ବେଙ୍ଗାଲୁରୁ: ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ(ବିଏଚ୍ୟୁ)ରେ ସଂସ୍କୃତ ବିଷୟରେ ଶିକ୍ଷାଦାନ ଦେବାକୁ ଜଣେ ମୁସଲିମ ପ୍ରଫେସର ଫିରୋଜ ଖାନଙ୍କୁ ନିଯୁକ୍ତି ଦିଆଯାଇଥିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହାକୁ ବିରୋଧ କରି ୧୪ ଦିନ ହେଲା ବିଏଚ୍ୟୁରେ କିଛି ଛାତ୍ର ଗୋଷ୍ଠୀ ଆନ୍ଦୋଳନ ଜାରି ରଖିଛନ୍ତି। ହେଲେ ଏହା ମଧ୍ୟରେ କର୍ଣ୍ଣାଟକ ବେଲୁରର ରାମକୃଷ୍ଣ ମିଶନ ବିଦ୍ୟାମନ୍ଦିରରେ ଜଣେ ମୁସଲିମ ପ୍ରଫେସରଙ୍କୁ ସଂସ୍କୃତ ବିଷୟରେ ନିଯୁକ୍ତି ଦିଆଯାଇଛି। ବିଦ୍ୟାମନ୍ଦିରରେ ରମଜାନ ଖାନ ଏବଂ ଆଦିବାସୀ ସମ୍ପ୍ରଦାୟର ଗଣେଷ ଟୁଡୁ ସଂସ୍କୃତର ସହାୟକ ପ୍ରଫେସର ଭାବେ ନଯୁକ୍ତ ହୋଇଛନ୍ତି।
ଏହି ବିଦ୍ୟାମନ୍ଦିର ଭାରତର ସର୍ବୋତ୍ତମ ଶିକ୍ଷା ସଂସ୍ଥାନ ମଧ୍ୟରୁ ଅନ୍ୟତମ। ଏପରିକି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏହାକୁ, 2018ରେ ପ୍ରମୁଖ କଲେଜ ଭାବରେ ଘୋଷିତ କରାଯାଇଥିଲା। ରାମକୃଷ୍ଣ ମିଶନ ବିଦ୍ୟାମନ୍ଦିର ଏଭଳି କରି ସହିଷ୍ଣୁତାର ଉଦାହରଣ ସୃଷ୍ଟି କରିଛି। ଯଦି କୌଣସି ବ୍ୟକ୍ତି ସ୍ବାମୀ ବିବେକାନନ୍ଦଙ୍କ ବିଚାରଧାରାକୁ ଅନୁସରଣ କରୁଛି ତାହାଲେ ତାଙ୍କ ଦ୍ବାରା ଶିଖା ଯାଇଥିବା ସାର୍ବଭୌମିକ ଧର୍ମକୁ ଆପଣାଇବା ଉଚିତ । ଏଭଳି ଏକ ଉଦାହରଣ ପଶ୍ଚିମବଙ୍ଗରେ ମଧ୍ୟ ଦେଖିବାକୁ ମିଳିଛି । କୋଲକାତା ବିଶ୍ବ ବିଦ୍ୟାଳୟରୁ ସଂସ୍କୃତରେ ସ୍ନାତକ ଏବଂ ସ୍ନାତକତ୍ତୋରରେ ସର୍ବୋଚ୍ଚ ଅଙ୍କ ରଖିଥିବା ସବିର ଅଲ୍ଲୀ ଏବେ ବରାସାତର ପଶ୍ଚିମବଙ୍ଗ ବିଶ୍ବ ବିଦ୍ୟାଳୟରେ ସଂସ୍କୃତ ବିଷୟରେ ନିଯୁକ୍ତି ପାଇଛନ୍ତି।
ଏହା ପୂର୍ବରୁ ମଧ୍ୟ ରାମକୃଷ୍ଣ ମିଶନ ବିଦ୍ୟାମନ୍ଦିରରେ ସାମିମ ଅହମ୍ମଦ ନାମକ ଜଣେ ମୁସଲିମ ବ୍ୟକ୍ତି ଫିଲୋସଫି ବିଭାଗରେ ନିଯୁକ୍ତି ପାଇଥିଲେ। ଅହମ୍ମଦ ବର୍ତ୍ତମାନ ଫିଲୋସଫି ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟ କରୁଛନ୍ତି। ସେ ମହାଭାରତରେ ପିଏଚଡି ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି।