମୁଖ୍ୟତଃ ଦୁଇଟି ମୁଖ୍ୟ ରାଜନୈତିକ ଦଳ ଅଛି । ପ୍ରଥମତଃ ଡେମୋକ୍ରାଟ୍ସ ଓ ଦ୍ବିତୀୟରେ ରିପବ୍ଲିକାନ୍ସ । ବର୍ତ୍ତମାନ ଆମେରିକାରେ ରିପବ୍ଲିକାନ୍ସ ସରକାର ଚାଲିଛି । ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ୍ସ ଦଳର ନେତା । ଅନ୍ୟପକ୍ଷେ ଡେମୋକ୍ରାଟ୍ସ ମଧ୍ୟ ଛୋଟିଆ ଦଳ ନୁହେଁ, ଏଥିରେ ଅନେକ ବଡ ବଡ ନେତା ଅଛନ୍ତି । ପୂର୍ବ ରାଷ୍ଟ୍ରପତି ବାରାକ ଓବାମା ଏହି ଦଳର ନେତା । ବର୍ତ୍ତମାନ ଡେମୋକ୍ରାଟ୍ସ 2020 ନିର୍ବାଚନ ପାଇଁ ପ୍ରସ୍ତୁତି କରୁଛି । ଟ୍ରମ୍ପ ବିରୋଧରେ କାହାକୁ ଠିଆ କରେଇବ ସେଥିପାଇଁ ଚର୍ଚ୍ଚା ଥିବା ବେଳେ ଜୋଏ ବିଡେନଙ୍କୁ ଦଳ ଠିଆ କରିପାରେ ବୋଲି ଆଶା କରାଯାଉଛି ।
ଜୋଏ ବିଡେନ, ଆମେରିକାର ଚର୍ଚ୍ଚିତ ଚେହେରା । ବାରାକ ଓବାମା ରାଷ୍ଟ୍ରପତି ଥିବା ବେଳେ ବିଡେନ୍ ଉପ-ରାଷ୍ଟ୍ରପତି ଥିଲେ । ତେବେ ଟ୍ରମ୍ପଙ୍କ ଉପରେ ଲାଗିଥିବା ଅଭିଯୋଗ ବିଷୟରେ ଚର୍ଚ୍ଚା କରିବା । ଟ୍ରମ୍ପଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଜଣେ ଅଜଣା ବ୍ୟକ୍ତି । ସେ ବ୍ୟକ୍ତିଙ୍କ କହିବାନୁସାରେ, ଜୋଏ ବିଡେନଙ୍କ ବ୍ୟକ୍ତିଗତ ମାମଲାରେ ହସ୍ତକ୍ଷେପ କରୁଛନ୍ତି ଟ୍ରମ୍ପ । ଲୁଚିଛପି ଜୋଏଙ୍କ ବିରୋଧରେ ପ୍ରମାଣ ଏକାଠି କରୁଛନ୍ତି, ଯାହାକୁ ସେ 2020 ନିର୍ବାଚନରେ ବ୍ୟବହାର କରିବେ ।
ଜୋଏ ବିଡେନ ଓ ତାଙ୍କ ପୁଅ ୟୁକ୍ରେନରେ ନିଜ ବ୍ୟକ୍ତିଗତ ବ୍ୟବସାୟ କରନ୍ତି । ଏଥିପାଇଁ ତାଙ୍କୁ ବାରମ୍ବାର ୟୁକ୍ରେନ ଯିବାକୁ ପଡେ । ଅଭିଯୋଗ ଅନୁସାରେ, ୟୁକ୍ରେନଙ୍କ ରାଷ୍ଟ୍ରପତିଙ୍କୁ ଜୋର ଦେଇ, ଜୋଏଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି । ୟୁକ୍ରେନରେ ଜୋଏ ଘୋଟାଲା କରୁଛନ୍ତି ଓ କାର୍ଯ୍ୟାନୁଷ୍ଠାନ ନିଆଯଉ ବୋଲି ଫୋନ ଯୋଗେ ଟ୍ରମ୍ପ, ୟୁକ୍ରେନର ରାଷ୍ଟ୍ରପତିଙ୍କୁ ଜୋର କରିଥିଲେ । କିନ୍ତୁ ଏନେଇ ଥିବା ସମସ୍ତ ପ୍ରମାଣର ଖୁଲାସା କରାଯାଇଛି । ଆଉ ଆଶଙ୍କା କରାଯାଉଛି ଯେ, ଟ୍ରମ୍ପଙ୍କୁ ଦଳ ଭିତରୁ ଏହା କେହି କରିଛନ୍ତି ।
ଅଚାନକ ଆମେରିକାର କଂଗ୍ରେସକୁ ଏକ ଚିଠି ମିଳେ, ସେଠାରେ ସମସ୍ତ ପ୍ରମାଣ ସହ ତଥ୍ୟ ଲେଖାହୋଇଥାଏ । ଆମେରିକା ସରକାରକୁ ମୁଖ୍ୟତଃ ତିନିଭାଗରେ ବିଭକ୍ତ କରାଯାଇଛି- କାର୍ଯ୍ୟପାଳକ, ଅଦାଲତ ଓ ସଂସଦ । ଭାରତର କଂଗ୍ରେସ ଏକ ଦଳ ମାତ୍ର ଆମେରିକାର କଂଗ୍ରେସ ଦଳ ନୁହେଁ । ଏମାନେ ସଂସଦକୁ ହିଁ କଂଗ୍ରେସ କହିଥାନ୍ତି । ସଂସଦକୁ ମଧ୍ୟ ଦୁଇ ଭାଗରେ ବିଭକ୍ତ ହୋଇଛି-ରାଜ୍ୟସଭା, ଲୋକସଭା । ତେବେ ଲୋକସଭାର ପ୍ରବକ୍ତା ନାନ୍ସି ପେଲୋସି, ଜଣେ ଡେମୋକ୍ରାଟ । ଟ୍ରମ୍ପଙ୍କ ମାମଲା ଲୋକସଭାରେ ପହଞ୍ଚିବା ପରେ ନାନ୍ସି, ଟ୍ରମ୍ପଙ୍କ ବିରୋଧରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଲେ । ଏହାପରେ ଟ୍ରମ୍ପ ଉପରେ ମାମଲା ରୁଜୁ ହୋଇଛି ।
ଯଦି ଏହା ପ୍ରମାଣିତ ହୋଇଯାଏ କି, ଟ୍ରମ୍ପ ନିଜ ରାଷ୍ଟ୍ରପତି ହେବାର ଫାଇଦା ଉଠେଇଛନ୍ତି ତେବେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ଆସନରୁ ହଟେଇବା ପାଇଁ ଡେମୋକ୍ରାଟ୍ସ ସମସ୍ତ ଚେଷ୍ଟା କରିବ । ଏଥିପାଇଁ କେତେକ ବିଲ୍ ଆଗତ ହେବା ଜରୁରୀ । ଏହାସହ ନେତାଙ୍କ ସମର୍ଥନ ବି ଆବଶ୍ୟକ । ଟ୍ରମ୍ପକୁ ହଟାଇବା ପାଇଁ ପ୍ରଥମେ ଡେମୋକ୍ରାଟ୍ସକୁ ଲୋକସଭାରେ ଏକ ବିଲ ଆଗତ କରିବାକୁ ପଡିବ । ଏଥିରେ ଅଧିକରୁ ଅଧିକ ନେତାଙ୍କ ସମର୍ଥନ ଆଣିବାକୁ ପଡିବ ।
ଲୋକସଭାରେ ଡେମୋକ୍ରାଟ୍ସର 235 ନେତା ଥିବା ବେଳେ ରିପବ୍ଲିକାନ୍ସର 199 ଅଛନ୍ତି । ଲୋକସଭାରେ ପାସ୍ ହେଲା ପରେ ରାଜ୍ୟସଭାରେ ଆଗତ ହେବ । ସେଠାରେ କିନ୍ତୁ ରିପବ୍ଲିକାନ୍ସର 53 ଜଣ ଥିବା ବେଳେ ଡେମୋକ୍ରାଟ୍ସର 45 ନେତା ଅଛନ୍ତି । କେତେକ ନିର୍ଦ୍ଧିଷ୍ଟ ନେତାଙ୍କ ସମର୍ଥନ ଯଦି ମିଳିଯାଏ ତେବେ ଡୋନାଲ୍ଡ ଟ୍ରମ୍ପକୁ ରାଷ୍ଟ୍ରପତି ପଦ ଛାଡିବାକୁ ପଡିବ । ଏପରିକି ଯଦି ରାଜ୍ୟସଭା ଚାହିଁବ ତେବେ ଟ୍ରମ୍ପ ଆଗକୁ କୌଣସି ନିର୍ବାଚନରେ ମଧ୍ୟ ଭାଗ ନେଇପାରିବେ ନାହିଁ ।
ଯଦି ଡୋନାଲ୍ଡ ଟ୍ରମ୍ପଙ୍କୁ ପଦରୁ ବହିସ୍କାର କରାଯାଏ ତେବେ ଭାରତ ଉପରେ ଏହାର ବିଶେଷ ପ୍ରଭାବ ପଡିବ ନାହିଁ । କାରଣ ଭାରତ-ଆମେରିକାର ସମ୍ପର୍କ ସର୍ବଦା ସୁଦୃଢ ଥିଲା । ଆମେରିକାଠାରୁ ଆମେ ଯୁଦ୍ଧ ଅସ୍ତ୍ର କିଣୁଛେ ତେଣୁ ଦେଶ-ଦେଶ ମଧ୍ୟରେ ସମ୍ପର୍କରେ କୌଣସି ହାନି ଆସିବ ନାହିଁ । ମାତ୍ର ଅର୍ଥନୀତିରେ ପରିବର୍ତ୍ତନ ହୋଇପାରେ । ଡୋନାଲ୍ଡ ଟ୍ରମ୍ପ, ଆମେରିକାରେ ଟ୍ୟାକ୍ସକୁ ବହୁ କମ୍ କରିଦେଇଥିଲେ ଫଳରେ ବ୍ୟବସାୟ କ୍ଷେତ୍ରରେ ଅଧିକ ଲାଭ ହେଉଥିଲା ଯଦି ଡେମୋକ୍ରାଟ୍ସ ଶାସନକୁ ଆସେ, ସେ ଟ୍ୟାକ୍ସ ବଢାଇପାରେ ।
ଅନ୍ୟପକ୍ଷେ ଡୋନାଲ୍ଡଙ୍କ ପଦ ରହିବା ନ ରହିବା ବର୍ତ୍ତମାନ ଆମେରିକା ଜନତାଙ୍କ ଉପରେ । କାରଣ ଡେମୋକ୍ରାଟ୍ସ ବର୍ତ୍ତମାନ ଆମେରିକାର ଜନତାଙ୍କୁ ନିଷ୍ପତ୍ତି ନେବାକୁ ଛାଡିଦେଇଛି । ବର୍ତ୍ତମାନ ଦେଖିବାକୁ ବାକି ରହିଲା ଟ୍ରମ୍ପଙ୍କ ଏହି ଗୋଟିଏ ଭୁଲ ତାଙ୍କୁ ପୁଣି 2020 ପଦ ଦେଉଛି ନା 2019ର ଅଧିକାର ବି ଛଡାଇନେଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ