ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନକୁ ନେଇ ସରଗରମ ରାଜନୈତିକ ମାହୋଲ । ଏଭଳି ପରିସ୍ଥିତିରେ ସବୁଆଡେ ନିର୍ବାଚନ କମିଶନଙ୍କ ତୀକ୍ଷ୍ନ ନଜର ରହିଛି । ଏପରିସ୍ଥଳେ ଆୟକର ବିଭାଗ ବି କସରତ ଆରମ୍ଭ କରିଛି । ଆକ୍ସନ ମୁଡକୁ ଆପଣେଇଛି ଆୟକର ବିଭାଗ । ଦେଶର ପାଞ୍ଚଟି ରାଜ୍ୟର 50ଟି ଭିନ୍ନ ଭିନ୍ନ ସ୍ଥାନ ସମେତ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଓଏସ୍ଡି (ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି) ଭାବେ ନିଯୁକ୍ତ ପ୍ରବୀଣ କକ୍କଡଙ୍କ ବାସଭବନରେ ଆୟକର ବିଭାଗ ରେଡ୍ ମାରିଛି ।
ମିଳିଥିବା ସୂଚନା ଅନୁସାରେ ମଧ୍ୟପ୍ରଦେଶ ସିଏମ୍ କମଲ ନାଥଙ୍କ ଓଏସଡି ପ୍ରବୀଣ କକ୍କରଙ୍କ ଘରେ ଆୟକର ବିଭାଗର ଚଢ଼ାଉ ସମୟରେ ବିପୁଳ ପରିମାଣର ଟଙ୍କା ଜବତ ହୋଇଛି । ଶନିବାର ରାତି ପ୍ରାୟ ୩ଟାରେ ଆୟକର ଅଧିକାରୀମାନେ ଏହି ଚଢ଼ାଉ କରିଥିଲେ। ଇନ୍ଦୋରର ବିଜୟ ନଗର ଅଞ୍ଚଳରେ ଥିବା ତାଙ୍କ ବାସଭବନରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଚଢ଼ାଉ କରାଯାଇଛି। ଏହାସହ କମଳନାଥଙ୍କ ଘନିଷ୍ଠ ରାଜେନ୍ଦ୍ର କୁମାର ମିଗଲାନୀଙ୍କ ବିଭିନ୍ନ ଠିକଣାରେ ମଧ୍ୟ ଆୟକର ବିଭାଗ ରେଡ କରିଛି । ଶେଷ ଖବର ସୁଦ୍ଧା 9କୋଟି ଜବତ କରିଛି ଆୟକର ବିଭାଗ ।
ଅଧିକ ପଢନ୍ତୁ: ଭାରତୀୟଙ୍କୁ ‘ମାଙ୍କଡ’ କହି ବିବାଦରେ ପିଟ୍ରୋଡା
ଆୟକର ବିଭାଗ ସୂଚନା ଅନୁସାରେ ଦେଶର ୫୦ଟି ସ୍ଥାନରେ ଚଢ଼ାଉ କରାଯାଇଥିବା ବେଳେ ଏଥିରେ ୩୦୦ ଆୟକର ଅଧିକାରୀ ସାମିଲ ହୋଇଛନ୍ତି। ଗୋଆ, ଇନ୍ଦୋର ଗୋଆ ସମେତ ଦିଲ୍ଲୀର ୩୫ଟି ସ୍ଥାନରେ ଏହି ଚଢ଼ାଉ ଚାଲିଛି। ଭୋପାଲର ପ୍ରତୀକ ଜୋଶୀଙ୍କ ନିକଟରୁ ବିପୁଳ ପରିମାଣର ଟଙ୍କା ଜବତ କରିଛି ଆୟକର ବିଭାଗ ।