ମୁମ୍ବାଇ: କୋରୋନା ସଙ୍କଟରେ ମହାରାଷ୍ଟ୍ର ସରକାର ମଧ୍ୟ ଏକ ସଙ୍କଟର ସମ୍ମୁଖୀନ ହେଉଛନ୍ତି। କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋଏଲଙ୍କ ଠାରୁ ଆରମ୍ଭ କରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପର୍ଯ୍ୟନ୍ତ ଟ୍ରେନ୍ ଓ ପ୍ରବାସୀ ଭାରତୀୟଙ୍କ ଘରକୁ ଫେରିବା ନେଇ ଉଦ୍ଧବ ସରକାରଙ୍କୁ ଘେରି ରହିଛନ୍ତି। ଏହି ସମୟରେ ଏନସିପି ଅଧ୍ୟକ୍ଷ ଶରଦ ପାୱାର ମହାରାଷ୍ଟ୍ର ରାଜ୍ୟପାଳ ଭଗତ୍ ସିଂ କୋଶିଆରିଙ୍କୁ ଭେଟିଛନ୍ତି। ମହାରାଷ୍ଟ୍ରର ଶିବସେନା, ଏନସିପି ଓ କଂଗ୍ରେସର ମିଳିତ ସରକାର ବିପଦରେ ଥିବା ଅନୁମାନ କରାଯାଉଛି, ତେଣୁ ପାୱାର ରାଜ୍ୟପାଳଙ୍କୁ ଭେଟିଛନ୍ତି।
ତେବେ ଏନସିପି କହିଛି ଯେ ଶରଦ ପାୱାରଙ୍କୁ ରାଜ୍ୟପାଳ ଚା’ପାଇଁ ନିମନ୍ତ୍ରଣ କରିଥିଲେ ଓ କୌଣସି ରାଜନୈତିକ ଆଲୋଚନା ହୋଇନଥିଲା। ପ୍ରକାଶଥାଉକି, ଯେତେବେଳେ ଶରଦ ପାୱାର ଗତ ବର୍ଷ ସଂସଦରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ, ସେତେବେଳେ ବିଜେପି ରାତାରାତି ଏନସିପି ସହ ମିଶି ରାଜ୍ୟରେ ସରକାର ଗଠନ କରିଥିଲା।
ଅନ୍ୟପକ୍ଷେ ସରକାରଙ୍କ ଉପରେ କୌଣସି ପ୍ରକାରର ସଙ୍କଟ ନାହିଁ ବୋଲି ଶିବସେନା ସାଂସଦ ସଞ୍ଜୟ ରାଉତ ଟ୍ବିଟ୍ କରିଛନ୍ତି। ସଞ୍ଜୟ ରାଉତ ଏହା ମଧ୍ୟ କହିଛନ୍ତି ଯେ ଗତକାଲି ଶରଦ ପାୱାର ଓ ଉଦ୍ଧବ ଠାକରେଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା। ପ୍ରାୟ ଦେଢ ଘଣ୍ଟା ଧରି ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ସରକାର ଶକ୍ତିଶାଳୀ ଅଛି, କିଛି ଚିନ୍ତା ନାହିଁ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ ନାରାୟଣ ରାଣେ ମଧ୍ୟ ଗତକାଲି ଶରଦ ପାୱାରଙ୍କ ପୂର୍ବରୁ ରାଜ୍ୟପାଳଙ୍କୁ ଭେଟିଥିଲେ।