ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ୍ ବିର୍ଲା ବୁଧବାର ପଞ୍ଚମ ବିଶ୍ୱ ବାଚସ୍ପତି ସମ୍ମିଳନୀ(5WCSP)ର ଉଦ୍ଘାଟନୀ ସମାରୋହରେ ଯୋଗ ଦେଇଛନ୍ତି।
ମିଳିତ ଜାତିସଂଘ ସହଯୋଗରେ ଆନ୍ତଃ ସଂସଦୀୟ ସଂଘ (ଆଇପିୟୁ), ଜେନେଭା ଏବଂ ଅଷ୍ଟ୍ରିଆର ସଂସଦ ମିଳିତ ଭାବେ ଏହି ସମ୍ମିଳନୀ ଆୟୋଜନ କରୁଛନ୍ତି। କୋରୋନା ପାଇଁ ଏହି ସମ୍ମିଳନୀ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହେଉଛି । ଏନେଇ ଲୋକସଭାର ସଚିବାଳୟର ପକ୍ଷରୁ ପ୍ରକାଶ କରାଯାଇଛି ।
ଏହି ସମ୍ମିଳନୀର ଦ୍ୱିତୀୟ ଭାଗ ଆସନ୍ତା ବର୍ଷ ଅଷ୍ଟ୍ରିଆର ଭିଏନାରେ ପ୍ରତ୍ୟକ୍ଷ ଉପସ୍ଥାନ ଭିତ୍ତିରେ ଅନୁଷ୍ଠିତ ହେବ । ଏହି ଅବସରରେ ଲୋକସଭା ବାଚସ୍ପତିଙ୍କ ଏକ ପ୍ରେରଣାଦାୟକ ଭିଡିଓ ବାର୍ତ୍ତା ଆଇପିୟୁ ଦ୍ୱାରା ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ୱେବସାଇଟରେ ପ୍ରସାରିତ ହୋଇଥିଲା।
ଲୋକସଭା ବାଚସ୍ପତି ଗୁରୁବାର ପାର୍ଲାମେଣ୍ଟ ଏବଂ ଲୋକମାନଙ୍କ ମଧ୍ୟରେ ବ୍ୟବଧାନକୁ ଦୂର କରି ଶାସନକୁ ସୁଦୃଢ ପ୍ରସଙ୍ଗରେ ପ୍ୟାନେଲ ଆଲୋଚନାରେ ଭାଗନେବେ । ଏହି ସମ୍ମିଳନୀରେ ସାଂସଦ ରାଜୀବ ପ୍ରତାପ ରୁଡି, ମୀନାକ୍ଷୀ ଲେଖୀ ଏବଂ ଲୋକସଭା ସଚିବ ସ୍ନେହଲତା ଶ୍ରୀବାସ୍ତବ ମଧ୍ୟ ଯୋଗଦେବେ ବୋଲି ପ୍ରକାଶ କରାଯାଇଛି । କୋରୋନା ପାଇଁ ଏହି ସମ୍ମିଳନୀର ଫଳାଫଳ ଡକ୍ୟୁମେଣ୍ଟ ଭର୍ଚୁଆଲ୍ ସମ୍ମିଳନୀ ମାଧ୍ୟମରେ ଶେଷ କରାଯିବ।
@ANI