ପାଟନା: ଜେଡିୟୁରୁ ବିଦା ହୋଇଥିବା ପ୍ରଶାନ୍ତ କିଶୋର ଆଜି(ମଙ୍ଗଳବାର) ବିହାରର ରାଜଧାନୀ ପାଟନାରେ ଏକ ପ୍ରେସ କନଫରେନ୍ସର ଆୟୋଜନ କରିଛନ୍ତି । ଏହି କନଫରେନ୍ସରେ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରଶାନ୍ତ କିଶୋର । ସେ କହିଛନ୍ତି, ‘ ମୁଁ ତାଙ୍କୁ ଆଦର ସମ୍ମାନ କରେ । ମାତ୍ର ଆମର ମତଭେଦ ଗାନ୍ଧୀଙ୍କ ବିଚାରଧାରାକୁ ନେଇ ହୋଇଥିଲା । ଗାନ୍ଧୀ ଓ ଗଡସେ କେବେ ବି ଏକାଠି ରହିପାରିବେ ନାହିଁ ’ । ନୀତିଶ କୁମାର ନାଗରିକତା ସଂଶୋଧନ ଆଇନ ଓ ରାଷ୍ଟ୍ରିୟ ନାଗରିକ ରେଜିଷ୍ଟ୍ରରକୁ ବିରୋଧକୁ ନେଇ ନିକଟରେ ପ୍ରଶାନ୍ତଙ୍କୁ ଦଳରୁ ବହିଷ୍କାର କରିଥିଲେ ।
ସେ କହିଛନ୍ତି, ‘ଲୋକସଭା ନିର୍ବାଚନରୁ ହିଁ ଆମ ମଧ୍ୟରେ ମତଭେଦ ଥିଲା । ପ୍ରଥମ ମତଭେଦ ବିଚାରଧାରାକୁ ନେଇ ଓ ଦ୍ବିତୀୟ ମତଭେଦ ବିଜେପି ସହ ମିଶିବା ’ । ପ୍ରେସ କନଫରେନ୍ସର ଆରମ୍ଭରେ ନୀତିଶ କୁମାର ମତେ ତାଙ୍କ ପୁଅ ଭଳି ରଖିଥିବା ବୋଲି ସେ କହିଛନ୍ତି । ଏହାସହ ପିକେ ମଧ୍ୟ ତାଙ୍କୁ ପିତା ଭଳି ବ୍ୟବହାର କରୁଥିବା କହିଛନ୍ତି । ମତେ ଜେଡିୟୁରୁ ବାହାର କରିବା ନିଷ୍ପତ୍ତି ତାଙ୍କର ଥିଲା, ତେଣୁ ମୁଁ ତାଙ୍କ କଥାରେ ସହମତ ବୋଲି ପିକେ କହିଛନ୍ତି ।
ପ୍ରକାଶଥାଉକି, ଚଳିତ ବର୍ଷ ଶେଷ ବେଳକୁ ବିହାରର ବିଧାନସଭା ନିର୍ବାଚନ । ଏହାକୁ ନେଇ ସବୁ ଦଳ ନିଜ ନିଜ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି । ଅନ୍ୟପକ୍ଷେ ପ୍ରଶାନ୍ତ କିଶୋରଙ୍କୁ ଦଳରୁ ବାହାର କରିବା ଏକ ଗୁରୁତ୍ବପୂର୍ଣ୍ଣ ମୋଡ । ଗତ କିଛିଦିନ ତଳେ ପ୍ରଶାନ୍ତଙ୍କ ଆରଜେଡି କିମ୍ବା କଂଗ୍ରେସରେ ମିଶିବା କଥା ଚର୍ଚ୍ଚା ଚାଲିଥିଲା ମାତ୍ରା ଏହାକୁ ମଧ୍ୟ ଖଣ୍ଡନ କରିଛନ୍ତି ।