ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବୁଧବାର ରାଜ୍ୟସଭାକୁ ସୂଚନା ଦେଇଛି ଯେ, ଯେହେତୁ ପୋଲିସ ଏବଂ ସାର୍ବଜନୀନ ବ୍ୟବସ୍ଥା ରାଜ୍ୟର ବିଷୟ ଅଟେ । ତେଣୁ ଦେଶରେ ଲକଡାଉନ ସମୟରେ ପୋଲିସ ଦ୍ବାରା ନିର୍ଯାତନା, ପୋଲିସ ଆକ୍ରମଣରେ ମୃତ୍ୟୁ ସମ୍ପର୍କୀୟ କୌଣସି ଅଭିଯୋଗ, ଏଫଆଇଆର କେନ୍ଦ୍ର ପାଖରେ ରେକର୍ଡ ନାହିଁ ।
କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖଡଗେ କେନ୍ଦ୍ରକୁ ପ୍ରଶ୍ନ କରିଥିଲେ, କୋରୋନା କାଳରେ ପୋଲିସ ଦ୍ବାରା କିଛି ଲୋକ ନିର୍ଯାତିତ ହୋଇଥିବା ବେଳେ କିଛି ମୃତ୍ୟୁ ମୁଖରେ ପଡିଛନ୍ତି । ତେବେ ଉକ୍ତ ପୋଲିସ କର୍ମଚାରୀଙ୍କ ଉପରେ କେନ୍ଦ୍ର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କି ନାହିଁ ?
ଏହାର ଉତ୍ତରରେ ରାଜ୍ୟସଭାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି କିଶନ ରେଡ୍ଡୀ ଏକ ଲିଖିତ ଉତ୍ତରରେ କହିଛନ୍ତି, ‘ଭାରତ ସମ୍ବିଧାନର ସପ୍ତମ କାର୍ଯ୍ୟସୂଚୀ ଅନୁଯାୟୀ ପୋଲିସ ଏବଂ ସାର୍ବଜନୀନ ଆଦେଶ ରାଜ୍ୟର ବିଷୟ ଅଟେ । ତେଣୁ ଏପରି ମାମଲାରେ କେନ୍ଦ୍ର କୌଣସି ନିଷ୍ପତ୍ତି ନେଇପାରିବ ନାହିଁ କି କେନ୍ଦ୍ର ପାଖରେ ଏପରି ମାମଲାର କୌଣସି ରେକର୍ଡ ନାହିଁ ।
ପ୍ରକାଶ ଥାଉକି, ସୋମବାର ଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଯାହା ଅକ୍ଟୋବର 1 ତାରିଖ ପର୍ଯ୍ୟନ୍ତ ଜାରି ରହିବ ।