ନୂଆଦିଲ୍ଲୀ: ଏହି ମାସରେ 3 ଜଣ ନୂଆ ଭାରତୀୟ କୂଟନୀତିଜ୍ଞଙ୍କୁ ନିଯୁକ୍ତି ଦେଇଛି ଭାରତ । ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରର ଆସୋସିଏସନରେ ଭାରତର ଦୂତ ଭାବରେ କାର୍ଯ୍ୟ କରୁଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ବିକ୍ରମ ଡୋରାଇସ୍ୱାମୀଙ୍କୁ ବାଂଲାଦେଶରେ ଭାରତର ନୂତନ ହାଇ କମିଶନର ଭାବରେ ନିଯୁକ୍ତି ମିଳିଛି । ସେହିପରି ଜାକର୍ତ୍ତାରେ ଆସୋସିଏସନ୍ ଅଫ୍ ଦକ୍ଷିଣ ପୂର୍ବ ଏସୀୟ ନେସନ୍ସର ଆଞ୍ଚଳିକ ବ୍ଲକରେ ଭାରତର ଦୂତ ଭାବରେ କାର୍ଯ୍ୟ କରୁଥିବା ରୁଦେନ୍ଦ୍ର ଟଣ୍ଡନଙ୍କୁ ଆଫଗାନିସ୍ତାନର ନୂତନ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରାଯାଇଛି । ବୈଦେଶିକ ମନ୍ତ୍ରାଳୟର ଯୁଗ୍ମ ସଚିବ ଗୌରଙ୍ଗାଲାଲ ଦାସଙ୍କୁ ତାଇୱାନରେ ଭାରତ-ତାଇପେଇ ଆସୋସିଏସନର ନୂତନ ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି । ତେବେ ଭାରତ ସରକାରଙ୍କ ଏହି ନିଷ୍ପତ୍ତି ପଡୋଶୀ ଦେଶ ପ୍ରତି ଦେଶର ନୂଆ ରଣନୀତିକୁ ଦର୍ଶାଉଛି । ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାରତ ଏହି ଅଞ୍ଚଳରେ ଏବଂ ଆଫଗାନିସ୍ତାନରେ ତାଲିବାନର ବଢୁଥିବା ପ୍ରଭାବକୁ ନେଇ ନୂଆ ରଣନୀତି ପ୍ରସ୍ତୁତ କରିଛି ।
ଲଦାଖ ଅଞ୍ଚଳରେ ଚୀନ ସହିତ ଭାରତର ସୀମା ବିବାଦ, ଦକ୍ଷିଣ ଏସିଆ, ଦକ୍ଷିଣ ଚୀନ୍ ସାଗର ଏବଂ ପୂର୍ବ ଚୀନ ସାଗରରେ ବେଜିଂର ଆକ୍ରମଣାତ୍ମକ ଆଭିମୁଖ୍ୟ ଏବଂ ଆଫଗାନିସ୍ତାନ ଶାନ୍ତି ପ୍ରକ୍ରିୟାରେ ତାଲିବାନର ଭୂମିକାକୁ ଦୃଷ୍ଟିରେ ରଖି ଏହି ତିନୋଟି ନୂତନ ନିଯୁକ୍ତି କରାଯାଇଥିବା ଜଣାପଡିଛି ।
1992 ବ୍ୟାଚ୍ର ଆଇଏଫଏସ୍ ଅଧିକାରୀ ବିକ୍ରମ ସେହି ସମୟରେ ବାଂଲାଦେଶ ଅଭିମୁଖେ ଯାଉଛନ୍ତି ଯେତେବେଳେ ଦକ୍ଷିଣ ଏସିଆରେ ନିଜର କାୟା ବିସ୍ତାର କରିବାକୁ ବେଜିଂ ଢାକାକୁ ଆକର୍ଷିତ କରିବା ପାଇଁ ଉଦ୍ୟମ ଚଳାଇଛି । ଚୀନ ଭାରତର ପୂର୍ବରେ ଥିବା ପଡୋଶୀ ଦେଶରେ ପ୍ରତିରକ୍ଷା ପ୍ରକଳ୍ପ ବିକଶିତ କରିବା ସହ ବିଏନ୍ଏସ୍ ଶେଖ ହାସିନା ବୁଡ଼ାଜାହାଜ ବେସର ବିକାଶ ଏବଂ ବାଂଲାଦେଶ ନୌସେନାକୁ ଦୁଇଟି ବୁଡ଼ାଜାହାଜ ବିତରଣ କରୁଛି। ତେବେ ନୂଆଦିଲ୍ଲୀ ପାଇଁ ଆଉ ଏକ ଚିନ୍ତାର ବିଷୟ ହେଉଛି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା । ସେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ପେଟ ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ (BRI)କୁ ଗ୍ରହଣ କରିଛନ୍ତି। ସେପଟେ ଏହାର ଏକ ପ୍ରକଳ୍ପର ଅଂଶ ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଦେଇ ଯାଇଥିବାରୁ ଭାରତ ବିଆରଆଇର ଅଂଶ ହେବାକୁ ମନା କରିଦେଇଛି ।
ତେବେ ଚୀନର ଏପରି କାର୍ଯ୍ୟକଳାପକୁ ବିଶ୍ବ ଶକ୍ତି ଦୃଢ ନିନ୍ଦା କରୁଛନ୍ତି । ଯଦିଓ ଦକ୍ଷିଣ ଏସୀୟ ଦେଶ ମଧ୍ୟରେ ବାଂଲାଦେଶ ସହିତ ଭାରତର ଘନିଷ୍ଠ ସମ୍ପର୍କ ରହିଛି । ତଥାପି ଢାକା ବଙ୍ଗୋପସାଗରରେ ଏହାର ସାମୁଦ୍ରିକ ପରିଚାଳନା ଯୋଜନାରେ ଚୀନକୁ ସାହାଯ୍ୟ କରିବାକୁ ରାଜି ହୋଇଛି । ଯାହା ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି । ଭାରତ ପାଇଁ ଚିନ୍ତାର ଆଉ ଏକ କାରଣ ହେଉଛି ବାଂଲାଦେଶର ରାଜ୍ୟ ଚିକିତ୍ସା ଅନୁସନ୍ଧାନ ଏଜେନ୍ସି । ଯିଏ ଚୀନର ସିନୋଭାକ୍ ବାୟୋଟେକ୍ ଲିମିଟେଡ୍ ଦ୍ବାରା ବିକଶିତ ସମ୍ଭାବ୍ୟ କୋରୋନା ଟୀକାର ତୃତୀୟ ପର୍ଯ୍ୟାୟ ପରୀକ୍ଷାକୁ ଅନୁମୋଦନ କରିଛି।
ଗତ ବର୍ଷ ଅକ୍ଟୋବରରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଭାରତ ଗସ୍ତ ସମୟରେ ନୂଆଦିଲ୍ଲୀ ଏବଂ ଢାକା ମଧ୍ୟରେ ସାତୋଟି ଚୁକ୍ତିନାମା ଏବଂ ତିନୋଟି ପ୍ରକଳ୍ପ ସ୍ୱାକ୍ଷର ହୋଇଥିଲା । ଏହି ଚୁକ୍ତିନାମାରେ ଭାରତକୁ ବିଶେଷ କରି ଉତ୍ତର-ପୂର୍ବ ଭାରତରୁ ବାଂଲାଦେଶର ଚାଟୋଗ୍ରାମ୍ ଏବଂ ମୋଙ୍ଗଲା ବନ୍ଦରର ବ୍ୟବହାର, ଭାରତର ତ୍ରିପୁରାର ସୋନାମୁରା ଏବଂ ବାଂଲାଦେଶର ଡୌଦକାନ୍ତୀ ମଧ୍ୟରେ ଜଳ ବାଣିଜ୍ୟ ମାର୍ଗର କାର୍ଯ୍ୟ ଆଦି ଅନ୍ତର୍ଭୁକ୍ତ ଥିଲା ।
ତେବେ ବାଂଲାଦେଶର ଦୂତ ଭାବରେ ବିକ୍ରମଙ୍କ ନିଯୁକ୍ତି ଢାକାକୁ ପ୍ରଲୋଭିତ କରିବା ପାଇଁ ବେଜିଂର ଉଦ୍ୟମ ବିରୋଧରେ ନୂଆଦିଲ୍ଲୀର ରଣନୈତିକ ପଦକ୍ଷେପ ଭାବରେ ଦେଖାଯାଉଛି। ମାଣ୍ଡାରିନ୍ ଏବଂ ଫାରସୀ ଭାଷାରେ ପାରଙ୍ଗମ ବିକ୍ରମ ନୂଆଦିଲ୍ଲୀର ବେଦେଶିକ ମନ୍ତ୍ରାଳୟର ମୁଖ୍ୟାଳୟରେ ଯୁଗ୍ମ ସଚିବ ଏବଂ ଇଣ୍ଡୋ-ପାସିଫିକ୍ ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ।
ଭାରତର ପ୍ରଶାନ୍ତ ମହାସାଗରରେ ଶାନ୍ତି ଏବଂ ସମୃଦ୍ଧତା ପାଇଁ ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ ସହିତ ଭାରତ ମଧ୍ୟ କାର୍ଯ୍ୟ କରୁଛି । ଏହା ଜାପାନର ପୂର୍ବ ଉପକୂଳରୁ ଆଫ୍ରିକାର ପୂର୍ବ ଉପକୂଳ ପର୍ଯ୍ୟନ୍ତ ବ୍ୟାପିଛି। ଏଠାରେ ଚୀନର ବିସ୍ତାରକୁ ଦୃଷ୍ଟିରେ ରଖି 1999 ବ୍ୟାଚ୍ର ଆଇଏଫଏସ୍ ଅଧିକାରୀ ଦାସଙ୍କୁ ତାଇୱାନରେ ଭାରତର ନୂତନ ଦୂତ ଭାବରେ ନିଯୁକ୍ତି ଦିଆଯାଇଛି । ଏହା ମଧ୍ୟ ନୂଆଦିଲ୍ଲୀ ଦ୍ୱାରା ରଣନୈତିକ ପଦକ୍ଷେପ ଭାବରେ ଦେଖାଯାଉଛି । କାରଣ ଦକ୍ଷିଣ ଚୀନ ସାଗରରେ ଚୀନର ବୃଦ୍ଧି ପାଉଥିବା ଆକ୍ରମଣାତ୍ମକ ସ୍ବଭାବ ମଧ୍ୟରେ ଏହି ନିଯୁକ୍ତି ଆସିଛି । ଏହି କ୍ଷେତ୍ରରେ ଅନେକ ଦେଶ ସହ ଚୀନର ଆଞ୍ଚଳିକ ବିବାଦ ରହିଛି । ଜାପାନ ସୀମାବର୍ତ୍ତୀ ପୂର୍ବ ଚୀନ ସାଗରର ସେନ୍କାକୁ ଦ୍ୱୀପପୁଞ୍ଜର ଜଳକୁ ନେଇ ଚୀନ ବିବାଦ ସୃଷ୍ଟି କରିଛି । ଅନ୍ୟପକ୍ଷରେ ନିକଟ ଅତୀତରେ ଚୀନର ଯୁଦ୍ଧ ବିମାନ ବାରମ୍ବାର ତାଇୱାନ ବାୟୁସୀମାରେ ବାରମ୍ବାର ଅନୁପ୍ରବେଶ କରିଛି।
ବୁଧବାର ତାଇୱାନର ବୈଦେଶିକ ମନ୍ତ୍ରୀ ଜୋସେଫ ୱୁ କହିଛନ୍ତି, ପୂର୍ବ ଏସୀୟ ଦ୍ୱୀପପୁଞ୍ଜ ଦେଶରେ ଆଧିପତ୍ୟ ବିସ୍ତାର କରିବାକୁ ଗତ କିଛି ମାସରେ ଚୀନ ନୌସେନା ଅଭ୍ୟାସ ଏବଂ ବାୟୁସେନା ଆକ୍ରମଣକୁ ବୃଦ୍ଧି କରିଛି ।
ତେବେ ୱାନ ଚାଇନା ପଲିସି ଅଧୀନରେ ଭାରତ ଏବଂ ତାଇୱାନ ମଧ୍ୟରେ ସରକାରୀ କୂଟନୈତିକ ସମ୍ପର୍କ ନାହିଁ । କିନ୍ତୁ ନୂଆଦିଲ୍ଲୀ ତାଇପେଇରେ ଭାରତ-ତାଇପେଇ ଆସୋସିଏସନରେ ପ୍ରତିନିଧିତ୍ବ କରୁଛି । ଯେଉଁଥିରେ ଦାସ ନୂତନ ମହାନିର୍ଦ୍ଦେଶକ ହେବେ। ରାଷ୍ଟ୍ରପତି ତାଇ ଇଙ୍ଗ-ୱେନଙ୍କ ଅଧୀନରେ ତାଇୱାନ ଏକ ନୂତନ ନୀତି ଗ୍ରହଣ କରିଛି ଯାହା ଦକ୍ଷିଣ ପୂର୍ବ ଏସିଆ, ଦକ୍ଷିଣ ଏସିଆ ଏବଂ ଅଷ୍ଟ୍ରେଲସିଆର 18 ଟି ଦେଶ ସମେତ ଭାରତ ସହ ମଧ୍ୟ ସହଯୋଗ ଏବଂ ଆଦାନ ପ୍ରଦାନକୁ ବଢାଇବାକୁ ଚେଷ୍ଟା କରୁଛି । ମାଣ୍ଡାରିନ୍ ଭାଷାରେ ପାରଙ୍ଗମ ଦାସ ବେଜିଂରେ ଥିବା ଭାରତୀୟ ଦୂତାବାସରେ ଦୁଇଥର କାର୍ଯ୍ୟ କରିଛନ୍ତି । ମନମୋହନ ସିଂଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଡେପୁଟି ସେକ୍ରେଟେରୀ ଏବଂ ୱାଶିଂଟନ୍ରେ ଥିବା ଭାରତୀୟ ଦୂତାବାସରେ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିଲେ।
ସେହିପରି ଆଫଗାନିସ୍ତାନରେ ତାଲିବାନର ପ୍ରଭାବ ବଢୁଥିବା ବେଳେ ରୁଦେନ୍ଦ୍ର ଟଣ୍ଡନଙ୍କୁ ଆଫଗାନିସ୍ତାନର ନୂତନ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରାଯାଇଛି । ସୂଚନା ଅନୁଯାୟୀ, ତାଲିବାନର ସର୍ବୋଚ୍ଚ ନେତା ହିବତୁଲ୍ଲା ଅଖଣ୍ଡଜଡା କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କର ସାମ୍ଭାବ୍ୟ ମୃତ୍ୟୁକୁ ନେଇ ଚର୍ଚ୍ଚା ହେଉଛି । ସେପଟେ ପାକିସ୍ତାନ ସମର୍ଥିତ ହକ୍କାନି ନେଟୱାର୍କର ମୁଖ୍ୟ ତଥା ତାଲିବାନର ଉପ-ମୁଖ୍ୟ ନେତା ସିରାଜୁଦ୍ଦିନ ହକାନୀ ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହାପରେ ଅନ୍ୟଜଣେ ଡେପୁଟି ନେତା ମହମ୍ମଦ ୟାକୁବ ସଂଗଠନର ପର୍ଯ୍ୟବେକ୍ଷଣ କରୁଛନ୍ତି । ନିୟନ୍ତ୍ରଣ କରିବାକୁ ଅନୁମତି ଦେଇଛି। ତେବେ ୟାକୁବ ଆମେରିକା ସହିତ ଶାନ୍ତି ପ୍ରକ୍ରିୟାକୁ ସମର୍ଥନ କରିବା ସହ ଭାରତ ସହିତ ନିକଟତର ହେବା ପାଇଁ ଇଚ୍ଛା ପ୍ରକାଶ କରୁଥିବା ଶୁଣିବାକୁ ମିଳେ ।
ତେବେ ଶାନ୍ତି ପ୍ରକ୍ରିୟା ସମୟରେ ତାଲିବାନ ସହ ଜଡିତ ହେବା ଭାରତର ସରକାରୀ ନୀତି ନୁହେଁ । ନୂଆଦିଲ୍ଲୀର ଆଭିମୁଖ୍ୟ ହେଉଛି ଆଫଗାନିସ୍ତାନରେ ଶାନ୍ତି ପ୍ରକ୍ରିୟା ସ୍ଥାପନ । ଯଦିଓ ଆଫଗାନିସ୍ତାନ ପାଇଁ ଭାରତ ସର୍ବବୃହତ ଆଞ୍ଚଚଳିକ ସହାୟତା ପ୍ରଦାନକାରୀ ଅଟେ । ତଥାପି ଆମେରିକା ଏଥିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ।