ନୂଆଦିଲ୍ଲୀ: ବାଂଲାଦେଶ ପ୍ରତିପକ୍ଷଙ୍କ ସହ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କଥାବାର୍ତ୍ତା କରିଛନ୍ତି । ଟେଲିଫୋନରେ ଶେଖ ହସିନାଙ୍କ ସହ ମୋଦି କୋଭିଡ 19 ବିଷୟରେ ଆଲୋଚନା କରିଥିଲେ । ଏହାସହ ସେ ବାତ୍ୟା ଅମ୍ଫାନରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରିଥିଲେ ।
ପିଏମଓ ପକ୍ଷରୁ ରିଲିଜ ଏକ ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି । ମୋଦି ବାଂଲାଦେଶରେ ଅମ୍ଫାନ ଯୋଗୁଁ ଘଟିଥିବା କ୍ଷୟକ୍ଷତି ବିଷୟରେ ପଚାରି ବୁଝିଥିଲେ । ଏହାସହ ଭାରତରେ ବାତ୍ୟା ଫଳରେ ଘଟିଥିବା ସମସ୍ୟା ସମ୍ପର୍କରେ ମଧ୍ୟ ସେ ହସିନାଙ୍କୁ ଜଣାଇଥିଲେ । ସେହିପରି ଉଭୟ ନେତା କୋରୋନା ମୁକାବିଲା ଉପରେ ଆଲୋଚନା କରିଥିଲେ । ଉଭୟ ଦେଶ କିପରି ଏକାଠି ଏହାକୁ ସାମନା କରିବେ ସେ ବିଷୟରେ କଥାବାର୍ତ୍ତା କରିଥିଲେ । ମୋଦି ସମସ୍ତ ବିପଦରେ ପଡୋଶୀ ରାଷ୍ଟ୍ରକୁ ସାହାଯ୍ୟ କରିବାକୁ ଭାରତ ସବୁବେଳେ ପ୍ରସ୍ତୁତ ବୋଲି କହିଥିଲେ ।
ଏହାସହ ମୋଦି ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କୁ ଇଦ୍ ଉଲ-ଫିତୁରର ଶୁଭେଚ୍ଛା ଦେଇଥିଲେ । ବାଂଲାଦେଶର ସମସ୍ତ ଭାଇ ଓ ଭଉଣୀଙ୍କର ସୁଖ ଓ ଶାନ୍ତି କାମନା କରିଥିଲେ । ବନ୍ଧୁ ରାଷ୍ଟ୍ର ପାଇଁ ଭାରତ ସବୁବେଳେ ଅଛି ବୋଲି ମୋଦି ନିଜ ଟ୍ବିଟରରେ ସୂଚନା ଦେଇଥିଲେ ।