ବର୍ତ୍ତମାନର କୋଭିଡ-୧୯ ସଂଙ୍କଟ ପରିପ୍ରେକ୍ଷୀରେ ଉଦ୍ୟୋଗଗୁଡିକ ସେମାନଙ୍କ ପାଖରେ ଉପଲବ୍ଧ ଥିବା ସୀମିତ ମାନବ ପୁଞ୍ଜିରୁ ସର୍ବାଧିକ ଲାଭ ପାଇବା ଆଶା ରଖନ୍ତି । ଠିକ ସମୟରେ ସଂଖ୍ୟାଧିକ ଫଳାଫଳ ପାଇଁ ସେମାନେ ବହୁମୁଖୀ କୌଶଳ ହାସଲ କରିବା ଦରକାର । ଉଦାହରଣ ସ୍ବରୂପ ଶିକ୍ଷାଦାନ ପେଷାକୁ ନିଆଯାଉ । ପ୍ରାକ୍ କୋଭିଡ ଦୃଶପଟ୍ଟରେ ଅଧିକାଂଶ ପ୍ରତିଷ୍ଠାନରେ ଶିକ୍ଷାଦାନ ପେଷା କେବଳ ‘ଶିକ୍ଷାଦାନ’ରେ ହିଁ ସୀମିତ ରହୁଥିଲା ।
କିନ୍ତୁ ବର୍ତମାନର ସଂଙ୍କଟ ଦୃଷ୍ଟିରୁ ଅନେକ ଉଚ୍ଚ ଶିକ୍ଷାନୁଷ୍ଠାନ ଶିକ୍ଷକମାନଙ୍କୁ ଶିକ୍ଷାଦାନ କାର୍ଯ୍ୟ ସହ ପରାମର୍ଶଦାତା, ଟ୍ରେନର, ପାଣ୍ଠି ସଂଗ୍ରାହକ ଓ ମାର୍କେଟର ଭାବେ ଦେଖିବାକୁ ଚାହାନ୍ତି । ରାଜସ୍ବ ନୂଆ ସୂତ୍ର ଭାବେ ଶିକ୍ଷକମାନଙ୍କୁ ଭୂମିକା ବହୁମୁଖୀ ହେବାକୁ ଯାଉଛି । ଏହାଛଡା ଜାତୀୟ ( ଏନଆଇଆରଏଫ ) ଓ ଆନ୍ତର୍ଜାତିକ ( କ୍ୟୁଏସ- ୱାର୍ଲଡ ) ମାନ୍ୟତା ହାସଲ ପାଇଁ ବି ପ୍ରୟାସ କରିବା ଶିକ୍ଷକଙ୍କ ପାଇଁ ବାଧ୍ୟତାମୂଳକ ହୋଇଛି ।
ଗତ ୬ ମାସ ମଧ୍ୟରେ ବିଭିନ୍ନ ବୈଷୟିକ ଜ୍ଞାନକୌଶଳ ଶିଖି ଶିକ୍ଷକ ଏବେ ଭର୍ଚୁଆଲ ଶିକ୍ଷକରେ ପରିଣତ ହୋଇଛନ୍ତି । ଗତ ୬ ମାସରେ ବହୁମୁଖୀ କୌଶଳ ବା ଦକ୍ଷତା ଆହରଣ ପାଇଁ ସ୍କୁଲ ଓ ଉଚ୍ଚଶିକ୍ଷାନୁଷ୍ଠାନଗୁଡିକରେ ଶିକ୍ଷକ ଗୋଷ୍ଠୀର ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ । ଏବେ ଆସନ୍ତୁ ମ୍ୟାନେଜମେଣ୍ଟ ପେଷା କ୍ଷେତ୍ରରେ ଡିଜିଟାଲ ରୂପାନ୍ତରଣ ଉପରେ ନଜର ପକାଇବା ।
ମ୍ୟାନେମେଣ୍ଟ ପ୍ରଫେସନାଲଙ୍କଠାରୁ କର୍ପୋରେଟ ଜଗତ ବହୁ ଆଶା ରଖିଛି । ଆଉ ସେମାନଙ୍କର ଚାହିଦା ଆଜିକାଲି ବଢିବାରେ ଲାଗିଛି । କୋଭିଡ-୧୯ ସଙ୍କଟ ଯୋଗୁଁ କମ୍ପାନୀଗୁଡିକ ସୀମିତ ବଜେଟରେ ବହୁମୁଖୀ ପ୍ରତିଭା ସଂପନ୍ନ ମାନବ ପୁଞ୍ଜି ଉପରେ ଗୁରୁତ୍ବ ଦେଉଛନ୍ତି । ପ୍ରାକ୍ କୋଭିଡ ସ୍ଥିତି ଅପେକ୍ଷା ବର୍ତମାନ ଫାଇନାନ୍ସ କ୍ଷେତ୍ରରେ ଡିଜିଟାଲ ରୂପାନ୍ତରଣ ଦ୍ରୁତ ଗତିରେ ହେବାକୁ ଲାଗିଛି ।
ବର୍ତମାନ ଫାଇନାନ୍ସ ଓ ଆକାଉଣ୍ଟିଂ ପେଷାଦାରମାନେ ଏମଏସ ଏକ୍ସେଲ୍, ପାୱାର ବିଆଇ, ଏସଏପି-ଇଆରପି, ଏସକ୍ୟୁଏଲ୍ ଡାଟାବେସ୍, ଭର୍ଚୁଆଲ୍ ଅଡିଟ୍ ଓ ଡାଟା ଆନାଲିଟିତ୍ସି ସଫୱେୟାର ପାଇଥନ ଆଦି ଜ୍ଞାନକୌଶଳ କରାଗତ କରି ନିଜର ଦକ୍ଷତା ବୃଦ୍ଧି କରିବାରେ ଲାଗିଛନ୍ତି । ସେମାନଙ୍କର ଏହି ‘ଅପସ୍କିଲିଂ’ ଧୀରେ ଧୀରେ ପ୍ରସାର ହେଉଥିବା ଫିନ୍-ଟେକ୍ ଫିଲ୍ଡରେ ସେମାନଙ୍କୁ ନିୟୋଜିତ ହେବାରେ ସହାୟକ ହେବ ।
ସେହିପରି ଆଇଟି ପ୍ରଫେସନାଲମାନେ ବି ଫାଇନାନ୍ସ ଓ ବ୍ୟାଙ୍କିଂର ବେସିକ ଶିଖି ପିଟୁପି ଲେଣ୍ଡିଂ, ଓପନ ବ୍ୟାଙ୍କିଂ, ବ୍ଲକ୍-ଚେନ୍ ଓ ଫାଇନାନସିଆଲ୍ ରିସର୍ଚ୍ଚ ଭଳି କ୍ଷେତ୍ରକୁ ଫିନ୍ ଟେକ୍ ସଲ୍ୟୁସନ ଯୋଗାଇ ପାରିବେ ।
ଏବେ ଏଚ୍ଆର୍ ଫଙ୍କସନ୍ ଉପରେ ଆଲୋକପାତ କରିବା । ଏକ ଏଣ୍ଟର ପ୍ରାଇଜର୍ସରେ ମାନବ ପୁଞ୍ଜି ପରିଚାଳନା କରେ ଏଚଆର । ସଠିକ୍ ପ୍ରତିଭା ଚିହ୍ନଟ କରିବା ହେଉଛି ସେମାନଙ୍କର ପ୍ରମଖ ଭୂମିକା ।
ପ୍ରତିଭା ଚିହ୍ନଟ ସହ ଆବଶ୍ୟକ ପ୍ରଶିକ୍ଷଣ, ପ୍ରଦର୍ଶନର ସମୀକ୍ଷା ଓ ଶ୍ରେଷ୍ଠ ପ୍ରତିଭାକୁ ପ୍ରମୋଟ କରିବା ବି ଏଚଆର୍ ବିଭାଗର କାମ । ଏହାଛଡା ସେମାନେ ଜବ୍ ଡିଜାଇନ୍,ଜବ୍ ଆନାଲିସିସ୍, ଜବ୍ ରୋଟେସନ୍, କମ୍ପେନସେସନ ପେ’, କର୍ମଚାରୀ ହିତ ଯୋଜନା, ପଦୋନ୍ନତି, ଅଭିଯୋଗ ନିୟନ୍ତ୍ରଣ ଓ ବିବାଦ ସମାଧାନ ପରି କାର୍ଯ୍ୟକଳାପରେ ସଂପୃକ୍ତ ରହିଥାନ୍ତି । କହିବାକୁ ଗଲେ ସେମାନେ, ଦୈନନ୍ଦିନ ‘ହ୍ୟୁମାନ କ୍ୟାପିଟାଲ’ ସହ ଜଡିତ ରହିଥାନ୍ତି । ତେଣୁ ସେମାନଙ୍କୁ ‘ବିହେଭିୟରାଲ ଷ୍ଟଡିଜ୍’, ‘ସାଇକୋଲୋଜି’, ‘ବିଜନେସ ମେନେଜମେଣ୍ଟ’,‘କମ୍ୟୁନିକେସନ’ ଓ ଏବେ ‘ଟେକ୍ନୋଲୋଜ’ ଉପରେ ଗଭୀର ଜ୍ଞାନ ରହିବା ଦରକାର ।
ଏହାଛଡା, କର୍ପୋରେଟ କଲଚର ପ୍ରସାର କ୍ଷେତ୍ରରେ ଏଚଆର୍ ମ୍ୟାନେଜରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ହୋଇଥାଏ ।
କୋଭିଡ-୧୯ ଯୋଗୁଁ କର୍ମଚାରୀମାନେ ଘରୁ କାମ କରୁଛନ୍ତି । ଆଉ ସେହି କର୍ମଚାରୀଙ୍କୁ ଭର୍ଚୁଆଲ ଭାବେ ପରିଚାଳନା କରିବା ନିଶ୍ଚିତ ଭାବେ କଷ୍ଟକର ବ୍ୟାପାର । ତେଣୁ ଏଚଆର ମ୍ୟାନେଜରମାନେ ଅନଲାଇନ ଲିଖିତ ପରୀକ୍ଷା, ଭର୍ଚୁଆଲ ଗୋଷ୍ଠୀ ଆଲୋଚନା, ଭର୍ଚୁଆଲ୍ ସାକ୍ଷାତକାର ଓ ସୋସିଆଲ ନେଟୱର୍କିଂ ୱେବସାଇଟଗୁଡିକରେ ସାମାଜିକ ବ୍ୟବହାରର ପରିଚାଳନା ଓ ତଦାରଖ କରିବାର ନୂଆ କଳାକୌଶଳ ଆହରଣ କରିବା ଜରୁରୀ ।
ଅବଶ୍ୟ, ଭର୍ଚୁଆଲ୍ ପ୍ଲାଟଫର୍ମରେ ଏଚଆର ମ୍ୟାନେଜରମାନେ କର୍ମଚାରୀଙ୍କ ଚରିତ୍ର, ଆଭିମୁଖ୍ୟ, ବ୍ୟବହାର ସଂପର୍କରେ ସଠିକ ଭାବେ ସମୀକ୍ଷା ନ କରିବାର ଆଶଙ୍କା ରହିଛି । କୋଭିଡ-୧୯ ସଂଙ୍କଟ ଯୋଗୁଁ ଏଚଆର ମ୍ୟାନେଜରମାନେ କର୍ମଚାରୀଙ୍କ ମାନସିକ ଅବସାଦ ହ୍ରାସ ପାଇଁ କାଉନସେଲର ଭୂମିକା ବି ତୁଲାଇବାରେ ଲାଗିଛନ୍ତି ।
ସେହିପରି କୋଭିଡ-୧୯ ସଂଙ୍କଟ ସଂପୂର୍ଣ୍ଣ ମାର୍କେଟିଂ ଫଙ୍କସନର ସଂଜ୍ଞା ବଦଳାଇ ଦେଇଛି । କୋଭିଡ ପୂର୍ବ ସ୍ଥିତିରେ କେବଳ ସେଲ୍ସ, ଆଡଭର୍ଟାଇଜିଂ, ବ୍ରାଣ୍ଡିଂ ଓ ମାର୍କେଟ ରିସର୍ଚ୍ଚରେ ସୀମିତ ଥିଲା ମାର୍କେଟିଂ ଫଙ୍କସନ୍ । କୋଭିଡ ସଂକଟ ଯୋଗୁଁ ସେଲସ ମ୍ୟାନେଜରଙ୍କ କାମ ପୂରା ବଦଳିଯାଇଛି । ପର୍ସନାଲ ସେଲିଂ ଠପ୍ ହୋଇଯାଇଛି । ଆଡଭର୍ଟାଇଜିଂ ମ୍ୟାନେଜରମାନେ ମଧ୍ୟ ନୂଆନୂଆ ରଣକୌଶଳ ଆପଣାଉଛନ୍ତି ।
ଏଥିପାଇଁ ସେମାନେ ‘ପେ’ ପେର୍ କ୍ଲିକ୍’ ଡିଜିଟାଲ୍ ମୋଡର ସାହାରା ନେଉଛନ୍ତି । ଏହାଛଡା ଆମାଜନ ପ୍ରାଇମ ଓ ନେଟଫ୍ଲିକ୍ସ ଭଳି ଓଟିଟି ପ୍ଲାଟଫର୍ମଗୁଡିକରେ ସେମାନେ ଫ୍ଲୋଟିଂ ବିଜ୍ଞାପନ ଦେଉଛନ୍ତି । ତେଣୁ ମାର୍କେଟିଂ ଫଙ୍କସନ ମଧ୍ୟ ଡିଜିଟାଲ୍ ମାର୍କେଟିଂ ରେ ରୂପାନ୍ତରିତ ହେବାରେ ଲାଗିଛି । ସେଥିପାଇଁ ମାର୍କେଟିଂ ମ୍ୟାନେଜରମାନେ ନୂଆ ଯୁଗ ଡିଜିଟାଲ୍ ମାର୍କେଟିଂ ସ୍କିଲ୍ ଆପଣାଇବା ଜରୁରୀ ହୋଇପଡିଛି ।
ସେମାନେ ‘ୱେବ୍ ଡିଜାଇନ୍’, ‘ମ୍ୟାନେଜିଂ ସୋସିଆଲ ମିଡିଆ’, ‘ଗୁଗଲ୍ ଆଡ୍ ୱାର୍ଡ୍ସ, ‘ଏସଇଓ’ , ‘ପ୍ରୋଗ୍ରାମିଂ’ ଓ ‘କାଉଣ୍ଟର ରାଇଟିଂ’ କୌଶଳ ଶିଖିବା ଦରକାର ।
ନୂଆ ପ୍ରଯୁକ୍ତି ବିଦ୍ୟା ଓ ଜ୍ଞାନକୌଶଳ ସହାୟତାରେ କୋଭିଡ-୧୯ ମ୍ୟାନେଜମେଣ୍ଟ ଫଙ୍କସନକୁ ଦ୍ରୁତ ଭାବରେ ରୂପାନ୍ତରିତ କରିବାରେ ଲାଗିଛି । ଆଇଆଇଟି ଓ ବିଶ୍ବବିଦ୍ୟାଳୟଗୁଡିକ ଇଂଜିନିୟରିଂ,ଟେକନୋଲୋଜି, ସାଇନ୍ସେସ, ହ୍ୟୁମାନିଟିଜ୍ ଓ ସୋସିଆଲ ସାଇନ୍ସରେ ପାଠ୍ୟକ୍ରମ ବ୍ୟବସ୍ଥା କରିଛନ୍ତି । ବର୍ତମାନ ବିଭିନ୍ନ ଶୃଙ୍ଖଳା ଓ କଷ୍ଟମାଇଜ୍ ମଲଟିଡିସପ୍ଲିନାରୀ ପାଠ୍ୟକ୍ରମ ମିଳାଇବା ସମୟ ଆସିଛି ।
ବ୍ୟବସାୟିକ ସଂପ୍ରଦାୟର ଭବିଷ୍ୟତ ପାଇଁ ଏହା ଜରୁରୀ ।
ଏହାଛଡା ଦେଶର ବିଜିନେଓ ସ୍କୁଲଗୁଡିକ ଟେକନୋଲୋଜି କମ୍ପାନୀଗୁଡିକ ସହ ଚୁକ୍ତି କରି ଟେକ୍ –ସ୍ୟାଭି ମ୍ୟାନେଜର ସୃଷ୍ଟି କରିବା ଉପରେ ଗୁରୁତ୍ବ ଦେବା ଆବଶ୍ୟକ । ବର୍ତମାନର ସଂଙ୍କଟ ପରିପ୍ରେକ୍ଷୀରେ ହ୍ୟୁମାନ କ୍ୟାପିଟାଲ ମଲଟିଡିସପ୍ଲିନାରୀ ସ୍କିଲ୍ ଟେଷ୍ଟ ଗ୍ରହଣ କରିବା ଜରୁରୀ ହୋଇପଡିଛି ।