ପାଟନା: ଜେଡିୟୁର ପୂର୍ବତନ ନେତା ତଥା ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋରଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । କଣ୍ଟେଟ ଚୋରୀ ଅଭିଯୋଗରେ ତାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଛି ପାଟନା ପୋଲିସ । ବିହାର ମୋତିହାରୀ ଜିଲ୍ଲାର ଶାସ୍ବତ ଗୌତମ ନାମକ ଜଣେ ଯୁବକ ପ୍ରଶାନ୍ତ କିଶୋରଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି ।
ପ୍ରଶାନ୍ତ କିଶୋର ନିଜ ଅଭିଯାନ ‘ବାତ ବିହାର କି’ କାର୍ଯ୍ୟକ୍ରମ ପାଇଁ ଶାଶ୍ବତଙ୍କ କଣ୍ଟେଣ୍ଟ ଚୋରି କରିଥିବା ଅଭିଯୋଗ ହୋଇଛି । ତେଣୁ ଆଇପିସି ଧାରା ୪୨୦ ଆଧାରରେ ତାଙ୍କ ନାଁରେ ଏହି ଏଫଆଇଆର ରୁଜୁ ହୋଇଛି । ଶାସ୍ବତ ଗୌତମଙ୍କ ଅଭିଯୋଗ କ୍ରମେ, ସେ ‘ବାତ ବିହାର କି’ ନାମକ ଏକ ପ୍ରୋଜେକ୍ଟ ଉପରେ କାର୍ଯ୍ୟ କରୁଥିଲେ । ଖୁବ ଶୀଘ୍ର ସେ ଏହି ପ୍ରୋଜେକ୍ଟର ଲଞ୍ଚ ମଧ୍ୟ କରିଥାନ୍ତେ । କିନ୍ତୁ ଏହା ପୂର୍ବରୁ ପ୍ରଶାନ୍ତ କିଶୋର ତାଙ୍କ କଣ୍ଟେଟ ଚୋରି କରି ଏହାକୁ ଲଞ୍ଚ କରିଦେଇଥିଲେ । ଶାଶ୍ବତ ପ୍ରଶାନ୍ତ କିଶୋରଙ୍କ ବ୍ୟତୀତ ଓସାମା ନାମକ ଅନ୍ୟ ଜଣେ ଯୁବକଙ୍କ ବିରୋଧରେ ମଧ୍ୟ କଣ୍ଟେଣ୍ଟ ଚୋରି ଅଭିଯୋଗ ଆଣିଛନ୍ତି । ଓସାମା ତାଙ୍କର ଏହି ପ୍ରୋଜେକ୍ଟ ସହ ଜଡିତ ଥିଲା । କିନ୍ତୁ ଏହା ଲଞ୍ଚ ହେବା ପୂର୍ବରୁ ସେ ଇସ୍ତଫା ଦେଇଥିଲା ବୋଲି ଶାଶ୍ବତ ଅଭିଯୋଗ କରିଛନ୍ତି ।
ତେବେ ଓସାମା ହିଁ ପ୍ରଶାନ୍ତ କିଶୋରଙ୍କୁ ଏହି କଣ୍ଟେଣ୍ଟ ଉପଲବ୍ଧ କରାଇଥିବା ଶାଶ୍ବତ କହିଛନ୍ତି । ସେ ଯେଉଁ ପ୍ରୋଜେକ୍ଟରେ କାମ କରୁଥିଲେ ପ୍ରଶାନ୍ତ କିଶୋର ଅବିକଳ ତାରି ଭଳି ଅଭିଯାନ ଆରମ୍ଭ କରିଥିବା ଶାଶ୍ବତ ଦାବି କରିଛନ୍ତି । ସୂଚନାଯୋଗ୍ୟ, ଜେଡିୟୁରୁ ବାହାରିବା ପରେ ପ୍ରଶାନ୍ତ କିଶୋର ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ ‘ବାତ ବିହାର କି’ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଘୋଷଣା କରିଥିଲେ । ଏହାପରଠାରୁ ସେ ଚର୍ଚ୍ଚାରେ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ