ଆତଙ୍କବାଦୀ କାର୍ଯ୍ୟକଳାପକୁ ପାଣ୍ଠି ଯୋଗାଣ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ହାଫିଜ୍ ସୟିଦ ବିରୋଧରେ ଅଦାଲତ ଦେଇଥିବା ରାୟ ସଂପର୍କରେ ଇସ୍ଲାମାବାଦ ତର୍କ ଉପସ୍ଥାପନ କରିବା ସତ୍ତ୍ବେ, ଅନ୍ତର୍ଜାତୀୟ ସୁରକ୍ଷା ସଂସ୍ଥା FATF (ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ୍) ବା ଆର୍ଥିକ କାର୍ଯ୍ୟାନୁଷ୍ଠାନ ସଂସ୍ଥା ପାକିସ୍ତାନକୁ ଗ୍ରେ ଲିଷ୍ଟ୍ରେ ରଖିଛି । ମିଳିତ ଜାତିସଂଘ ପରିଚାଳିତ ଏହି ସଂସ୍ଥାର ତିନିଦିନିଆ ପୂର୍ଣ୍ଣାଙ୍ଗ ବୈଠକ ଆଜି ପ୍ୟାରିସ୍ରେ ଉଦ୍ଯାପିତ ହେବା ଅବସରରେ ସଂସ୍ଥା ପକ୍ଷରୁ କୂହାଯାଇଛି ଯେ, “ତାଲିକାଭୁକ୍ତ 27ଟିରୁ 14ଟି କାର୍ଯ୍ୟାନୁଷ୍ଠାନ ଉପରେ ପାକିସ୍ତାନ ବ୍ୟାପକ ପଦକ୍ଷେପ ନେଇଛି ଏବଂ ଅବଶିଷ୍ଟରେ ଉଣାଅଧିକେ ପ୍ରଗତି କରିଛି ।” ହେଲେ, ବ୍ଲାକ୍ ଲିଷ୍ଟ ବାହାରେ ରହିବାକୁ ଚାହୁଁଥିଲେ ଆଗାମୀ ଚାରି ମାସ ମଧ୍ୟରେ ସମସ୍ତ 27ଟି ମାପଦଣ୍ଡ ଅନୁପାଳନ କରିବା ଲାଗି ପାକିସ୍ତାନକୁ ଚେତାବନୀ ଦିଆଯାଇଛି ।
FATFର ପୂର୍ଣ୍ଣାଙ୍ଗ ବୈଠକ ଶେଷରେ ପ୍ରଦତ୍ତ ଅଧ୍ୟକ୍ଷଙ୍କ ମତାମତର ସାରାଂଶରେ କୁହାଯାଇଛି, “ଜୁନ୍ 2020 ସୁଦ୍ଧା ସମସ୍ତ କାର୍ଯ୍ୟାନୁଷ୍ଠାନ ଯୋଜନା ତ୍ବରିତ ଭାବେ ସଂପନ୍ନ କରିବା ଲାଗି FATF ପାକିସ୍ତାନକୁ ଦୃଢ଼ ସ୍ବରରେ କହିଛି । ଅନ୍ୟଥା, ପରବର୍ତ୍ତୀ ପୂର୍ଣ୍ଣାଙ୍ଗ ବୈଠକ ସୁଦ୍ଧା ଆତଙ୍କବାଦକୁ ପାଣ୍ଠି ଯୋଗାଣ କାର୍ଯ୍ୟକଳାପ ପ୍ରତିହତ କରିବା ଦିଗରେ ତାତ୍ପର୍ଯ୍ୟପୂର୍ଣ୍ଣ ଏବଂ ଦୀର୍ଘସ୍ଥାୟୀ ଅଗ୍ରଗତି ନ ହେଲେ, FATF କାର୍ଯ୍ୟାନୁଷ୍ଠାନ ନେବ । ହୁଏତ, ପାକିସ୍ତାନ ସହ ବ୍ୟାବସାୟିକ ସଂପର୍କ ଏବଂ କାରବାର ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେବା ଲାଗି ସେମାନଙ୍କ ଦ୍ବାରା ପରିଚାଳିତ ଅର୍ଥଲଗାଣକାରୀ ସଂସ୍ଥାଗୁଡ଼ିକୁ ପରାମର୍ଶ ଦେବାକୁ, FATF ଏହାର ସମସ୍ତ ସଦସ୍ୟ ରାଷ୍ଟ୍ର ଏବଂ ସମସ୍ତ ଅଧିକାର ପରିସରଭୁକ୍ତ ସଂସ୍ଥାକୁ କହିବ ।”
ଏହି ବୈଠକରେ 205ଟି ଦେଶ, ଅନ୍ତର୍ଜାତୀୟ ସଂଗଠନ ଏବଂ ଅଧିକାର ପରିସରଭୁକ୍ତ ସଂସ୍ଥାର ପ୍ରତିନିଧିତ୍ବ କରୁଥିବା 800ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ । ସାଂପ୍ରତିକ ଗ୍ରେ ଲିଷ୍ଟରୁ ବାଦ ପଡ଼ିବ ବୋଲି ବୈଠକରେ ପାକିସ୍ତାନ ଆଶା କରୁଥିଲା । କିନ୍ତୁ 39ଟି ଭୋଟ୍ରୁ ଗ୍ରେ ଲିଷ୍ଟରୁ ବାଦ ପଡ଼ିବା ପାଇଁ ଆବଶ୍ୟକ 14ଟି ଭୋଟ୍ ପାଇବାରେ ପାକିସ୍ତାନ ବିଫଳ ହୋଇଥିଲା । ହେଲେ, ଚୀନ୍, ମାଲେସିଆ ଏବଂ ତୁର୍କୀ ଇସଲାମାବାଦକୁ ସମର୍ଥନ ଜଣାଇଥିଲେ ଏବଂ ତଦନୁସାରେ ବ୍ଲାକ୍ ଲିଷ୍ଟ ବାହାରେ ରହିବା ପାଇଁ ଆବଶ୍ୟକ ଅନ୍ୟୂନ ତିନିଟି ରାଷ୍ଟ୍ରର ଭିଟୋ ପାକିସ୍ତାନକୁ ମିଳିଯାଇଥିଲା । ବିଭିନ୍ନ ସୂତ୍ରର ମିଳିଥିବା ଖବର ଅନୁସାରେ, ଏଥର ବୈଠକରେ ଯୋଗ ଦେଇଥିବା ଅଧିକାଂଶ ସଦସ୍ୟ, ପାକିସ୍ତାନକୁ ବ୍ଲାକ୍ ଲିଷ୍ଟରେ ରଖିବା ବଦଳରେ ପରବର୍ତ୍ତୀ ପୂର୍ଣ୍ଣାଙ୍ଗ ବୈଠକ ପର୍ଯ୍ୟନ୍ତ ଗ୍ରେ ଲିଷ୍ଟ୍ରେ ରଖିବା ସପକ୍ଷରେ ମତ ଦେଇଥିଲେ ।
2018 ଜୁନ୍ରୁ, ଆତଙ୍କବାଦକୁ ପାଣ୍ଠି ଯୋଗାଣ ବିରୋଧୀ କାର୍ଯ୍ୟକ୍ରମକୁ ଜୋରଦାର କରିବା ସହିତ ଏ କ୍ଷେତ୍ରରେ ଥିବା ଅଭାବ ଅସୁବିଧା ଦୂର କରିବା ଏବଂ ଆତଙ୍କବାଦୀ ଏବଂ ସେମାନଙ୍କ ସଂଗଠନ ଦ୍ବାରା ଚାଲିଥିବା ଆର୍ଥିକ କଳା କାରବାରକୁ ପ୍ରତିହତ କରିବା ଦିଗରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ, FATF ଏବଂ ଏହାର ସହକାରୀ ଗୋଷ୍ଠୀ APG (ଏସିଆ ପ୍ଲେନାରୀ ଗ୍ରୁପ୍) ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ପାକିସ୍ତାନ ଉଚ୍ଚସ୍ତରୀୟ ରାଜନୈତିକ ପ୍ରତିବଦ୍ଧତା ସ୍ବୀକାର କରିଛି । ‘ଆର୍ଥିକ କଳା କାରବାର ବିରୋଧରେ କାର୍ଯ୍ୟାନୁଷ୍ଠାନ (AML) ଏବଂ ଆତଙ୍କବାଦକୁ ଅର୍ଥଯୋଗାଣ ପ୍ରତିହତ କରିବା (CFT) ଲାଗି ବିଭିନ୍ନ ଘଟଣାରେ ପ୍ରତିକାରମୂଳକ ପଦକ୍ଷେପ ନିଆଯାଇଛି’’ ଏବଂ ‘ବେଆଇନ ଅର୍ଥ କାରାବାର କିମ୍ବା ମୂଲ୍ୟ ହସ୍ତାନ୍ତରଣ ପ୍ରଣାଳୀକୁ ଚିହ୍ନଟ କରିବା ସହିତ ସେଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଉପଯୁକ୍ତ ସଂସ୍ଥା ସହଯୋଗ କରୁଛନ୍ତି’ ବୋଲି ପ୍ରମାଣ ପ୍ରଦର୍ଶନ କରିବା ଲାଗି FATF ପାକିସ୍ତାନକୁ କହିଥିଲା । ଆତଙ୍କବାଦକୁ ପାଣ୍ଠି ଯୋଗାଣ କାର୍ଯ୍ୟକଳାପ ଏବଂ ଘୋଷିତ ନିର୍ଦ୍ଦିଷ୍ଟ ବ୍ୟକ୍ତି ଏବଂ ସଂଗଠନ ଏବଂ ଏହି ବ୍ୟକ୍ତି ଓ ସଂଗଠନର ନିର୍ଦ୍ଦେଶରେ କାମ କରୁଥିବା ବ୍ୟକ୍ତିମାନଙ୍କୁ ବ୍ୟାପକ ଭାବରେ ଚିହ୍ନଟ କରିବା ଏବଂ ସେମାନଙ୍କ ବିରୋଧରେ ଆଇନ ଅନୁସାରେ ପଦକ୍ଷେପ ନେବା ଲାଗି ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ କାମ କରୁଥିବା କଥାକୁ ମଧ୍ୟ ପାକିସ୍ତାନ ପ୍ରଦର୍ଶନ କରି ଦେଖାଇବାକୁ ଆନୁଷ୍ଠାନିକ ବିବୃତିରେ କୁହାଯାଇଥିଲା ।
ମିଳିତ ଜାତିସଂଘ ସୁରକ୍ଷା ପରିଷଦର ପ୍ରସ୍ତାବ ସଂଖ୍ୟା 1267 ଏବଂ 1373 ଅନୁସାରେ ଚିହ୍ନିତ ସମସ୍ତ ଆତଙ୍କବାଦୀ ଏବଂ ସେମାନଙ୍କ ନିର୍ଦ୍ଦେଶରେ କାମ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ନିର୍ଦ୍ଦିଷ୍ଟ ଆର୍ଥିକ ପ୍ରତିବନ୍ଧକ (ଆଇନଗତ ପ୍ରକ୍ରିୟାର ବିସ୍ତୃତ ତଥ୍ୟ ସହିତ) ପ୍ରଭାବଶାଳୀ ଢଙ୍ଗରେ ଲାଗୁ କରାଯାଇଛି ଏବଂ ସେମାନଙ୍କ ଦ୍ବାରା ପାଣ୍ଠି ସଂଗ୍ରହ ଓ ହସ୍ତାନ୍ତର ପ୍ରକ୍ରିୟାକୁ ପ୍ରତିହତ କରିବା, ସେମାନଙ୍କ ସଂପତ୍ତି (ସ୍ଥାବର ଓ ଅସ୍ଥାବର) ବାଜ୍ୟାପ୍ତ କରିବା ଏବଂ ପାଣ୍ଠି ଓ ଆର୍ଥିକ ସେବା କ୍ଷେତ୍ରରେ ସେମାନଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବା ଦିଗରେ ବି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ପ୍ରଦର୍ଶନ କରି ଦେଖାଇବାକୁ ଏହି ଅନ୍ତର୍ଜାତୀୟ ସଂସ୍ଥା ଦୃଢ଼ ଭାବରେ ଇସଲାମାବାଦକୁ କହିଥିଲା । ଶୁକ୍ରବାର ଦିନ FATF ଜାରି କରିଥିବା ବିବୃତିରେ କୁହାଯାଇଛି ଯେ, “ସବୁ କାର୍ଯ୍ୟାନୁଷ୍ଠାନ ଯୋଜନାର ଶେଷ ସମୟ ଅତିକ୍ରାନ୍ତ ହୋଇସାରିଛି । ଆତଙ୍କବାଦୀ କାର୍ଯ୍ୟକଳାପକୁ ଆର୍ଥିକ ସହାୟତା ଏବଂ ସେଥିରୁ ଉତ୍ପନ୍ନ ବିପତ୍ତିକୁ ଆଖିରେ ରଖି ଏବଂ ନିକଟରେ ସଂଘଟିତ ଉଲ୍ଳେଖନୀୟ ଅଗ୍ରଗତିକୁ ବିଚାରକୁ ନେଇ, କାର୍ଯ୍ୟାନୁଷ୍ଠାନ ଯୋଜନାକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବାରେ ପାକିସ୍ତାନର ବିଫଳତାକୁ ନେଇ FATF ପୁନର୍ବାର ଉଦ୍ବେଗ ପ୍ରକାଶ କରୁଛି ।” ତାଲିବାନ, ଅଲ୍-କାଏଦା, ଲସ୍କର-ଏ-ତଏବା ଏବଂ ଜୈଶ-ଏ-ମହମ୍ମଦ ସମେତ ଜାତିସଂଘ ସୁରକ୍ଷା ପରିଷଦ ଚିହ୍ନଟ କରିଥିବା ସମସ୍ତ ଆତଙ୍କବାଦୀ ଗୋଷ୍ଠୀର ଆର୍ଥିକ ଏବଂ ବ୍ୟାଙ୍କ କାରବାରକୁ ବନ୍ଦ କରିବା ଲାଗି ପୂର୍ବରୁ ପାକିସ୍ତାନକୁ କୁହାଯାଇଥିଲା ।
ପାକିସ୍ତାନର ଯୁକ୍ତି ହେଲା ଯେ, ଏହା ଅନ୍ତର୍ଜାତୀୟ ସଂସ୍ଥା ସହ ସହଯୋଗ କରିଆସୁଛି, ଏ କ୍ଷେତ୍ରରେ ସମସ୍ତ ଉପଲବ୍ଧିକୁ ନଥିଭୁକ୍ତ କରୁଛି, ଅଧିକାରୀମାନଙ୍କ ସହ ସଂପର୍କ ରଖିବା ସହିତ ସେମାନଙ୍କୁ ଅଦେଶ ଅନୁପାଳନ ସଂପର୍କରେ ସୂଚନା ଦେଇଆସୁଛି । ତେଣୁ, ଏହାକୁ ବ୍ଲାକ୍ ଲିଷ୍ଟ୍ରେ ରଖିବା କଥାକୁ ମାମଲା ରୂପେ ଗ୍ରହଣ କରିବା ଠିକ୍ ନୁହେଁ । କୌତୁହଳର କଥା ଯେ, ପାକିସ୍ତାନକୁ ବ୍ଲାକ୍ ଲିଷ୍ଟରେ ରଖିବା ଲାଗି ଭାରତ ଉଦ୍ୟମ ଚଳାଇଥିବା ସତ୍ତ୍ବେ ଜଣେ ବରିଷ୍ଠ ଭାରତୀୟ ଅଧିକାରୀଙ୍କ ମତରେ, ତୁଳନାତ୍ମକ ଭାବେ ପାକିସ୍ତାନକୁ ଗ୍ରେ ଲିଷ୍ଟ୍ରେ ରଖିବା ଭଲ । କାରଣ ଏହା ଦ୍ବାରା ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ବିରୋଧରେ ପାକିସ୍ତାନ ଉପରେ ଚାପ ପକାଯାଇ ପାରିବ । କିନ୍ତୁ ଥରେ ବ୍ଲାକ୍ ଲିଷ୍ଟରେ ରଖିଦେଲେ, ପାକିସ୍ତାନ ‘ସୀମା ବାହାରକୁ ଚାଲିଯିବ’ ବୋଲି ଅଧିକାରୀ ଜଣକ କହିଛନ୍ତି ।
ସ୍ମିତା ଶର୍ମା, ନୂଆଦିଲ୍ଲୀ