ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ଫତେହପୁର ବେରୀ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ଜଣେ 8 ବର୍ଷର ନାବାଳକ ପଡୋଶୀ ଘରେ ରହୁଥିବା ଏକ ଦେଢ ବର୍ଷର ଶିଶୁକୁ ହତ୍ୟା କରିଛି । ଆଉ ହତ୍ୟା ପଛର କାରଣ ଜାଣିଲେ ଆପଣ ମଧ୍ୟ ହତଚକିତ ହୋଇଯିବେ । ଦୁନିଆ ବଦଳିବା ସହିତ ବଦଳୁଛି ମାନସିକତା । ଆଉ ଏଭଳି ଦୁର୍ବଳ ମାନସିକତାର ଶିକାର ହେଉଛନ୍ତି ନୀରିହ ନିଷ୍ପାପ ଶିଶୁ ।
ଅଭିଯୁକ୍ତ ନାବାଳକର କହିବାନୁଯାୟୀ, ମୃତ ଶିଶୁର ବଡଭଉଣୀ କୌଣସି କାରଣକୁ ନେଇ ଅଭିଯୁକ୍ତ ନାବାଳକର ସାନ ଭାଇକୁ ଏକ ଚାପୁଡା ମାରିଥିଲା । ଯେଉଁଥିପାଇଁ ନାବାଳକ ଜଣଙ୍କ ରାଗ ରଖିଥିଲା । ଆଉ ସୁଯୋଗ ପାଇ ଦେଢ ବର୍ଷର ଶିଶୁଟି ଯେତବେଳେ ମାଆ ଓ ଭଉଣୀ ପାଖରେ ଶୋଇଥିବାବେଳେ ତାକୁ ଘରୁ ଟେକିଆଣିଥିଲା । ଆଉ ଘରପାଖରେ ଥିବା ଏକ ନାଳରେ ବହୁବାର ଶିଶୁଟିକୁ ବୁଡାଇଥିଲା । ଏହାପରେ ପଥର ଓ ଇଟାରେ ବହୁ ଥର ଛେଚିଥିଲା । ଏହାପରେ ତାକୁ ଉକ୍ତ ନାଳ ପାଖରେ ଫୋପାଡି ଦେଇ ନିଜେ ଫେରାର ହୋଇଯାଇଥିଲା ।
ଯେତବେଳେ ଉକ୍ତ ଶିଶୁର ମାଆ ଓ ଭଉଣୀ ନିଜ ପୁଅକୁ ନପାଇ ଖୋଜାଖୋଜି କରି ନପାଇବାରୁ ଘଟଣାର ଖବର ଫତେପୁର ଥାନାରେ ଦେଇଥିଲେ । ଏହାପରେ ପୋଲିସ ତାର ତଦନ୍ତ ଆରମ୍ଭ କରି ବହୁ ଖୋଜାଖୋଜି ପରେ ଶିଶୁଟିକୁ ନାଳ ପାଖରେ ପଡିଥିବାର ଦେଖିବାକୁ ପାଇଥିଲା । ତେବେ ସେହି ଅଞ୍ଚଳର ଆଉ ଏକ 8 ବର୍ଷର ନାବାଳକ ନିଖୋଜ ଥିବା ଜାଣିବାକୁ ପାଇଥିଲା ପୋଲିସ ।
ଏହାପରେ ପୋଲିସର ସନ୍ଦେହ ଆହୁରି ବଢିଯାଇଥିଲା । ଯାହାକୁ ନେଇ ଖୋଳତାଡ ଆରମ୍ଭ କରି ଶେଷରେ ନାବାଳକକୁ ଖୋଜି ପାଇଥିଲା ଫତେପୁର ପୋଲିସ । ଏହାପରେ ଉକ୍ତ ନାବାଳକ ପାଟିରୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଶୁଣି ହତଚକିତ ହୋଇଯାଇଥିଲା ପୋଲିସ । ଏହି ଘଟଣା ଗତ 27 ତାରିଖରେ ଘଟିଥିବାବେଳେ ମଙ୍ଗଳବାର ଅଭିଯୁକ୍ତକୁ ଜୁଭେନାଇଲ ଜଷ୍ଟିସ ବୋର୍ଡ ସମ୍ମୁଖରେ ହାଜର କରାଯିବ ।