ନୂଆଦିଲ୍ଲୀ: ଦେଶରେ ଥିବା ସର୍ବୋତ୍କୃଷ୍ଟ ଭେଷଜ ଶିକ୍ଷାନୁଷ୍ଠାନ ଅଲଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡ଼ିକାଲ ସାଇନ୍ସ ବା ଏମ୍ସରେ 2019-20 ବର୍ଷ ପାଇଁ 9ଟି ସିଟ ଖାଲି ପଡ଼ିଥିବା ଜଣାପଡ଼ିଛି । ଯେଉଁଠି ପିଲା ଏମ୍ସରେ ପଢିବା ପାଇଁ ଦିନରାତି ସ୍ବପ୍ନ ଦେଖନ୍ତି, ସେଠାରେ ସିଟ ଖାଲି ପଡ଼ିବା ଘଟଣା ଏକ ବଡ଼ ପ୍ରଶ୍ନ ସୃଷ୍ଟି କରିଛି । ଦେଶର ଭଟିଣ୍ଡାରେ ଗୋଟିଏ, ଦେବଗଡ଼ରେ ଦୁଇଟି, ନାଗପୁରରେ ଗୋଟିଏ, ପାଟନାରେ ଦୁଇଟି, ରାୟବରେଲୀରେ ଦୁଇଟି ଏବଂ ରାୟପୁର ଏମ୍ସରେ ଗୋଟିଏ ଲେଖାଏଁ ଆସନ ଖାଲି ପଡ଼ିଥିବା ଜଣାପଡ଼ିଛି।
ସମଗ୍ର ଦେଶରେ ନୂଆଦିଲ୍ଲୀ, ଭୁବନେଶ୍ବର, ଭୋପାଳ, ଯୋଧପୁର, ରାୟପୁର, ଋଷିକେଷ, ପାଟନା, ନାଗପୁର,ମଙ୍ଗଳାଗିରି, ତେଲେଙ୍ଗାନା ସହିତ 15ଟି ସ୍ଥାନରେ ରହିଛି ଏମସ । ଏଥିରେ ପାଖାପାଥି ସର୍ବଭାରତୀୟ ସ୍ତରରେ 1205ଟି ସିଟ ରହିଛି । ତେବେ ଚଳିତ ବର୍ଷ ଏଥିପାଇଁ ମେ 25 ଓ 26 ତାରିଖରେ ଦୁଇଦିନ ଧରି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପରେ ଏଥିପାଇଁ କାଉନ୍ସେଲିଂ ମଧ୍ୟ ହୋଇଥିଲା ।
ମୋଟ ସିଟ ମଧ୍ୟରେ ସାଧାରଣ ବର୍ଗଙ୍କ ପାଇଁ 584, ପିଡବ୍ଲ୍ୟୁଡ଼ି(ସାଧାରଣ ବର୍ଗ) ପାଇଁ 28, ଅନ୍ୟ ପଛୁଆ ବର୍ଗଙ୍କ 311, ପିଡବ୍ଲ୍ୟୁଡ଼ି(ପଛୁଆ ବର୍ଗ) 14ଟି, ଅନୁସୂଚିତ ଜାତି 172, ପିଡବ୍ଲ୍ୟୁଡ଼ି(ଅନୂସୁଚିତ ଜାତି) 8, ଅନୁସୂଚିତ ଜନଜାତି 83 ଏବଂ ପିଡବ୍ଲ୍ୟୁଡ଼ି(ଅନୂସୁଚିତ ଜନଜାତି)ଙ୍କ ପାଇଁ 5ଟି ସ୍ଥାନ ପାଇଁ କାଉନସେଲିଂ ହୋଇଥିଲା ।
ତେବେ ଆସନ ଖାଲି ପଡ଼ିବା ନେଇ ମଧ୍ୟ ପ୍ରଦେଶର ଚନ୍ଦ୍ରଶେଖର ଗୌଡ ଏହାର କାରଣ ଖୋଜିଥିଲେ । ସୂଚନା ଅଧିକାର ଆଇନ ବଳରେ ସେ ଏମସ ଠାରୁ ସୂଚନା ହାସଲ କରିଥିଲେ । ତେବେ ଏମସ ପକ୍ଷରୁ ତାଙ୍କୁ ଦିଆଯାଇଥିବା ସୂଚନା ମୁତାବକ ସମଗ୍ର ଦେଶରେ ମୋଟ 9ଟି ଆସନ ଖାଲି ପଡ଼ିଛି । ସେଗୁଡ଼ିକ ମଧ୍ୟରେ ଭଟିଣ୍ଡାରେ ଗୋଟିଏ, ଦେବଗଡ଼ରେ ଦୁଇଟି, ନାଗପୁରରେ ଗୋଟିଏ, ପାଟନାରେ ଦୁଇଟି, ରାୟବରେଲୀରେ ଦୁଇଟି ଏବଂ ରାୟପୁର ଏମ୍ସରେ ଗୋଟିଏ ଲେଖାଏଁ ଆସନ ଖାଲି ପଡ଼ିଥିବା ଜଣାପଡ଼ିଛି ।
ଏହା ସହିତ ମାନ୍ୟବର ସୁପ୍ରିମକୋର୍ଟର ଏକ ଆଦେଶ ମୁତାବକ ଏହି ଡାକ୍ତରୀ ପାଠ୍ୟକ୍ରମରେ ପ୍ରବେଶ ନେବା ପାଇଁ ଶେଷ ତାରିଖ ଅଗଷ୍ଟ 31 ତାରିଖ ରହିଥିଲା । ଫଳରେ ଏହି ଆସନ ଗୁଡ଼ିକ ଖାଲି ପଡ଼ିଥିବା ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହିତ ଏମ୍ସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଜଣେ ଛାତ୍ର ଭଲ ନମ୍ବର ରଖି କାଉନସେଲିଂରେ ବସିଥାଏ । ସେଠାରେ ଦାଖଲ ପ୍ରକ୍ରିୟାରେ ଭାଗ ନେଇ ମଧ୍ୟ ନାମ ଲେଖାଇ ନଥାଏ । ଫଳରେ ଉକ୍ତ ପିଲା ପାଇଁ ପ୍ରଯୁଜ୍ୟ ସିଟଟି ଖାଲି ପଡ଼ିଥାଏ ବୋଲି ଏମ୍ସ ପକ୍ଷରୁ ସୂଚନା ରହିଛି।
ସେପଟେ ଗୌଡ଼ କହିଛନ୍ତି କି ଏମ୍ସର ପଢିବା ପାଇଁ ପିଲାଙ୍କୁ ଅନେକ କଷ୍ଟ କରିବାକୁ ପଡ଼ିଥାଏ । ବର୍ଷ ବର୍ଷ ଧରି ପିଲା ଏଥିପାଇଁ ଅନେକ କଷ୍ଟ ମଧ୍ୟ କରିଥାନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କି ଖାଲି ପଡ଼ିଥିବା ସିଟ ଗୁଡ଼ିକୁ ପୁରଣ ପାଇଁ ଏମ୍ସ ମାନ୍ୟବର ସୁପ୍ରିମକୋର୍ଟକୁ ନିବେଦନ କରିବା ଉଚିତ ବୋଲି ସେ କହିଛନ୍ତି । କାରଣ ଏହି ସିଟ ଗୁଡ଼ିକ ଆସନ୍ତା 5 ବର୍ଷ ପାଇଁ ଖାଲି ପଡ଼ିବ। ସେପଟେ କିନ୍ତୁ ପିଲା ସିଟ ନପାଇ ଗୋଟିଏ ବର୍ଷ ହରାଇବେ ବୋଲି ଗୌଡ଼ ଯୁକ୍ତି ବାଢିଛନ୍ତି।
ଗୌଡ଼ ଆହୁରି ମଧ୍ୟ କହିଛନ୍ତି କି, ଦେଶରେ ଅନ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଖାଲି ପଡ଼ିଥିବା ସିଟ ଗୁଡ଼ିକ ପୁରଣ ପାଇଁ ଅନେକ ଥର କାଉନସେଲିଂ, ମ୍ୟାପଅପ ରାଉଣ୍ଡର ବ୍ୟବସ୍ଥା କରାଯାଇ ପାରୁଛି ତେବେ ଏମସ କାହିଁକି କରି ପାରିବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।