ପାଟନା: ପୂର୍ତ୍ତ ବିଭାଗର ଇଞ୍ଜିନିଅରଙ୍କୁ ଗିରଫ କଲା ଭିଜିଲାନ୍ସ ଟିମ । ବିହାର ରାଜଧାନୀ ପାଟନାରେ ସୁରେଶ ପ୍ରସାଦ ଯାଦବ ନାମକ ଜଣେ ଇଞ୍ଜିନିଅର 14 ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ହାତରେ ଧରା ପଡିଛନ୍ତି । ଏହାପରେ ଭିଜିଲାନ୍ସ ପଟେଲ ନଗରସ୍ଥିତ ଉକ୍ତ ଇଞ୍ଜିନିୟରଙ୍କ ଘରେ ଚଢାଉ କରିଥିଲା । ତେବେ ତାଙ୍କ ଘରୁ ପ୍ରାୟ 2 କୋଟି ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ ସୁରେଶ ନିଜ ଶଯ୍ୟା ତଳେ ହିଁ ନୋଟ୍ ବିଡା ସବୁ ରଖିଥିଲେ । ଯାହା ଦେଖିବା ପରେ ଭିଜିଲାନ୍ସ ଟିମର ହୋସ ଉଡିଯାଇଥିଲା । ଏହାସହ ସୁରେଶ ଅନ୍ୟ ଜଣେ ଠିକାଦାରକୁ ଟେଣ୍ଡର ଦେବା ପାଇଁ 32 ଲକ୍ଷ ଟଙ୍କା ଲାଞ୍ଚ ମଧ୍ୟ ମାଗିଥିଲେ । କିନ୍ତୁ ମୁଲଚାଲ ପରେ 28 ଲକ୍ଷ ଟଙ୍କାରେ କଥା ଛିଡିଥିଲା ।
ଏଥିପାଇଁ ସେ 14 ଲକ୍ଷ ଟଙ୍କା ନେଉଥିବା ବେଳେ ତାଙ୍କୁ ଗିରଫ କରାଯାଇଥିଲା । ସୁରେଶଙ୍କୁ ପଚରା ଉଚୁରା ଜାରି ରଖିଛି ଭିଜିଲାନ୍ସ । ସେପଟେ ଇଞ୍ଜିନିୟରଙ୍କ ସହ କ୍ୟାଶିଅର ମଧ୍ୟ ଗିରଫ ହୋଇଛନ୍ତି । ଉକ୍ତ ଇଞ୍ଜିନିଅରଙ୍କ ଘରୁ ନଗଦ ଟଙ୍କା ଛଡା ସୁନା ଗହଣା ମଧ୍ୟ ଜବତ କରାଯାଇଛି । ବର୍ତ୍ତମାନ ନୋଟ ଗଣା ଚାଲୁରହିଥିବା ସୂଚନା ମିଳିଛି ।