ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର 170 ଟି ଜିଲ୍ଲାକୁ କୋଭିଡ -19 ହଟସ୍ପଟ୍ ଭାବରେ ଚିହ୍ନଟ କରିଛନ୍ତି । ଏହାକୁ ରେଡ୍ ଜୋନ୍ ଅନ୍ତର୍ଗତ ଶ୍ରେଣୀଭୁକ୍ତ କରିଛନ୍ତି, ଯେଉଁଥିରେ କୋରୋନା ଭାଇରସ ବିସ୍ତାରକୁ ରୋକିବା ପାଇଁ କଡା କଟକଣା ଲାଗିବ।
ସେଥିମଧ୍ୟରୁ 123 ଟି ଜିଲ୍ଲାରେ କୋରୋନା ସଂଖ୍ୟା ଅଧିକ ରହିଛି । ଓ ଅନ୍ୟ 47ଟି କ୍ଲଷ୍ଟର ଜିଲ୍ଲା ଭାବେ ଘୋଷଣା କରାଯାଇଛି । ଏହାସହ 207ଟି ନନ୍-ହଟସ୍ପଟ ସ୍ଥାନ ଭାବରେ ଘୋଷଣା କରାଯାଇଛି ।
ଅଧିକ ମାମଲା ସାମ୍ନାକୁ ଆସିଥିବା ଜିଲ୍ଲାକୁ ହଟସ୍ପଟ ଓ ଯେଉଁଠି ଅଳ୍ପ ମାମଲା ସାମ୍ନାକୁ ଆସିଛି, ତାହାକୁ ନନ-ହଟସ୍ପଟ ଓ ଯେଉଁଠି କିଛି ବି ମାମଲା ନାହିଁ ସେହି ସ୍ଥାନକୁ ଗ୍ରୀନ ଜୋନ୍ ଭାବେ ଚିହ୍ନଟ କରାଯାଇଛି । ତାମିଲନାଡୁର 27ଟି ଜିଲ୍ଲା ମଧ୍ୟରୁ 22ଟି ଜିଲ୍ଲା କୋରୋନା ହଟସ୍ପଟ । ଏହି ରାଜ୍ୟର ସର୍ବାଧିକ ଜିଲ୍ଲାକୁ ଚିହ୍ନଟ କରାଯାଇଛି । ଏହାପରେ ମହାରାଷ୍ଟ୍ରର 14ଟି ଜିଲ୍ଲା, ଆନ୍ଧ୍ରପ୍ରଦେଶର 11ଟି ଓ ଦିଲ୍ଲୀର 10ଟି ଜିଲ୍ଲା ଚିହ୍ନଟ କରାଯାଇଛି ।
600 ରୁ ଅଧିକ ମାମଲା ଥିବା ତେଲେଙ୍ଗାନା ତାଲିକାରେ 9ଟି ହଟସ୍ପଟ୍ ଜିଲ୍ଲା ରହିଛି । ଏହାପରେ ପଞ୍ଜାବ, ଜାମ୍ମୁ କାଶ୍ମୀର ଏବଂ କର୍ଣ୍ଣାଟକରେ 8ଟି, କେରଳ 7ଟି, ଗୁଜୁରାଟ, ମଧ୍ୟପ୍ରଦେଶ ଏବଂ ହରିୟାଣାରେ 6 ଟି ମାମଲା ରହିଛି। ଆସାମ ଏବଂ ହିମାଚଳ ପ୍ରଦେଶରେ ଏହିପରି 5ଟି ଜିଲ୍ଲା ରହିଛି । ରେଡ୍ ଜୋନରେ ବିହାର ଏବଂ ପଶ୍ଚିମବଙ୍ଗର ପ୍ରତ୍ୟେକଟି 4ଟି ଜିଲ୍ଲା ଅଛି ।
ସରକାର ମଧ୍ୟ 207 ଟି ଜିଲ୍ଲାକୁ ନନ୍-ହଟସ୍ପଟ୍ ଜିଲ୍ଲା ଭାବରେ ଚିହ୍ନଟ କରିଛନ୍ତି । ଏହାକୁ ହ୍ବାଇଟ ଜୋନ୍ ଅନ୍ତର୍ଭୁକ୍ତ କରାଯାଇଛି । 353 ଟି ଜିଲ୍ଲା ଗ୍ରୀନ୍ ଜୋନ୍ ଅଧୀନରେ ରହିଛି । ଗ୍ରୀନ୍ ଜୋନ୍ ଅଧୀନରେ ଥିବା 353 ଟି ଜିଲ୍ଲାକୁ ଏପ୍ରିଲ୍ 20 ରୁ ଲକ୍ ଡାଉନରୁ ଆଶ୍ବସ୍ତି ମିଳିପାରିବ ।