ଶ୍ରୀନଗର: ଭାରତୀୟ ସେନାର ସାହାସ ଓ ବୀରତ୍ୱର କାହାଣୀ ସମସ୍ତଙ୍କୁ ଜଣା । ଭାରତୀୟ ସେନା ହେଉଛି ଭାରତମାତାର ଗର୍ବ ଓ ଗୌରବ । ଏହା ଦେଖିବା ପରେ ଯୁବପୀଢ଼ିଙ୍କ ମନରେ ଭାରତ ମା’ର ସେବା କରିବାକୁ ଅଦମ୍ୟ ଇଚ୍ଛା ସୃଷ୍ଟି ହେଉଥିବା ଦଖିବାକୁ ମିଳିଛି । ଏଭଳି ସ୍ଥିତିରେ ଜମ୍ମୁ-କାଶ୍ମୀରରେ ଯୁବକଙ୍କୁ ସଶସ୍ତ୍ର ବାହିନୀରେ ଯୋଗଦେବାକୁ ଉତ୍ସାହିତ କରୁଛନ୍ତି ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ । ଜମ୍ମୁ କାଶ୍ମୀରର ଆନ୍ତର୍ଜାତୀୟ ସୀମା (ଆଇବି) ନିକଟରେ ଥିବା ଏକ ସହରରେ ଶତାଧିକ ଯୁବକଙ୍କୁ ସଶସ୍ତ୍ର ବାହିନୀରେ ନିଯୁକ୍ତି ପାଇଁ ଏକ 57 ବର୍ଷ ବୟସ୍କ ଅବସରପ୍ରାପ୍ତ ସେନା ଅଧିକାରୀ ତାଲିମ ଦେଉଛନ୍ତି ଏବଂ ସେ ଦିନକୁ ଦୁଇଥର ସ୍ୱେଚ୍ଛାକୃତ ଭାବରେ ତାଙ୍କ ସେବା ଯୋଗାଉଛନ୍ତି ।
କ୍ୟାପ୍ଟେନ ସେର ସିଂହ ଅବସର ପରେ ଯୁବପୀଢ଼ିଙ୍କ ଭବିଷ୍ୟତ ଗଢ଼ିବାରେ ଲାଗିପଡ଼ିଛନ୍ତି । 31 ବର୍ଷ ସେନାରେ ରହିବା ପରେ ସୁଚେତଗଡ ସେକ୍ଟରର ସତ୍ରାୟଣ ସୀମା ଗାଁର ବାସିନ୍ଦା କ୍ୟାପଟେନ ଶେର ସିଂ ସ୍ଥାନୀୟ ଯୁବକମାନଙ୍କ ପାଇଁ ମିଶନ ତାଲିମ ଆରମ୍ଭ କରିଥିଲେ । ୨୦୧୧ରୁ ସେ ଏହି ପ୍ରୟାସ ଆରମ୍ଭ କରିଥିବା ବେଳେ ଏବେ ସେର୍ ସିଂହଙ୍କ ଅଭ୍ୟାସ ଶିବିରରେ ଲାଗୁଛି ଯୁବକ-ଯୁବତୀଙ୍କ ଭିଡ଼ । ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ କ୍ୟାପ୍ଟେନ ସେର ସିଂହଙ୍କ ପାଖରୁ ଟ୍ରେନିଂ ନେବେ ଆଉ ଭାରତୀୟ ସେନାରେ ଯୋଗଦାନ କରି ଭାରତ ମା’ର ସେବା କରିବେ। ଏହି ୯ ବର୍ଷ ମଧ୍ୟରେ କ୍ୟାପ୍ଟେନ୍ ସେର୍ ସିଂହଙ୍କ ଶିବିରରୁ ଯୁବତୀଙ୍କ ସମେତ ୩୬୦୦ ପିଲା ଭାରତୀୟ ସେନାରେ ଭର୍ତ୍ତି ହୋଇସାରିଛନ୍ତି। ଶାରୀରିକ ପ୍ରଶିକ୍ଷଣ ସାଙ୍ଗକୁ ଲିକ୍ଷିତ ପରୀକ୍ଷାରେ ପାସ୍ କରିବା ପାଇଁ ମଧ୍ୟ ପିଲାମାନଙ୍କ ପାଇଁ ମାଗଣାରେ ପଢ଼ିବା ବ୍ୟବସ୍ଥା କରିଛନ୍ତି ସେର ସିଂହ ।
ଅବସର ପୂର୍ବରୁ କେରଳରେ ଚାକିରୀରେ ଥିବା ବେଳେ ୨ ବର୍ଷ ସେଠାକର ପିଲାଙ୍କୁ ସେ ଟ୍ରେନିଂ ଦେଇଛନ୍ତି। ପ୍ରଥମେ ସବୁଦିନ ସନ୍ଧ୍ୟାରେ ପିଲାମାନଙ୍କୁ ପ୍ରଶିକ୍ଷଣ ଦେଉଥିଲେ ସେର ସିଂହ। ପରେପରେ ଲୋକପ୍ରିୟତା ବଢ଼ିବା ପରେ ଲକ୍ଷହୀନ ଯୁବକ-ଯୁବତୀଙ୍କ ଭିଡ଼ ଜମିବାରୁ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଟ୍ରେନିଂ ଆରମ୍ଭ କରିଥିଲେ । ଏନେଇ ଜଣେ ପ୍ରଶିକ୍ଷକ ଗୌରବ ଚୌଧୁରୀ ସେର ସିଂହଙ୍କ ଖୁବ ପ୍ରଶଂସା କରି କହିଛନ୍ତି ଯେ, ସେମାନେ ଉଭୟ ଶାରୀରିକ ଏବଂ ଏକାଡେମିକ୍ ତାଲିମ ନେଉଛନ୍ତି ଯାହା ସେମାନଙ୍କୁ ନିଯୁକ୍ତି କରାଇବାରେ ସାହାଯ୍ୟ କରିବ ।