ନୂଆଦିଲ୍ଲୀ: ‘ଦେଶର ଦୁଷ୍କର୍ମକାରୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାକୁ ଲାଗିଛି । ବିଡମ୍ବନା ଯେ, ଏଯାଏଁ ଦୋଷୀଙ୍କୁ ଫାଶୀ ଦଣ୍ଡ ଦିଆଯାଇପାରୁନାହିଁ । ନୂଆନୂଆ କାନୁନ ଆଳରେ ଖସିଯାଉଛନ୍ତି ଆସାମୀ, ମୁଁ ବି ଦେଖିବି ଆଉ କେତେ ଦିନ ଦୋଷୀ ବଞ୍ଚିବେ’, କୋହଭରା କଣ୍ଠରେ ଏପରି କହିଛନ୍ତି ନିର୍ଭୟାଙ୍କ ମା ।
ଶୁକ୍ରବାର ରାଜଘାଟସ୍ଥିତ ଧାରଣାସ୍ଥଳରେ ପହଞ୍ଚି ଆମରଣ ଅନଶନ କରୁଥିବା ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ବାତୀ ମାଲିୱାଲଙ୍କୁ ସାକ୍ଷାତ କରିଛନ୍ତି ନିର୍ଭୟାଙ୍କ ମାତା-ପିତା । ମହିଳାଙ୍କ ସୁରକ୍ଷାକୁ ନେଇ ସ୍ବାତୀ ମାଲିୱାଲ ଦୀର୍ଘ 11 ଦିନ ହେବ ଆମରଣ ଅନଶନ କରୁଛନ୍ତି ।
ଏନେଇ ନିର୍ଭୟାଙ୍କ ମା ସରକାରଙ୍କୁ ଚିଠି ମଧ୍ୟ ଲେଖିଛନ୍ତି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିରବତାକୁ ନିନ୍ଦା କରିଛନ୍ତି ସେ । ଏଠାରେ ପୀଡିତାଠାରୁ ବେଶି ଆରୋପୀଙ୍କୁ ସୁରକ୍ଷା ଦିଆଯାଉଛି ବୋଲି କହିଛନ୍ତି ନିର୍ଭୟାଙ୍କ ମା । ପ୍ରକାଶଥାଉକି, ସ୍ବାତୀ ମାଲିୱାଲ 3ଡିସେମ୍ବରଠାରୁ ଆମରଣ ଅନଶନରେ ବସିଛନ୍ତି । ଆମରଣ ଅନଶନ କାରଣରୁ ଏଯାବତ୍ ତାଙ୍କ ଓଜନ 6.3 କିଲୋଗ୍ରାମ କମିଲାଣି ।