ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ 20ରେ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ 'ପରୀକ୍ଷା ପେ ଚର୍ଚ୍ଚା'କରିବେ । ପୂର୍ବରୁ 16 ଜାନୁଆରୀରେ ମୋଦିଙ୍କର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବାର ଥିଲା । ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ବୁଧବାର ରାତିରେ ବୟାନ ଜାରି କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ପରିବର୍ତ୍ତନ ନେଇ ସୂଚନା ଦେଇଛନ୍ତି ।
ଓନମ, ମକର ସଂକ୍ରାନ୍ତି, ପୋଙ୍ଗଲ ତଥା ଲୋହରୀ ଉତ୍ସବକୁ ଦୃଷ୍ଟିରେ ରଖି ପରୀକ୍ଷା ପେ ଚର୍ଚ୍ଚା ତାରିଖର ପରିବର୍ତ୍ତନ କରାଯାଇଛି । ଅନ୍ୟପକ୍ଷେ ଏହି କାର୍ଯ୍ୟକ୍ରମ 16 ଜାନୁଆରୀକୁ ହେବା ନେଇ ବିପକ୍ଷ ଆପତ୍ତି ଜାହିର କରିଥିଲା । ଏହି ଦିନ ପୋଙ୍ଗଲ ପଡୁଛି, ଯାହାକି ତାମିଲନାଡୁର ଏକ ବଡ ପର୍ବ । ପୋଙ୍ଗଲ ଅବସରରେ ଏହି କାର୍ଯ୍ୟକ୍ରମ ହେବା ନେଇ ଡିଏମକେ ନିନ୍ଦା କରିଥିଲା ।
ଛାତ୍ରଛାତ୍ରୀଙ୍କ ମନୋବଳ ବଢାଇବା ସହ ପରୀକ୍ଷାର ଚିନ୍ତା ଦୂର କରିବା ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । କାର୍ଯ୍ୟକ୍ରମକୁ ନେଇ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ପ୍ରବନ୍ଧ ପ୍ରତିଯୋଗିତା ମଧ୍ୟ ରଖିଛି ।