ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ଵାରା ଉପସ୍ଥାପିତ ବଜେଟ୍ ୨୦୨୦-୨୧ରେ ଦର୍ଶାଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜନୀତିକ ଉଦ୍ଦେଶ୍ୟସବୁ ଅର୍ଥନୀତି ବିଶାରଦଙ୍କୁ ଉତ୍ସାହିତ କରିପାରିନାହିଁ । କାରଣ ସେମାନଙ୍କ ମତରେ ସାମ୍ପ୍ରତିକ ପରିସ୍ଥିତିରେ ଅର୍ଥନୀତିରେ ସୁଧାର ଆଣିବା ଲାଗି ଯେଉଁ ପ୍ରକାର ଅର୍ଥନୀତିକ ସଂସ୍କାରର ଆବଶ୍ୟକ ଥିଲା ଅଥବା ସ୍ଵପ୍ନର ବଜେଟ୍ ପ୍ରସ୍ତୁତ କରି ଅର୍ଥନୀତିକ ମାନ୍ଦାବସ୍ଥାରୁ ମୁକ୍ତ ଦେବାର ଆଶା ଥିଲା, ସେସବୁ କିଛି ହୋଇପାରି ନାହିଁ । ପ୍ରଚଳିତ ଦୀର୍ଘକାଳୀନ କ୍ୟାପିଟାଲ୍ ଗେନ୍ ଟିକସ ବ୍ୟବସ୍ଥାର ଉଚ୍ଛେଦ ପାଇଁ ଶିଳ୍ପ ତଥା କର୍ପୋରେଟ୍ ଜଗତ ଆଶା କରିଥିବାବେଳେ ସେମିତି କିଛି ନ ଘଟିବା, ସମଗ୍ର ବଜାରକୁ ଉଦାସ କରିଛି। ଯାହାଦ୍ଵାରା ବଜେଟ୍ ଉପସ୍ଥାପନ ଦିନ ହିଁ ସେନ୍ସେକ୍ସ ଯଥେଷ୍ଟ ତଳକୁ ଖସିଥିଲା ଆଉ ବଜାରରେ ମାନ୍ଦାବସ୍ଥା ଦେଖିବାକୁ ମିଳିଥିଲା।
ଯେଉଁମାନେ ମୋଦିଙ୍କୁ ଜାଣିଛନ୍ତି ସେମାନେ ବେଶ୍ ସ୍ପଷ୍ଟ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହା ରାଓଙ୍କ ଦ୍ଵାରା ୧୯୯୧ରେ ପ୍ରଦର୍ଶିତ ଅର୍ଥନୀତିକ ରାସ୍ତାରେ ମୋଦି ଚାଲିବା ଲୋକ ନୁହଁନ୍ତି, ସେ କିଛି ନୂଆ କରିବାକୁ ଚାହିଁଥାଆନ୍ତି। ଏହା ନିଶ୍ଚିତ ଯେ, ମୋଦି ସରକାର ପ୍ରଚଳିତ ଆୟକର ସ୍ଲାବ୍ରେ ଏଥର ପରିବର୍ତ୍ତନ ଆଣିଛନ୍ତି । ଆଉ ଏହାଦ୍ଵାରା ସରକାରଙ୍କ ପ୍ରାୟ ୪୦ହଜାର କୋଟି ଟଙ୍କାର ରାଜସ୍ଵ କ୍ଷତି ହେବ। ସେହିପରି ଭିତ୍ତିଭୂମି କ୍ଷେତ୍ରରେ ନିବେଶକୁ ପ୍ରୋତ୍ସାହନ ଦେବା ଲାଗି ସେଭେରାଇନ୍ ଓ୍ବେଲଥ୍ ଫଣ୍ଡରେ ୧୦୦ ପ୍ରତିଶତ ଟିକସ ଛାଡ଼ ଘୋଷଣା କରାଯାଇଛି। ଏହି ଟିକସ ଛାଡ଼ ସହ ବିଦେଶୀ ତଥା ସୋଭେରାଇନ୍ ନିବେଶକଙ୍କୁ ଭିତ୍ତିଭୂମି କ୍ଷେତ୍ରରେ ଅଧିକରୁ ଅଧିକ ପୁଞ୍ଜି ନିବେଶ ଲାଗି ସରକାର ଡିଭିଡେଣ୍ଟ ଡିଷ୍ଟ୍ରିବ୍ୟୁସନ୍ ଟିକସ ( ଡିଡିଟି) ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିଛନ୍ତି। ଏହି ପ୍ରକାର ଟିକସ କୋହଳ ଏବଂ ଛାଡ଼ ସରକାରଙ୍କୁ ବଡ଼ ରାଜସ୍ଵ କ୍ଷତି ଆଣିପାରେ, କିନ୍ତୁ ଏପରି ନିଷ୍ପତ୍ତି ଗ୍ରହଣ କରି ସରକାର ଆଶା କରିଛନ୍ତି ଯେ, ଏହା ଦ୍ଵାରା ଭାରତ ଅଧିକରୁ ଅଧିକ ବିଦେଶୀ ନିବେଶକଙ୍କୁ ଭିତ୍ତିଭୂମି କ୍ଷେତ୍ରର ବିକାଶ ଲାଗି ଆକର୍ଷିତ କରିପାରିବେ। ଏହାଦ୍ଵାରା ଦେଶରେ ବିଶ୍ଵସ୍ତରୀୟ ଭିତ୍ତିଭୂମି ବିକଶିତ ହୋଇପାରିବ, ଯାହାର ପରିମାଣ ଆସନ୍ତା ୪ ବର୍ଷରେ ୧ ଟ୍ରିଲିୟନ୍ ଡଲାରରେ ପହଞ୍ଚିବ ବୋଲି ଆଶା କରାଯାଇଛି।
ସରକାର ଏହି ବଜେଟ୍ରେ ଟିକସ କ୍ଷମା ବ୍ୟବସ୍ଥା ମଧ୍ୟ ଆରମ୍ଭ କରିବାକୁ ପ୍ରସ୍ତାବ ରଖିଛନ୍ତି। ଯୋଜନାର ନାଁ ରହିଛି ‘ ବିବାଦ ସେ ବିଶ୍ଵାସ’। ଏହି ଯୋଜନା ଦ୍ଵାରା ସରକାର ପ୍ରତ୍ୟକ୍ଷ କର ସମ୍ପର୍କିତ ୪ଲକ୍ଷ ୯୦ ହଜାର ବିବାଦର ସମାଧାନ କରିବାକୁ ଚାହିଁଛନ୍ତି। ସମ୍ପୃକ୍ତ ବ୍ୟକ୍ତି ବା ଅନୁଷ୍ଠାନ ଉପରେ ଲାଗିଥିବା ଜୋରିମାନା ଓ ତାହାର ସୁଧକୁ ଉଠାଇ ଏହି ସରକାର ସେମାନଙ୍କୁ କ୍ଷମା କରିବେ। କିନ୍ତୁ ଏସବୁ ବ୍ୟବସ୍ଥାକୁ ଉହ୍ୟ କରି ଆୟକର ବ୍ୟବସ୍ଥାର ସରଳୀକରଣ ଏବଂ ଟିକସ ଦାତାଙ୍କୁ ଉଶ୍ଵାସ ଥିଲା ବଜେଟ୍ ପରବର୍ତ୍ତୀ ଖବରର ମୁଖ୍ୟ ଶିରୋନାମା ।
ବ୍ୟକ୍ତିଗତ ଆୟକର ପଇଠ ବ୍ୟବସ୍ଥାକୁ ଅଧିକ ସରଳୀକରଣ କରିବାକୁ ଯାଇ ଏହି ବଜେଟ୍ରେ ସରକାର ଆୟକର ହାରକୁ ଯଥେଷ୍ଟ କମାଇଛନ୍ତି। ବ୍ୟବସ୍ଥା ଅନୁସାରେ ଯେଉଁମାନେ ବିଭିନ୍ନ ପ୍ରକାର କର କାଟ୍ ତଥା ରିହାତିକୁ ଭୁଲି ଯାଆନ୍ତି ସେମାନଙ୍କ ପାଇଁ ଏହା ଆଉ ଏକ ସୁଖବର ହୋଇପାରିବ। କାରଣ ଏହି ବଜେଟ୍ରେ ପୂର୍ବରୁ ଆୟକର ପାଇଁ ଲାଗୁ ହେଉଥିବା ପ୍ରାୟ ୭୦ଟି ଟିକସ ରିହାତି ବା ଟିକସ କାଟ୍( ଏକ୍ଜେମ୍ପସନ୍ସ କିମ୍ବା ଡିଡକ୍ସନ୍ସ)କୁ ସରକାର ଉଠାଇ ଦେଇଛନ୍ତି। ଏହି କ୍ରମରେ ଆୟକରଦାତାଙ୍କ ଲାଗି ପୂର୍ବରୁ ୧୦୦ରୁ ଅଧିକ ଟିକସ ରିହାତି ବା ଟିକସ କାଟ୍ ବିଷୟ ଅନ୍ତର୍ଭୁକ୍ତ କରାଯାଇଥିଲା। ଅନ୍ୟ ଯେଉଁ ପ୍ରକାର ଡିଡକ୍ସନ୍ ତଥା ଏକେ୍ଜେମ୍ପସନ୍ସ ବ୍ୟବସ୍ଥା ଲାଗୁ ରହିବ ତାହାକୁ ଆସନ୍ତା ବର୍ଷଗୁଡ଼ିକରେ ସମୀକ୍ଷା କରାଯିବ। ଯଦି ଆବଶ୍ୟକ ପଡ଼ିବ ସେଗୁଡ଼ିକର ଉଚ୍ଛେଦ ପାଇଁ ମଧ୍ୟ ସରକାର ଚିନ୍ତା କରିପାରନ୍ତି। ଏହାବାଦ୍ ବ୍ୟକ୍ତିଗତ ଆୟକର ବ୍ୟବସ୍ଥାକୁ ସରଳୀକରଣ କରିବା ଲାଗି ସରକାର କମ୍ ଟିକମ୍ ଲାଗୁ ବି ଘୋଷଣା କରିପାରନ୍ତି। ଆଲୋଚନା ହେଉଛି ଯେ, କେନ୍ଦ୍ର ସରକାର ନିରୀହ ଟିକସଦାତାଙ୍କ ଲାଗି ନୂଆ ଟିକସ ଦାତା ଚାର୍ଟର ବା ନିୟମ ଆଣିବା ଯୋଜନା ରଖିଛନ୍ତି।
ଏହି ବଜେଟ୍ରେ ବ୍ୟାଙ୍କ୍ ତଥା ବ୍ୟାଙ୍କିଙ୍ଗ୍ ପ୍ରତିଷ୍ଠାନଗୁଡ଼ିକରେ ସାଧାରଣ ଲୋକଙ୍କ ଜମାରାଶିକୁ ସୁରକ୍ଷିତ ରଖିବା ତଥା ଜମାକାରୀଙ୍କ ସ୍ଵାର୍ଥ ରକ୍ଷା ଲାଗି ସରକାର ଆଶ୍ଵସ୍ତି ପ୍ରଦାନ କରିଛନ୍ତି। ଜମାବାବଦ ବୀମା ସୀମାକୁ ୧ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ଦ୍ଵାରା ବ୍ୟାଙ୍କ୍ ବା ସମ୍ପୃକ୍ତ ଅନୁଷ୍ଠାନ ଦେବାଳିଆ ହେଲେ ମଧ୍ୟ ଜମାକାରୀଙ୍କ ୫ ଲକ୍ଷ ଟଙ୍କା ଜମା ରାଶି ମିଳିବା ନିଶ୍ଚିତ ହୋଇଛି। ବିଶେଷକରି ମଧ୍ୟବିତ୍ତ ପରିବାରଙ୍କ ପାଇଁ ଏହା ଅଧିକ ସହାୟକ ହେବ। ଯେଉଁମାନେ ବିଭିନ୍ନ ପ୍ରକାର ବ୍ୟାଙ୍କ୍ ଜାଲିଆତିର ପ୍ରଭାବିତ ହୋଇଥିଲେ। ପୂର୍ବରୁ ପ୍ରଚଳିତ ଡିପୋଜିଟ୍ ଇନ୍ସ୍ୟୁରାନ୍ସ ଏବଂ ଋଣ ଗ୍ୟାରେଣ୍ଟି କର୍ପୋରେସନ୍ ( ଡିଆଇଜିସି) ୧ ଲକ୍ଷ ଟଙ୍କା ଯାଏଁ ଜମା ଲାଗି ବୀମା ପ୍ରଦାନ କରୁଥିଲେ। ଏବେ ତାହାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।
ମୋଦିଙ୍କ ଦୂରଦୃଷ୍ଟିକୁ ବାସ୍ତବରେ ପରିଣତ କରିବା ଲାଗି କିଛି ନିର୍ଦ୍ଦିଷ୍ଟ କ୍ଷେତ୍ରକୁ ଅର୍ଥମନ୍ତ୍ରୀ ସୀତାରମଣ ଗୁରୁ୍ବ ପ୍ରଦାନ କରି ଅଧିକ ରାଶି ଆବଣ୍ଟନ କରିଛନ୍ତି। ଏହି ବିଶାଳ ଆବଣ୍ଟନ ସମ୍ପୃକ୍ତ କ୍ଷେତ୍ରରେ ଆଉ କିଛିଦିନ ଭିତରେ ପ୍ରଭାବ ପକାଇବ ବୋଲି ଆକଳନ କରାଯାଉଛି। କିନ୍ତୁ ବଜେଟ୍ ଉପସ୍ଥାପନ ହେବାର କିଛି କ୍ଷଣ ଭିତରେ ସେନ୍ସେକ୍ସ ଅପ୍ରତ୍ୟାଶିତ ଭାବେ ତଳକୁ ଖସିବାକୁ ଦେଖି ମୋଦି ନିଜ ବଜେଟ୍ ପ୍ରତ୍ରିକ୍ରିୟାରେ ଦେଶବାସୀଙ୍କୁ କହିଛନ୍ତି ଯେ, ଏହି ବଜେଟ୍ ହେଉଛି ‘ସବ୍କା ସାଥ‘ ବଜେଟ୍। ଏହି ବଜେଟ୍ରେ ଉଭୟ ଦୂର ଦୃଷ୍ଟି ଓ କାର୍ଯ୍ୟାନ୍ବୟନ ଯୋଜନା ସାମିଲ୍ ରହିଛି।
ବଜେଟ୍ରେ ଘୋଷଣା କରାଯାଇଥିବା ନୂଆ ସଂସ୍କାର ଘୋଷଣା ସବୁ ଅର୍ଥନୀତିକୁ ଦ୍ରୁତଗତିରେ ଆଗକୁ ବଢ଼ିବାରେ ସହାୟକ ହେବା ସହ ନାଗରିକଙ୍କୁ ଅର୍ଥନୀତିକ ଦୃଷ୍ଟିକୋଣରୁ ସଶକ୍ତ କରିବ ଏବଂ ଦେଶର ଅର୍ଥନୀତିକ ଭିତ୍ତିଭୂମିକୁ ଆସନ୍ତା ଦଶନ୍ଧିରେ ଅଧିକ ମଜଭୁତ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶା କରିଛନ୍ତି।
ଏହି ବଜେଟ୍ରେ କୃଷକଙ୍କ ଆୟକୁ ୨୦୨୨ ସୁଦ୍ଧା ଦ୍ଵିଗୁଣିତ କରିବା ଲକ୍ଷ୍ୟ ରଖାଯାଇଛି। ଏହି କ୍ରମରେ ଜଳସେଚନ କ୍ଷେତ୍ରରେ ଅଧିକ ଖର୍ଚ୍ଚ ପାଇଁ ପାଣ୍ଠି ଆବଣ୍ଟନ କରାଯାଇଛି। ଏହାଦ୍ଵାରା ଗ୍ରାମାଞ୍ଚଳ ଅର୍ଥନୀତି ବିକଶିତ ହେବାର ଲକ୍ଷ୍ୟ ରହିଛି। ଯେଉଁଥିରୁ ସ୍ପଷ୍ଟ ହେଉଛି ଯେ, ପ୍ରଧାନମନ୍ତ୍ରୀଙ୍କ ହୃଦୟ ଗ୍ରାମାଞ୍ଚଳର ବିକାଶକୁ ଅଧିକ ଧ୍ୟାନ ଦେଉଛି ।
ହଁ, ଏହି ବଜେଟ୍ ଷ୍ଟାର୍ଟଅପ୍କୁ ମଧ୍ୟ ଗୁରୁତ୍ଵ ଦେଇ ଯୁବାବର୍ଗଙ୍କ ଆଶା ଓ ଆକାଂକ୍ଷାକୁ ଚରିତାର୍ଥ କରିବା ଲାଗି ସୁଯୋଗ ସୃଷ୍ଟି କରିଛି। ଏହାଦ୍ଵାରା ଯୁବାଗୋଷ୍ଠୀ ଚାକିରି ଖୋଜିବା ଅପେକ୍ଷା ଚାକିରି ଦେବା ଲାଗି ଆନ୍ତ୍ରପ୍ରିନ୍ୟୋର ହେବାକୁ ଉତ୍ସାହିତ ହେବେ। ଅବଶ୍ୟ ଏହା ଠିକ୍ ଯେ, ମୋଦିଙ୍କ ସମାଲୋଚକମାନେ ଏହି ବଜେଟ୍ରେ କେତେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ତାହାକୁ ସ୍ପଷ୍ଟ କରି ନାହାଁନ୍ତି ବୋଲି କହିଛନ୍ତି ।
କିନ୍ତୁ ଉଭୟ ମୋଦି ଓ ସୀତାରମଣ ଏହା ସ୍ପଷ୍ଟ କରିଛନ୍ତି ଯେ, କୃଷି, ଭିତ୍ତିଭୂମି, ବୟନ ଏବଂ ଟେକ୍ନୋଲୋଜି, ଏହି ଚାରି କ୍ଷେତ୍ର ହେଉଛି ନିଯୁକ୍ତି ପ୍ରଦାନର ପ୍ରମୁଖ କ୍ଷେତ୍ର। ଏଣୁ ସରକାର ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ଏହି ଚାରି କ୍ଷେତ୍ରକୁ ବଜେଟ୍ରେ ଧ୍ୟାନ ଦେଇଛନ୍ତି। ଉଡ଼ାଣ ଯୋଜନା ଅଧୀନରେ ଦେଶରେ ୨୦୨୪ ସୁଦ୍ଧା ୧୦୦ ଅଧିକ ବିମାନବନ୍ଦର ନିର୍ମାଣ, ପିପିପି ମୋଡ୍ରେ ୧୫୦ ଅଧିକ ଯାତ୍ରୀବାହୀ ଟ୍ରେନ୍ ପରିଚାଳନା ପ୍ରଭୃତି ଯୋଜନା ଦ୍ଵାରା ଦେଶର ଭିତ୍ତିଭୂମି କ୍ଷେତ୍ର ପ୍ରୋତ୍ସାହିତ ହୋଇପାରିବ ବୋଲି ଆଶା କରାଯାଇଛି।
ସୀତାରମଣ ବଜେଟ୍ ଉପସ୍ଥାପନବେଳେ ମୋଦିଙ୍କ ରାଜନୀତିକ ଲକ୍ଷ୍ୟକୁ ପୂରଣ କରିବା ଲାଗି ଗୁରୁତ୍ଵ ଦେଇଛନ୍ତି । ଯେତେବେଳେ ସେ କହିଥିଲେ ଯେ, ’ ଆମ ପ୍ରଧାନମନ୍ତ୍ରୀ ସକଳ ଜନତାଙ୍କ ପକ୍ଷରୁ ସହଜ ଜୀବନଧାରଣ ତଥ୍ୟର ଜୀବନଧାରଣ ମାନରେ ଉନ୍ନତି ଚାହୁଁଛନ୍ତି’ ସେତେବେଳେ ଏହା ସ୍ପଷ୍ଟ ହୋଇଛି।
ନୂଆ କୃଷକ ସହାୟକ ଯୋଜନାଗୁଡ଼ିକୁ ଉପସ୍ଥାପନ କରୁଥିବା ସମୟରେ ଏହି ଲକ୍ଷ୍ୟ ପୂରଣ ଲାଗି ପଦକ୍ଷେପ ଗୁଡ଼ିକ ବାରି ହୋଇ ପଡ଼ିଛି। ସରକାର ଲକ୍ଷ୍ୟ ରଖିଛନ୍ତି ଯେ, କୃଷକଙ୍କୁ ଚାଷ କାର୍ଯ୍ୟ ଲାଗି ୨୦୨୦-୨୧ରେ ୧୫ ଲକ୍ଷ କୋଟି ଟଙ୍କାର ଋଣ ସହାୟତା ପ୍ରଦାନ କରିବେ। ଏହାସହ ନଶ୍ଵର କୃଷି ଉତ୍ପାଦକୁ ସୁରକ୍ଷିତ ଭାବେ ଠିକଣା ସ୍ଥାନରେ ପହଞ୍ଚାଇବା ତଥା ତାହାର ବଜାର ପରିବ୍ୟାପ୍ତି ପାଇଁ ସ୍ଵତନ୍ତ୍ର ‘କିଶାନ୍ ରେଲ୍’ ଏବଂ ‘କୃଷି ଉଡ଼ାନ’ ପ୍ରଚଳନ ପ୍ରଭୃତି ଏଥିରେ ଅନ୍ତର୍ଭୁକ୍ତ। ସେହିପରି ୨୦ ଲକ୍ଷ କୃଷକଙ୍କୁ ସେମାନଙ୍କ ନିଜସ୍ଵ ସୌର ପମ୍ପ ସ୍ଥାପନ ଲାଗି ସରକାର ପ୍ରଧାନମନ୍ତ୍ରୀ କୁସୁମ ଯୋଜନାରେ ସହାୟତା ପ୍ରଦାନ କରିବେ।
ମୋଦି ସରକାର ନିଯୁକ୍ତି କ୍ଷେତ୍ରରେ ଯୁବାବର୍ଗଙ୍କୁ ତଥା ଆଶାୟୀଙ୍କ ସହାୟତା ନିମନ୍ତେ ଏକ ସ୍ଵତନ୍ତ୍ର ଜାତୀୟ ନିଯୁକ୍ତି ସେଲ୍ ପ୍ରଚଳନ ଘୋଷଣା କରିଛନ୍ତି। ଏହାଦ୍ଵାରା ଆଶାୟୀଙ୍କୁ ବାରମ୍ବାର ବିଭିନ୍ନ ପ୍ରକାର ପ୍ରତିଦ୍ଵନ୍ଦ୍ଵିତାମୂଳକ ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ଏକକ ପରୀକ୍ଷା ମାଧ୍ୟମରେ ଆଶାୟୀଙ୍କ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଥିରେ ସରକାରୀ କ୍ଷେତ୍ରରେ ବିଭିନ୍ନ ସବ୍ଅର୍ଡ଼ିନେଟ୍ ଷ୍ଟାଫ୍ଙ୍କୁ ନିଯୁକ୍ତି କରାଯିବ।
ଯେତେବେଳେ ସୀତାରମଣ ବଜେଟ୍ ଉପସ୍ଥାପନ ସମୟରେ ତିନୋଟି ପ୍ରମୁଖ ବିଷୟକୁ ଧ୍ୟାନ ଦିଆଯାଇଥିବା କଥା ଉପସ୍ଥାପନ କରୁଥିଲେ, ଲାଗୁଥିଲା ସେ ପ୍ରଧାମନ୍ତ୍ରୀଙ୍କ ‘ ଆକାଂକ୍ଷା ଭାରତ’ ରାଜନୀତିକ ସ୍ଲୋଗାନ୍କୁ ସେ ବାସ୍ତବ ରୂପ ଦେବାକୁ ଚେଷ୍ଟା କରୁଛନ୍ତି। ମୋଦିଙ୍କ ଅନୁସାରେ, ଆକାଂକ୍ଷା ଭାରତ ହେଉଛି ଏମିତି ଏକ ଲକ୍ଷ୍ୟ ଯେଉଁଥିରେ ସମସ୍ତ ନାଗରିକଙ୍କ ଜୀବନଧାରଣର ମାନ ବିକଶିତ ହେବ। ସେମାନେ ଭଲ ଶିକ୍ଷା ପାଇବାକୁ ସମର୍ଥ ହେଉଥିବେ ଏବଂ ତାଙ୍କ ପାଖରେ ନିଯୁକ୍ତି ସୁଯୋଗ ଥିବ। ଏହି ତିନୋଟି ମୂଳ ଲକ୍ଷ୍ୟ ଦୁର୍ନୀତି ମୁକ୍ତ, ନୀତି ଦ୍ଵାରା ଚାଲୁଥିବା ପ୍ରଶାସନ ଏବଂ ସ୍ଵଚ୍ଛ ଓ ସୁସ୍ଥ ଅର୍ଥନୀତି ଦ୍ଵାରା ସମ୍ଭବ ହୋଇପାରିବ।
ସରକାର ସ୍ଥାନୀୟ କ୍ଷେତ୍ରରେ ଉତ୍ପାଦନ ବଢ଼ାଇବା ଲାଗି ବିଦେଶୀ ଆମଦାନୀ ଉପରେ ରୋକ୍ ଲଗାଇବାକୁ ଚାହିଁଛନ୍ତି। ଏହି ପ୍ରକାର ଉତ୍ପାଦନ ଉପରେ ଅଧିକ ସୀମା ଶୁଳ୍କ ଲାଗୁ କରାଯାଇଛି। ଏହାଦ୍ଵାରା ଆମ ଦେଶରେ ଉତ୍ପାଦନ ବଢ଼ିବା ସହ ଆମ ଦେଶର ଉତ୍ପାଦ ପାଇଁ ବଜାର ସୃଷ୍ଟି ହେବ। ସରକାରଙ୍କ ଏହି ନିୟମ ଚୀନ ପରି ରାଷ୍ଟ୍ରର ‘ଡମ୍ପିଂ’ ନୀତିକୁ ଅବରୋଧ କରିବ। ଏହା ଠିକ୍ ଯେ, ସରକାରଙ୍କ ଏହି ପ୍ରୟାସ ଦ୍ଵାରା ଅନୁରୂପ ପ୍ରତିରୋଧ ଅନ୍ୟ ଦେଶରୁ ମିଳିପାରେ। ଅର୍ଥାତ୍ ଭାରତୀୟ ରପ୍ତାନୀ ପାଇଁ ଉଦ୍ଦିଷ୍ଟ ବିଦେଶୀ ବଜାର ମଧ୍ୟ ଅନୁରୂପ ପ୍ରତିରୋଧ ଶୁଳ୍କ ଲଗାଇ ପାରନ୍ତି। କିନ୍ତୁ, ଏହା ମନେ ରଖିବାକୁ ହେବ ଯେ, ସବୁଠାରୁ ଆଗରେ ହେଉଛି ଭାରତୀୟ ବ୍ୟବସାୟ। ଏଣୁ ବିଦେଶୀ କଟକଣାକୁ ଆଶଙ୍କା କରି ଆମ ଦେଶରେ ସ୍ଵଦେଶୀ ଉତ୍ପାଦର ଉତ୍ପାଦନ ଓ ବିକ୍ରି ରାସ୍ତାକୁ ଅବରୋଧ କରାଯାଇନପାରେ।
ବରିଷ୍ଠ ସାମ୍ବାଦିକ, ଶେଖର ଆୟାର