ନୂଆଦିଲ୍ଲୀ: ଆର୍ମୀ କ୍ୟାଣ୍ଟିନରୁ ବ୍ୟାନ ହେବ ଚାଇନା ସାମଗ୍ରୀ । ଆତ୍ମନିର୍ଭର ଭାରତ ଯୋଜନା ଅଧିନରେ ସ୍ଥାନୀୟ ସାମଗ୍ରୀକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଆର୍ମୀ କ୍ୟାଣ୍ଟିନ ଷ୍ଟୋର ଡିପାର୍ଟମେଣ୍ଟରେ ଚାଇନାର ସାମଗ୍ରୀ ବିକ୍ରି ଉପରେ ବ୍ୟାନ ଲଗାଇବା ନେଇ କାର୍ଯ୍ୟ କରୁଛି ।
ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ଯେ, କ୍ୟାଣ୍ଟିନ ଷ୍ଟୋର ଡିପାର୍ଟମେଣ୍ଟ (ସିଏସଡି) ଏବଂ ୟୁନିଟ ଅଧୀନରେ ଥିବା କ୍ୟାଣ୍ଟିନରେ ଅନେକ ଆମଦାନୀ ସାମଗ୍ରୀ ବିକ୍ରି ବନ୍ଦ ହେବାକୁ ଯାଉଛି ।
ସିଏସଡି ଦେଶର ସବୁଠାରୁ ବଡ ଖୁଚୁରା ଷ୍ଟୋର୍ ଚେନ୍ ମଧ୍ୟରୁ ଗୋଟିଏ । ଯାହା ଅଧିନରେ ମୋଟ 3,500 ରୁ ଅଧିକ କ୍ୟାଣ୍ଟିନ ରହିଛି । ଏହା ଉତ୍ତରରେ ଥିବା ସିଆଚେନ୍ ଗ୍ଲେସିୟରରୁ ଦେଶର ଦକ୍ଷିଣ ଭାଗରେ ଥିବା ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ମଧ୍ୟରେ ବ୍ୟାପିଛି ।
ସିଏସଡିରେ ବିକ୍ରି ହେଉଥିବା 5000ରୁ ଅଧିକ ଜିନିଷ ମଧ୍ୟରୁ ପ୍ରାୟ 400 ଜିନିଷ ଆମଦାନୀ ହୋଇଥାଏ | ଏଥିମଧ୍ୟରୁ ଅଧିକାଂଶ ଆଇଟମ୍ ଚାଇନିଜ୍ ଫାର୍ମରୁ ଆସିଥାଏ । ସେଗୁଡିକ ହେଲା ଟଏଲେଟ୍ ବ୍ରସ୍, ଡାଏପର ପ୍ୟାଣ୍ଟ, ଚାଉଳ କୁକର, ଇଲେକ୍ଟ୍ରିକ୍ କେଟଲ୍, ସ୍ୟାଣ୍ଡୱିଚ୍ ଟୋଷ୍ଟର, ଭାକ୍ୟୁମ୍ କ୍ଲିନର୍, ଚଷମା, ଲେଡିଜ୍ ହ୍ୟାଣ୍ଡବ୍ୟାଗ୍, ଲାପଟପ୍ ଏବଂ ଡେସ୍କଟପ୍ କମ୍ପ୍ୟୁଟର ।
ସିଏସଡି କାଉଣ୍ଟର ମାଧ୍ୟମରେ ଏହି ଜିନିଷଗୁଡ଼ିକର ବିକ୍ରୟ ଉପରେ ବ୍ୟାନ ଲଗାଯିବ । ସେଗୁଡିକୁ ଭାରତୀୟ ଉତ୍ପାଦ ଆକାରରେ ବଦଳାଇ ଦିଆଯିବ ବୋଲି ସୂତ୍ରରୁ ପ୍ରକାଶ। ସୂତ୍ରରୁ ପ୍ରକାଶ ଯେ, କ୍ୟାଣ୍ଟିନରେ ବିକ୍ରି ହେଉଥିବା ବିଦେଶୀ ମଦ ଆମଦାନୀ ମଧ୍ୟ ବନ୍ଦ ହୋଇପାରେ।