ନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ ମାତୃଭୂମି ପାଇଁ ସର୍ବଦା ସଂଗ୍ରାମ କରିଥିବା ମୁକ୍ତିଯୋଦ୍ଧା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଦିବସ । ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଭବ୍ୟ ଆୟୋଜନ କରୁଛନ୍ତି ମୋଦି ସରକାର । ତେବେ 23 ଜାନୁଆରୀରେ ସୁଭାଷଙ୍କ ସ୍ମୃତିରେ ହେବାକୁ ଥିବା ମୁଖ୍ୟ କାର୍ଯ୍ୟକ୍ରମର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏହି କାର୍ଯ୍ୟକ୍ରମ କୋଲକାତାର ଭିକ୍ଟୋରିଆଲ ହଲରେ ଆୟୋଜନ କରାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ପଟେଲ ।
ନେତାଜୀଙ୍କ ଜନ୍ମ ଦିବସକୁ ପ୍ରତ୍ୟେକ ବର୍ଷ ପରାକ୍ରମ ଦିବସ ରୂପେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ନେତାଜୀଙ୍କ 125 ତମ ଜୟନ୍ତୀ ପାଳନ କରିବାକୁ ସରକାର ଏକ ଉଚ୍ଚ ସ୍ତରୀୟ କମିଟି ମଧ୍ୟ ଗଠନ ହୋଇଛି । ଏହି କମିଟି 23 ଜାନୁଆରୀ 2021ରେ ଆରମ୍ଭ ହେବାକୁ ଥିବା ଗୋଟିଏ ବର୍ଷର ସ୍ମରଣୋତ୍ସବର ଗତିବିଧିର ନିର୍ଣ୍ଣୟ ନେବ ।
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 125ତମ ଜୟନ୍ତୀ ପାଳନ ନେଇ ଗଠିତ ହାଇ ପାଓ୍ବାର କମିଟିରେ ସାମିଲ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହି କମିଟିର ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ମୋଦି । 23 ଜାନୁୟାରୀ, 2021 ରୁ ଏକ ବର୍ଷର ସ୍ମୃତିଚାରଣ ପାଇଁ କାର୍ଯ୍ୟକଳାପ ଉପରେ କମିଟି ନିଷ୍ପତ୍ତି ନେବ। ଉଚ୍ଚସ୍ତରୀୟ କମିଟିରେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ସାମିଲ ।
କମିଟିର ସଦସ୍ୟମାନେ ବିଶେଷଜ୍ଞ, ଐତିହାସିକ, ଲେଖକ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପରିବାର ସଦସ୍ୟ ତଥା ଆଜାଦ ହିନ୍ଦ ଫୌଜ-ଆଇଏନଏ ସହ ଜଡିତ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସାମିଲ କରାଯାଇଛି। ଦିଲ୍ଲୀ, କୋଲକାତା ତଥା ନେତାଜୀ ଏବଂ ଆଜାଦ ହିନ୍ଦ ଫୌଜ ସହ ଜଡିତ ଅନ୍ୟାନ୍ୟ ସ୍ଥାନ ତଥା ଭାରତ ତଥା ବିଦେଶରେ ଏହି କମିଟି ମଧ୍ୟ ମାର୍ଗଦର୍ଶନ ହେବ।
କମିଟିରେ କେତେକ ବିଶିଷ୍ଟ ବ୍ୟକ୍ତିଙ୍କୁ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରେ ସାଂସଦ ଅଧୀର ରଞ୍ଜନ ଚୌଧୁରୀ,ଶରଦ ପାୱାର, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ଗୁଲାମ ନବୀ ଆଜାଦ୍, ଲୋକସଭା ବାଚସ୍ପତୀ ଓମ ବିର୍ଲା, ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ,ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ସଙ୍ଗୀତକାର ଏଆର ରହମାନ, ବଲିଉଡ୍ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ରହିଛନ୍ତି।
ନିକଟରେ ଭାରତ ସରକାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମୂଲ୍ୟବାନ ସ୍ମୃତିକୁ ସଂରକ୍ଷିତ ରଖିବା ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିଥିଲେ । ଲାଲକିଲ୍ଲାରେ ନେତାଜୀଙ୍କର ଏକ ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇଛି, ଯାହାର ଉଦଘାଟନ 23 ଜାନୁଆରୀ 2019ରେ ପ୍ରଧାନମନ୍ତ୍ରୀ କରିଥିଲେ । ଐତିହାସିକ ଭିକ୍ଟୋରିଆ ମେମୋରିଆଲ ଭବନରେ ଏକ ସ୍ଥାୟୀ ପ୍ରଦର୍ଶନୀ ଓ ନେତାଜୀଙ୍କ ଉପରେ ଲାଇଟ ସାଉଣ୍ଡ ଶୋ'ର ସ୍ଥାପନା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ।
2015ରେ ଭାରତ ସରକାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସମ୍ବନ୍ଧିତ ଫାଇଲ ସାର୍ବଜନୀନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । 4 ଡିସେମ୍ବର 2015ରେ 33 ଫାଇଲକୁ ସାର୍ବଜନୀନ କରାଯାଇଥିଲା । ଜନସାଧାରଣଙ୍କ ଦୀର୍ଘ ଦିନର ଦାବିକୁ ପୁରା କରିବା ପାଇଁ 23 ଜାନୁଆରୀ 2016ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ନେତାଜୀଙ୍କ ସମ୍ବନ୍ଧିତ 100 ଫାଇଲର ଡିଜିଟାଲ ପ୍ରକ୍ରିୟା ମଧ୍ୟ ଜାରି କରାଯାଇଥିଲା ।
କେବଳ ଏତିକି ନୁହେଁ, 2018ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଗସ୍ତ ସମୟରେ ନେତାଜୀ ସୁବାଷ ବୋଷଙ୍କ ଦ୍ବାରା ତ୍ରିରଙ୍ଗା ଉଡାଇବାର 75 ତମ ବାର୍ଷିକୀ ଅବସରରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜାଦ ହିନ୍ଦ ଫୌଜର ଅନ୍ତିମ ସରକାରକୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଏହି ସରକାର ଦ୍ବୀପପୁଞ୍ଜରୁ ପ୍ରତିନିଧିତ୍ବ କରିଥିଲା । ପ୍ରଧାନମନ୍ତ୍ରୀ ଆଣ୍ଡାମାନ ଓ ନିକୋବର 3ଟି ଦ୍ବୀପର ନାଁ ମଧ୍ୟ ପରିବର୍ତ୍ତନ କରିଥିଲେ । ରସ୍ ଦ୍ବୀପର ନାଁ ପରିବର୍ତ୍ତନ କରାଯାଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ବୀପ ରଖାଯାଇଥିଲା ।