ନୂଆଦିଲ୍ଲୀ: ଗତ ୧୨ ତାରିଖରେ ଏକ ଚ୍ୟାନେଲର ଲୋକପ୍ରିୟ ଶୋ' 'ମ୍ୟାନ୍ ଭର୍ସେସ ୱାଇଲ୍ଡ'ର ସ୍ବତନ୍ତ୍ର ଏପିସୋଡରେ ଉପସ୍ଥାପକ ବିୟର ଗ୍ରିଲ୍ସଙ୍କ ସହ ନଜର ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଏପିସୋଡ ସାରା ବିଶ୍ବରେ ବେଶ୍ ଲୋକପ୍ରିୟ ହୋଇଥିଲା । କିନ୍ତୁ ସଭିଁଙ୍କ ମନରେ ଛାଡିଯାଇଥିଲା ଏକ ପ୍ରଶ୍ନ । ଏହି ଏପିସୋଡରେ ମୋଦି ହିନ୍ଦୀରେ କଥା ହେଉଥିଲେ, କିନ୍ତୁ ବିୟର ଗ୍ରିଲ୍ସଙ୍କୁ ହିନ୍ଦୀ ଆସେ ନାହିଁ । ତଥାପି ସେ ମୋଦିଙ୍କ କଥାକୁ କେମିତି ବୁଝୁଥିଲେ? ଏନେଇ କିଛି ଲୋକ ମୋଦିଙ୍କୁ ପ୍ରଶ୍ନ ମଧ୍ୟ କରିଥିଲେ ।
ତେବେ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଜରିଆରେ ରବିବାର ଏହାର ଉତ୍ତର ରଖିଛନ୍ତି ମୋଦି । ସେ କହିଛନ୍ତି, ମୋର ଏବଂ ବିୟର ଗ୍ରିଲ୍ସଙ୍କ କଥାବାର୍ତ୍ତାରେ ଟେକ୍ନୋଲୋଜି ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲା । ମୋଦିଙ୍କ ହିନ୍ଦୀ ବୁଝିବା ପାଇଁ ଗ୍ରିଲ୍ସଙ୍କ କାନରେ ଏକ କର୍ଡଲେସ୍ ଡିଭାଇସ୍ ଲଗାଯାଇଥିଲା । ଯାହା ତୁରନ୍ତ ମୋଦିଙ୍କ ହିନ୍ଦୀ ଭାଷାକୁ ଇଂରାଜୀରେ ଅନୁବାଦ କରି ଦେଉଥିଲା । ଫଳରେ ସେମାନଙ୍କ ଭିତରେ ଖୁବ୍ ସହଜରେ କଥାବାର୍ତ୍ତା ହୋଇପାରୁଥିଲା ବୋଲି ମୋଦି କହିଛନ୍ତି ।