ଥିରୁଅନନ୍ତପୁରମ: ଭାରତୀୟ ତୈଳ ନିଗମ ସହ କେରଳ ସରକାରଙ୍କ ମିଳିତ ଚୁକ୍ତି। ଜେଲ ପରିସର ଭିତରେ ନିର୍ମାଣ ହେବ ପେଟ୍ରୋଲ ପମ୍ପ। କେରଳରେ ବର୍ତ୍ତମାନ ବନ୍ଦୀମାନେ ପେଟ୍ରୋଲ ପମ୍ପରେ କର୍ମଚାରୀ ଭାବରେ କାର୍ଯ୍ୟ କରିବେ। ଏହାସହ ଘରକୁ ଦରମା ପଠାଇ ପାରିବେ। ଜେଲ ଡିଜିପି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ପେଟ୍ରୋଲ ପମ୍ପରେ ଜେଲ ଅନ୍ତେବାସୀଙ୍କୁ ନିଯୁକ୍ତି ଦେବା ପାଇଁ ପଦକ୍ଷେପ ନିଆଯାଇଛି। ଏହାସହ କେରଳରେ ଅନେକ ପ୍ରକଳ୍ପ ରହିଛି ଯେଉଁଥିରେ କଏଦୀମାନେ ଅଂଶ ଗ୍ରହଣ କରୁଛନ୍ତି ଏବଂ ଚାକିରି କରୁଛନ୍ତି।
“15 ଜଣ ଅନ୍ତେବାସୀ ପ୍ରତ୍ୟେକ ପମ୍ପରେ ନିୟୋଜିତ ହେବେ। ଶୁକ୍ରବାର ଠାରୁ ଥିରୁଅନନ୍ତପୁରମ୍, ଭିୟୁର୍ ଏବଂ ଚେମେନି ଜେଲର ଆଉଟଲେଟ୍ କାର୍ଯ୍ୟ ଆରମ୍ଭ ହୋଇଛି। ବନ୍ଦୀମାନେ ଖସିଯିବାକୁ ଚେଷ୍ଟା କରିବେ କି ନାହିଁ ଅନେକ ସନ୍ଦେହ ପ୍ରକଟ କରିଛନ୍ତି। କିନ୍ତୁ ସେମାନଙ୍କ ସହିତ କାମ କରିବା ମୋର ଅଭିଜ୍ଞତା ରହିଛି। କାରଣ ସେମାନେ ରାଜ୍ୟରେ ପାଞ୍ଚଟି କାଫେ ପରିଚାଳନା କରୁଛନ୍ତି ଏବଂ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ବିକ୍ରି କରୁଛନ୍ତି। ଜେଲର ଅନ୍ତେବାସୀମାନେ ଏହାକୁ ସଫଳତାର ସହ COVID-19 ସମୟରେ ଚଳାଉଛନ୍ତି ବୋଲି ସେ କହିଛନ୍ତି।
ଜେଲ ପରିସରରେ ଚାରୋଟି ପେଟ୍ରୋଲ ପମ୍ପ ସ୍ଥାପନ ପାଇଁ ଭାରତୀୟ ତୈଳ ନିଗମ ପ୍ରାୟ 9.5 କୋଟି ଟଙ୍କା ବିନିଯୋଗ କରୁଛି। ପେଟ୍ରୋଲିୟମ ଆଉଟଲେଟ୍ ସ୍ଥାପନ ପାଇଁ ଜେଲ୍ ବିଭାଗ ପକ୍ଷରୁ 30 ଲକ୍ଷ ଟଙ୍କା ଅଂଶ ପ୍ରଦାନ କରାଯାଉଛି।
“ଏହି ଜମି ଭାରତୀୟ ତୈଳ ନିଗମକୁ 30 ବର୍ଷ ପାଇଁ ଲିଜ୍ ଦିଆଯାଇଛି। ବନ୍ଦୀମାନେ ଏଠାରେ ନିୟୋଜିତ ଅଛନ୍ତି ଏବଂ ଏଥିପାଇଁ ସେମାନେ ଆଇଓସିର ପେଟ୍ରୋଲ ପମ୍ପରେ ତାଲିମ ନେଇଥିଲେ ଏବଂ ୟୁନିଫର୍ମ ମଧ୍ୟ ସେମାନଙ୍କ ଦ୍ୱାରା ଯୋଗାଇ ଦିଆଯିବ ବୋଲି ଋଷିରାଜ ସିଂ କହିଛନ୍ତି।
ଥିରୁଅନନ୍ତପୁରମରେ ପ୍ରାୟ 25 , କନ୍ନୁରରେ 39 , ଭିୟୁରରେ 25 ଏବଂ ଚେମେନି ଜେଲରେ 25 ଜଣ କଏଦୀଙ୍କୁ ନିଯୁକ୍ତ ପାଇଁ ପରାମର୍ଶ ଦିଆଯାଇଛି। ଏହା ମାଧ୍ୟମରେ ସରକାର ମାସିକ 5.9 ଲକ୍ଷ ଟଙ୍କା ଭଡା ପାଇବେ। ଭବିଷ୍ୟତରେ ଏକ CNG ଏବଂ ବୈଦ୍ୟୁତିକ ଚାର୍ଜିଂ ଷ୍ଟେସନ୍ ସ୍ଥାପନ କରି ଏହି ପ୍ରକଳ୍ପକୁ ବିସ୍ତାର କରିବାକୁ ଯୋଜନା କରିଛି।