ନୂଆଦିଲ୍ଲୀ: ପାକିସ୍ତାନ ସେନାର ସାମ୍ୱାଦିକ ସମ୍ମିଳନୀ ପ୍ରସାରଣ ଅଭିଯୋଗରେ ଦୁଇଟି ଟିଭି ଚ୍ୟାନେଲକୁ ନୋଟିସ ଜାରି ହୋଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ(ଏମଆଇବି) ପକ୍ଷରୁ ଏହି ନୋଟିସ ଜାରି ହୋଇଛି। ସରକାର ହିଂସାତ୍ମକ ଖବର ପ୍ରସାରଣ ଉପରେ ରୋକ ଲଗାଇଥିବାବେଳେ ଏପରି ଖବର ପରିବେଷଣ କରିବାରୁ ଏହି ନୋଟିସ ଦିଆଯାଇଛି।
ସୂଚନାଯୋଗ୍ୟ ଯେ ଫେବୃୟାରୀ ୨୨ ତାରିଖରେ ପାକିସ୍ତାନୀ ସେନାର ମୁଖପାତ୍ର ସାମ୍ବାଦିକଙ୍କ ସହ କଥା ହେବା ବେଳେ ସେହି ଆଲୋଚନାକୁ ଟିଭିରେ ପ୍ରସାରଣ କରାଯାଇଥିଲା । ଏହା କେବୁଲ ଟେଲିଭିଜନ ନେଟୱାର୍କସ ଆକ୍ଟ ୧୯୯୫ରେ ଥିବା କୋଡ ଉଲ୍ଲଙ୍ଘନ କରୁଛି । ତେଣୁ ତ୍ରିରଙ୍ଗା ଟିଭି ଏବଂ ଏବିପି ନ୍ୟୁଜକୁ ଏହି ନୋଟିସ ଜାରି ହୋଇଛି ।
ଉଲ୍ଲେଖଯୋଗ୍ୟ ଯେ ଗତ ଫେବୃୟାରୀ ୧୪ ତାରିଖରେ ଜମ୍ମୁ ଓ କଶ୍ମୀରର ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ସମସ୍ତ ଟିଭି ଚ୍ୟାନେଲଙ୍କୁ ସରକାର ନିର୍ଦ୍ଦେଶନାମା ଦେଇଥିଲେ । ଏଥିରେ ହିଂସାକୁ ପ୍ରୋତ୍ସାହନା ଦେବା ପରି କୌଣସି କାର୍ଯ୍ୟକ୍ରମ ପ୍ରସାରଣ କରିବାକୁ ମନା କରାଯାଇଥିଲା । ତେବେ ଏହା ଉପରେ ଦୁଇ ନ୍ୟୁଜ ଚ୍ୟାନେଲ କିମ୍ୱା ନ୍ୟୁଜ ବ୍ରଡକାଷ୍ଟର ଆସୋସିଏସନ(ଏନବିଏ) କେହି ମଧ୍ୟ କୌଣସି ଜବାବ ଦେଇନାହାନ୍ତି।