ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନର ଫଳାଫଳ ଆସିଯାଇଛି । ବିଜେପି ବହୁମତ ପାଇ ସରକାର ଗଢୁଥିବାବେଳେ କଂଗ୍ରେସ ଶୋଚନୀୟ ପରାଜୟ ଭୋଗିଛି । ଏଥର ନିର୍ବାଚନରେ ଦଳ ମାତ୍ର 52ଟି ଆସନ ଦଖଲ କରିଛି ।
ତେବେ ସବୁଠାରୁ ବଡ ବିଷୟ ହେଉଛି କଂଗ୍ରେସର 9 ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଥର ନିର୍ବାଚନରେ ପରାଜୟର ମୁହଁ ଦେଖିଛନ୍ତି । ପୂର୍ବରୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିସାରିଥିବା ଏହି ନେତା ଏଥର ନିର୍ବାଚନୀ ମୈଦାନରେ ଓହ୍ଲାଇଥିବାବେଳେ ସମସ୍ତଙ୍କୁ ପରାଜୟର ସ୍ବାଦ ଚାଖିବାକୁ ପଡିଛି । ପଦବୀ ଗଲା ପରେ ଭୋଟର ଏମାନଙ୍କୁ ଏକପ୍ରକାର ଭୁଲି ଯାଇଥିବା ସ୍ପଷ୍ଟ ହୋଇଛି । ମୁଖ୍ୟମନ୍ତ୍ରୀ ଥିବାବେଳେ ସେତେବେଳେ ନିଜର ପ୍ରଦର୍ଶନ ଅନୁସାରେ ଏମାନେ ଏବେ ଫଳ ପାଇଛନ୍ତି ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି ।



ଏହି ପରାଜିତ ମୁଖ୍ୟମନ୍ତ୍ରୀଙ୍କ ଭିତରେ ପ୍ରମୁଖ ହେଲେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ ଓ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ । ଉଭୟଙ୍କୁ ଅପ୍ରତ୍ୟାଶିତ ଭାବେ ପରାସ୍ତ ହେବାକୁ ପଡିଛି । ନିଜ ନିଜ ବିଜୟ ନେଇ ଏମାନେ ଦମ୍ଭୋକ୍ତି ପ୍ରକାଶ କରିଥିବାବେଳେ ଫଳାଫଳ କିନ୍ତୁ ଏମାନଙ୍କ ସପକ୍ଷରେ ଯାଇନାହିଁ । ଶୀଲାଙ୍କୁ ଗତ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍ରିୱାଲ ପରାସ୍ତ କରିଥିବାବେଳେ ଏଥର ଲୋକସଭା ନିର୍ବାଚନରେ ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିୱାରୀ ପରାସ୍ତ କରିଛନ୍ତି ।





ସେହିପରି ଅନ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଅଛନ୍ତି ଉତ୍ତରାଖଣ୍ଡର ହରିଶ ରାୱତ, ହରିୟାଣାର ଭୂପେନ୍ଦ୍ର ସିଂହ ହୁଡ୍ଡା, କର୍ଣ୍ଣାଟକର ବୀରପ୍ପା ମୋଇଲି, ଅରୁଣାଚଳ ପ୍ରଦେଶର ମୁକୁଲ ସାଙ୍ଗମା ଓ ନବାମ ତୁକି ଏବଂ ମହାରାଷ୍ଟ୍ରର ଅଶୋକ ଚୌହ୍ବାନ ଓ ସୁଶୀଲ ସିନ୍ଧେ । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରାଜୟ କଂଗ୍ରେସ ଲାଗି ଏକ ସତର୍କ ଘଣ୍ଟି ବୋଲି କୁହାଯାଉଛି । ସୂଚନାଯୋଗ୍ୟ ଯେ କ୍ଷମତାରେ ଥିବା କର୍ଣ୍ଣାଟକ, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ ମଧ୍ୟ କଂଗ୍ରେସର ଶୋଚନୀୟ ପରାଜୟ ଘଟିଛି ।