ନୂଆଦିଲ୍ଲୀ: କେନ୍ଦ୍ର ସରକାର ପ୍ରବାସୀ ଶ୍ରମିକ, ଛାତ୍ର, ତୀର୍ଥଯାତ୍ରୀ, ପର୍ଯ୍ୟଟକଙ୍କ ପାଇଁ ଲକଡାଉନ୍ ନିୟମରେ କୋହଳ କରିଛନ୍ତି । ଗୃହ ମନ୍ତ୍ରଣାଳୟର ଜାରି କରାଯାଇଥିବା ନୂଆ ଗାଇଡଲାଇନ୍ ଅନୁସାରେ, ନିଜ ନିଜ ରାଜ୍ୟକୁ ଫେରିପାରିବେ ଶ୍ରମିକ ଓ ଛାତ୍ର । ବିପର୍ଯ୍ୟୟ ପରିଚାଳନା ଆଇନର କ୍ଷମତା ପ୍ରୟୋଗ କରି ଗୃହ ସଚିବଙ୍କ ଦ୍ବାରା ଏହି ନିର୍ଦ୍ଦେଶ ଜାରି କରାଯାଇଛି। ସ୍ବାସ୍ଥ୍ୟ ପରୀକ୍ଷା ଠାରୁ ଆରମ୍ଭ କରି କ୍ବାରେଣ୍ଟାଇନ୍ ଇତ୍ୟାଦି ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ପାଇଁ କଡା ନିର୍ଦ୍ଦେଶନାମା ଜାରି କରାଯାଇଛି।
ଜାତୀୟ କାର୍ଯ୍ୟନିର୍ବାହୀ କମିଟିର ସଭାପତି ଭାବରେ ଗୃହ ସଚିବ ଅଜୟ କୁମାର ଭଲ୍ଲାଙ୍କ ପକ୍ଷରୁ ନିର୍ଦ୍ଦେଶରେ କୁହାଯାଇଛି ଯେ ଲକଡାଉନ୍ କାରଣରୁ ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ର ଏବଂ ଅନ୍ୟାନ୍ୟ ବ୍ୟକ୍ତି ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି। ଏଭଳି ପରିସ୍ଥିତିରେ ସେମାନଙ୍କୁ ସର୍ତ୍ତମୂଳକ ଭାବେ ଯିବାକୁ ଅନୁମତି ଦିଆଯିବ ।
ଏହି ପ୍ରସଙ୍ଗରେ କଂଗ୍ରେସ ନେତା ଆଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ‘ଆଜି ଆନ୍ତଃରାଜ୍ୟ ଯାନବାହାନ ଚଳାଚଳ କରିବାକୁ ଗୃହମନ୍ତ୍ରୀଙ୍କ ନିଷ୍ପତ୍ତିକୁ ନେଇ ଆମେ ଖୁସି ଅଛୁ, ପ୍ରବାସୀ ଶ୍ରମିକମାନେ ଅଧିକ ଖୁସି ଅଛନ୍ତି କିନ୍ତୁ ଏହି ଲୋକମାନେ କିପରି ଘରକୁ ଫେରିବେ? ବସ୍, ଟ୍ରେନ୍ ଏବଂ ଅନ୍ୟାନ୍ୟ ଯାନ ସାହାଯ୍ୟରେ ଏହି ଲୋକଙ୍କୁ ନିଜ ଘରକୁ ପରିବହନ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ମୁଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି’ ।
ସମସ୍ତ ରାଜ୍ୟରେ ଲକଡାଉନରେ ଫସି ରହିଥିବା ଲୋକଙ୍କ ଆନ୍ତଃରାଜ୍ୟ ପରିବହନ ପାଇଁ ନୋଡାଲ ଅଧିକାରୀ ନିଯୁକ୍ତ କରାଯିବ। ନିଜ ଲୋକଙ୍କୁ ଆଣିବା ଏବଂ ଅନ୍ୟ ରାଜ୍ୟରୁ ଲୋକଙ୍କୁ ପଠାଇବା ପାଇଁ ରାଜ୍ୟଗୁଡିକ ଉପଯୁକ୍ତ ପ୍ରୋଟୋକଲ୍ ଅନୁସରଣ କରିବାକୁ ପଡିବ । ପରସ୍ପରର ରାଜ୍ୟରେ ଗୋଷ୍ଠୀରେ ଫସି ରହିଥିବା ଲୋକଙ୍କୁ ଆଣିବା ଏବଂ ବହନ କରିବା ପାଇଁ ରାଜ୍ୟମାନେ ଆଲୋଚନା କରିବେ ଏବଂ ଉପଯୁକ୍ତ ବ୍ୟବସ୍ଥା କରିବେ।
ବାହାରୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କ ସ୍କ୍ରିନିଂକୁ ବାଧ୍ୟତାମୂଳକ କରାଯାଇଛି। ଲୋକଙ୍କୁ ଆଣିବା ଏବଂ ପଠାଇବାରେ ବ୍ୟବହୃତ ବସ ସ୍ବଚ୍ଛ କରିବାକୁ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ବସ ଭିତରେ ମଧ୍ୟ ସାମାଜିକ ଦୂରତା ଅନୁସରଣ କରିବାକୁ ପଡିବ।
ଲୋକଙ୍କୁ ଆରୋଗ୍ୟ ସେତୁ ଆପ ଡାଉନଲୋଡ୍ କରିବାକୁ ଉତ୍ସାହିତ କରିବାକୁ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ସମସ୍ତ ରାଜ୍ୟକୁ 11 ମାର୍ଚ୍ଚ 2020 ରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ପଡିବ।