ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ୟୁନିସେଫ ଓ ଅନ୍ୟ ଏଜେନସୀ ୧୧୭ ମିଲିଅନ ଶିଶୁଙ୍କୁ ମିଳିମିଳା ଟୀକା ନ ମିଳିବା ନେଇ ଚେତାବନୀ ଜାରି କରିଛନ୍ତି । କୋଭିଡ-୧୯ ସଂକଟ ମଧ୍ୟରେ ମିଳିମିଳା ଟୀକାକରଣ ପ୍ରଭାବିତ ହୋଇଛି । ହେଲେ ଶିଶୁଙ୍କୁ ଜୀବନ ରକ୍ଷକ ଟୀକା ଯେପରି ମିଳିବ ତାହା ନିଶ୍ଚିତ କରିବାକୁ ବିଶ୍ୱନେତାଙ୍କୁ ଅନୁରୋଧ କରାଯାଇଛି ।
ନିଉୟର୍କ – ବିଶ୍ୱର ୧୧୭ ମିଲିଅନରୁ ଅଧିକ ଶିଶୁଙ୍କୁ ମିଳିମିଳା ଟୀକା ନ ମିଳିବା ଆଶଙ୍କା ଦେଖାଦେଇଛି । ବିଶ୍ୱବ୍ୟାପୀ କୋରୋନା ମହାମାରୀ ସଂକଟ ମଧ୍ୟରେ ଶିଶୁମାନଙ୍କ ପାଇଁ ଜୀବନ ରକ୍ଷକ ମିଳିମିଳା ଟୀକା ବଡ ସମସ୍ୟା ହୋଇଛି । କୋଭିଡ -୧୯ ସଂକଟ ଯୋଗୁଁ ବିଶ୍ୱର ୨୪ଟି ଦେଶରେ ମିଳିମିଳା ଟୀକାକରଣ ଅଭିଯାନ ବିଳମ୍ବିତ ହୋଇଛି । ମିଜଲ୍ସ ଆଣ୍ଡ୍ ରୁବେଲା ଇନିସିଏଟିଭ୍, ଆମେରିକୀୟ ରେଡ କ୍ରସ୍, ୟୁନିସେଫ୍ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ମିଳିତ ବିବୃତିରେ ଏହା କୁହାଯାଇଛି । କୋଭିଡ-୧୯ ସଂକ୍ରମଣ ଯୋଗୁଁ ଅନ୍ୟ ଅନ୍ୟ ୧୩ଟି ଦେଶରେ ମଧ୍ୟ ମିଳିମିଳା ଟୀକାକରଣ କାଯ୍ୟ ର୍କ୍ରମ ପ୍ରଭାବିତ ହୋଇଥିବା ବିବୃତିରେ କୁହାଯାଇଛି । ତେବେ, ଦେଶଗୁଡିକ ନିୟମିତ ଟୀକାକରଣ ସେବା ଜାରି ରଖିବା ଉପରେ ଗୁରୁତ୍ୱ ଦେଇଛି ମିଜଲ୍ସ ଆଣ୍ଡ୍ ରୁବେଲା ଇନିସିଏଟିଭ୍ ।
ଗୋଷ୍ଠୀ ଓ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ନିଶ୍ଚିତ କରିବା ସହ ନିୟମିତ ଭାବେ ଟୀକାକରଣ ସେବା ଜାରି ରଖାଯିବା ଜରୁରୀ ବୋଲି କୁହାଯାଇଛି । କୋରୋନା ମହାମାରୀ ବେଳେ ବି ମିଳିମିଳା ଟୀକାକରଣ ନେଇ ବିଭିନ୍ନ ଦେଶକୁ ସହାୟତା ଉପରେ ଜୋର୍ ଦିଆଯାଇଛି । ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଜାରି ଗାଇଡଲାଇନ୍ସର ଉଦାହରଣ ଦିଆଯାଇଛି ।
କୋଭିଡ-୧୯ ଯୋଗୁଁ ଯଦି ଟୀକାକରଣ ଅଭିଯାନ ବନ୍ଦ ପାଇଁ ନିଷ୍ପତି ନିଆଯାଏ, ତାହା ହେଲେ ଟୀକାରୁ ବଂଚିତ ଶିଶୁଙ୍କୁ ଅନ୍ୱେଷଣ କରାଯିବାକୁ ବିଶ୍ୱ ନେତାଙ୍କୁ ଆହ୍ୱାନ ଦିଆଯାଇଛି । ଏହାଦ୍ୱାରା ଯେତେ ଶୀଘ୍ର ସମ୍ଭବ ଅନେକ ଶିଶୁଙ୍କୁ ମିଳିମିଳା ଟୀକା ଦିଆଯାଇପାରିବ ବୋଲି ଚାରି ସଂସ୍ଥା ପକ୍ଷରୁ ଜାରି ମିଳିତ ବିବୃତିରେ କୁହାଯାଇଛି । ବିବୃତିରେ ଆହୁରି ମଧ୍ୟ କୁହାଯାଇଛି ଯେ,କୋରୋନା ମାହାମାରୀ ଯୋଗୁଁ ଟୀକାକରଣ ଅଭିଯାନ ବିଳମ୍ବ କରାଯିବ କି ନାହିଁ , ତାହା ସଂପୃକ୍ତ ଦେଶର ସରକାରମାନେ ବେଶ ସତର୍କତାର ସହ ସମୀକ୍ଷା କରିବା ଜରୁରୀ । କୋରୋନା ଆତଙ୍କ ଯୋଗୁଁ ବିଭିନ୍ନ ଦେଶର ସ୍ୱାସ୍ଥ୍ୟବ୍ୟବସ୍ଥା ଚାପରେ ଥିଲେ ମଧ୍ୟ ମିଳିମିଳା ଟୀକାକରଣ ଭଳି ପ୍ରତିରୋଧକ ସେବା ପ୍ରଦାନ ଜରୁରୀ ବୋଲି ବିବୃତିରେ କୁହାଯାଇଛି ।