ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା 370 ହଟାଇ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଅନେକ ସମୟ ଧରି ଏହାକୁ ହଟାଇବା ପାଇଁ ଦାବି ହେଉଥିଲେ ମଧ୍ୟ ମାମଲା ସର୍ବଦା ଅଣଦେଖା ହୋଇ ରହିଯାଉଥିଲା । ଯାହାକୁ ମୋଦି ସରକାର ପୂରଣ କରିଛନ୍ତି । ତେବେ ଏହି ନିର୍ଣ୍ଣୟ ଖୁବ୍ ଭାବି ଚିନ୍ତି ନିଆଯାଇଛି ବୋଲି ମୋଦି କହିଛନ୍ତି । କାଶ୍ମୀରକୁ ନେଇ ସରକାର ବଡ ଯୋଜନା ମଧ୍ୟ କରିଥିବା ଗଣମାଧ୍ୟମରେ ଖୁଲାସା କରିଛନ୍ତି ସେ ।
ଏକ ଜାତୀୟ ଗଣମାଧ୍ୟମ ସାକ୍ଷାତକାରରେ ମୋଦି କାଶ୍ମୀର ମାମଲାରେ ଚର୍ଚ୍ଚା କରିଛନ୍ତି । ସେ କହିଛନ୍ତି, ଜମ୍ମୁ-କାଶ୍ମୀରକୁ ନେଇ ଭାରତ ଯେଉଁ ନିଷ୍ପତ୍ତି ନେଇଛି ତାହା ସମ୍ପୁର୍ଣ୍ଣ ଭାବରେ ନିଜସ୍ବ ମାମଲା । ଏହି ନିଷ୍ପତ୍ତି ଭଲଭାବେ ବିଚାର ବିମର୍ଶ କରି ଭାବିଚିନ୍ତି ନିଆଯାଇଥିବା ପଦକ୍ଷେପ । ଘାଟିବାସୀଙ୍କ ସୁବିଧାକୁ ନଜରରେ ରଖି ଏଭଳି କରାଯାଇଥିବା ମୋଦି କହିଛନ୍ତି ।
ନୂଆ କାଶ୍ମୀରରେ ଏବେ ନିଶ୍ଚୟ ରୂପରେ ବିକାଶ ହେବ ବୋଲି ଆଶା ପୋଷଣ କରିଛନ୍ତି ମୋଦି । ସେ କହିଛନ୍ତି, ଦୁନିଆର ଆର୍ଥିକ ବିକାଶ ବନ୍ଦ ବାତାବରଣରେ ହୋଇପାରିବ ନାହିଁ । ନିବେଶ ପାଇଁ ଏକ ଅଲଗା ବାତାବରଣର ଆବଶ୍ୟକତା ରହିଥାଏ । ଆଜିର ଦିନରେ ଆର୍ଥିକ ବିକାଶ ପାଇଁ ଉଚିତ ବିଚାର ଓ ଖୋଲା ବଜାରର ଆବଶ୍ୟକତା ରହିଛି । ଯାହା ଏବେ ଏଠାକାର ଯୁବକଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହି ଯୁବବର୍ଗ ବିକାଶରେ ସହଯୋଗ କରିବେ ବୋଲି ମୋଦି କହିଛନ୍ତି ।
ନିବେଶ ପାଇଁ ସ୍ଥିରତା, ବଜାର ଓ ଆଇନ ଗୁରୁତ୍ବପୂର୍ଣ୍ଣ ହୋଇଥାଏ । ଧାରା ୩୭୦ ହଟାବା ପରେ ଏଠାରେ ନିବେଶ ନିଶ୍ଚିତ ରୂପରେ ବୃଦ୍ଧି ପାଇବ । ଜମ୍ମୁ-କାଶ୍ମୀରରେ ଏବେ ପର୍ଯ୍ୟଟନ, କୃଷି, ଆଇଟି, ସ୍ବାସ୍ଥ୍ୟ ସେବା ଭଳି ବିଭିନ୍ନ କ୍ଷେତ୍ରରେ ଦ୍ରୁତ ବିକାଶ ହେବ । ଜମ୍ମୁ-କାଶ୍ମୀର ସହ ବର୍ତ୍ତମାନ ଦେଶର ଆୟ ମଧ୍ୟ ବୃଦ୍ଧି ପାଇବ ବୋଲି ମୋଦି ଆଶା ପ୍ରକାଶ କରିଛନ୍ତି ।