ହାଇଦ୍ରାବାଦ: ସୋସିଆଲ ମିଡିଆରେ ଅପଡେଟ୍ ରହିବା ସହ ସବୁବେଳେ ବିଭିନ୍ନ ଆପ୍ ଅପଲୋଡ୍ କରୁଥିବା ଲୋକଙ୍କ ପାଇଁ ଏହା ଏକ ଚେତାବନୀ ଖବର । ବର୍ତ୍ତମାନ ଏକ ନୂଆ ଭାଇରସ ବିଭିନ୍ନ ଆପ୍ ପାଇଁ ସମସ୍ୟା ସୃଷ୍ଟି କରିଛି । ପ୍ରାୟ 337 ଆପରୁ ୟୁଜର୍ସ ଡାଟା ଚୋରାଇବାର ଏହା କ୍ଷମତା ରଖିଛି ବୋଲି ଜଣାପଡିଛି ।
ଏହି ନୂଆ ମାଲୱେରର ନାମ ବ୍ଲାକରକ୍ ଏବଂ ଏହା ଚଳିତ ବର୍ଷ ମେ ମାସର ବାହାରିଥିଲା । ଏହାକୁ ମୋବାଇଲ ସିକ୍ୟୁରିଟି କମ୍ପାନୀ ଥ୍ରିଏଟଫାବ୍ରିକ୍ ଚିହ୍ନଟ କରିଥିଲା । ଆଣ୍ଡ୍ରଏଡ୍ ଫୋନ ପାଇଁ ଏହା ବେଶୀ ସମସ୍ୟା ସୃଷ୍ଟି କରିପାରେ ବୋଲି ବିଶେଷଜ୍ଞ କହିଛନ୍ତି । ଡିଭାଇସରେ ଇନଷ୍ଟଲ ହୋଇଥିବା କୌଣସି ଆପ୍ ସମ୍ପର୍କରେ ପ୍ରଥମେ ଏହି ମାଲୱେର ତଥ୍ୟ ସଂଗ୍ରହ କରିଥାଏ । ପରେ ଏଥିସହ ସମ୍ପୃକ୍ତ ଥିବା ୟୁଜର୍ସଙ୍କ ସମସ୍ତ ତଥ୍ୟ ଏହା ଚୋରାଇ ନେଇଥାଏ । ତଥ୍ୟ ସଂଗ୍ରହ ସମୟରେ ଏହା ଗୁଗଲ ଅପଡେଟ୍ ବୋଲି କହିବ । ଏହାପରେ ୟୁଜର୍ସ ଥରେ ଏହାକୁ ଅନୁମତି ଦେଇଦେଲେ ଏହା ସମସ୍ତ ଡାଟା ହ୍ୟାକ୍ କରିନେଇଥାଏ ।
ଆଣ୍ଡ୍ରଏଡ୍ ପରିଚାଳନା ବ୍ୟବସ୍ଥାକୁ ଆକସେସ କରି ବ୍ଲାକରକ୍ କାର୍ଯ୍ୟ କରିଥାଏ । ଏହି ମାଲୱେର ଯେଉଁ 337 ଆପ୍ ପ୍ରତି ବିପଦ ସୃଷ୍ଟି କରିଥାଏ ସେମାନେ ପୂର୍ବରୁ ବିଭିନ୍ନ ପ୍ରକାର ବ୍ୟାଙ୍କ କମ୍ପାନୀ ଦ୍ବାରା ବିପଦ ବୋଲି ସାବ୍ୟସ୍ତ ହୋଇସାରିଛନ୍ତି । ଏହି ଆପରେ ୟୁଜର୍ସଙ୍କ ଡାଟା ସୁରକ୍ଷିତ ନୁହେଁ ବୋଲି ବ୍ୟାଙ୍କ କମ୍ପାନୀ କହିଛନ୍ତି । ତେବେ ବ୍ଲାକରକର ଟାର୍ଗେଟ ଲିଷ୍ଟରେ ଥିବା ଆପ୍ ହେଲେ ଟିଣ୍ଡର, ଟିକଟକ୍, ଫ୍ଲେଷ୍ଟେସନ, ଫେସବୁକ୍, ଇନଷ୍ଟାଗ୍ରାମ, ସ୍କାଏପି, ସ୍ନାପଚାଟ୍, ଟ୍ବିଟର, ଆମାଜନ, ଉବେର, ନେଟଫ୍ଲିକ୍ସ ଭଳି ଆପ୍ ।
ଏବର୍ଷର ଶେଷ ଆଡକୁ ଏହି ମାଲୱେର ଅଧିକ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି । ଅଧିକ ବ୍ୟାଙ୍କିଙ୍ଗ୍ ମାଲୱେର ଆସିବା ସହ ସମସ୍ତ ପ୍ରକାର ଆର୍ଥିକ କାରବାର ପାଇଁ ଏହା ସମସ୍ୟା ସୃଷ୍ଟି କରିବ । ଏଥିରୁ ମୁକୁଳିବା ପାଇଁ ସବୁବେଳେ ଆଣ୍ଡ୍ରଏଡ୍ ସିଷ୍ଟମ ଅପଡେଟ୍ କରିବାକୁ ପଡିବ ବୋଲି ବିଶେଷଜ୍ଞ କହିଛନ୍ତି । ସ୍ମାର୍ଟଫୋନରେ ଉପଯୁକ୍ତ ଆଣ୍ଟି ଭାଇରସ ମଧ୍ୟ ଅପଲୋଡ୍ କରିବାକୁ ହେବ ବୋଲି ପରାମର୍ଶ ଦିଆଯାଇଛି । ଯେଉଁ ଆପ୍ ସନ୍ଦେହଜନକ ରହିଛି ତାହାକୁ ଡାଉନଲୋଡ୍ ନକରିବାକୁ ଚେତାବନୀ ଦେଇଛନ୍ତି ଟେକ୍ନିକାଲ ବିଶେଷଜ୍ଞ । ମୋବାଇଲରେ କୌଣସି ପ୍ରକାର କାର୍ଯ୍ୟ ପାଇଁ କେହି ଅନୁମତି ମାଗିଲେ ନଦେବାକୁ ମଧ୍ୟ କୁହାଯାଇଛି ।