ନୂଆଦିଲ୍ଲୀ: ବିଶ୍ବବ୍ୟାପୀ ପାଳନ ହେଉଛି ଷଷ୍ଠ ଅନ୍ତର୍ଜାତୀୟ ଯୋଗ ଦିବସ। ଏ ବର୍ଷ ମହାମାରୀ ପାଇଁ ଏହାକୁ ଭର୍ଚୁଆଲରେ ଆୟୋଜନା କରାଯାଉଛି। ଚଳିତ ଯୋଗ ଦିବସର ଅନୁଚିନ୍ତା ବା ବାର୍ତ୍ତା ରହିଛି 'ଘରେ ଯୋଗ ପରିବାର ସହିତ ଯୋଗ' । ଯୋଗ ଜଣଙ୍କର ଶରୀର, ମନ, ଭାବନା ଓ ଶକ୍ତି ସ୍ତରରେ କାମ କରେ ।
''ଯୋଗ ଦିବସ ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା। ଏହି ଦିନ ଏକତା ଏବଂ ସର୍ବଭାରତୀୟ ଭାଇଚାରାର ଦିନ ବୋଲି କହିଛନ୍ତି । ଏହାସହ ଯୋଗ ଏକ ସୁସ୍ଥ ଗ୍ରହ ପାଇଁ ଆମର ଅନୁସନ୍ଧାନକୁ ବଢାଇଥାଏ । ଏହା ଏକତା ପାଇଁ ଏକ ଶକ୍ତି ଭାବରେ ଉଭା ହୋଇଛି ଏବଂ ମାନବିକତାର ବନ୍ଧନକୁ ଗଭୀର କରିଥାଏ । ଏହା ଜାତି, ରଙ୍ଗ, ଲିଙ୍ଗ, ବିଶ୍ୱାସ ଏବଂ ବଂଶାନୁକ୍ରମିକରେ ଭେଦଭାବ କରେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରି କହିଛନ୍ତି।''
ରାମନାଥ କୋବିନ୍ଦ ମଧ୍ୟ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ଟ୍ବିଟ କରି କହିଛନ୍ତି ଯେ ସମସ୍ତଙ୍କୁ ଆନ୍ତର୍ଜାତୀୟ ଯୋଗ ଦିବସ ଶୁଭେଚ୍ଛା! ପ୍ରାଚୀନ ଯୋଗ ବିଜ୍ଞାନ ହେଉଛି ମାନବିକତା ପାଇଁ ଭାରତର ଅମୂଲ୍ୟ ଉପହାର।
ସେ କହିଛନ୍ତି, ''ମୁଁ ଖୁସି ଯେ ଜୀବନରେ ଅଧିକରୁ ଅଧିକ ଲୋକ ଯୋଗ ଅଭ୍ୟାସ ଗ୍ରହଣ କରୁଛନ୍ତି। ସଂଘର୍ଷ ଏବଂଚିନ୍ତା ମଧ୍ୟରେ, ବିଶେଷକରି କୋଭିଡ -19 ର ଏହି ପର୍ଯ୍ୟାୟରେ, ଯୋଗ ଅଭ୍ୟାସ ଶରୀରକୁ ସୁସ୍ଥ ଏବଂ ମନକୁ ଶାନ୍ତ ରଖିବାରେ ସହାୟକ ହେବ ।''
କୋରୋନା ମହାମାରୀ ମଧ୍ୟରେ ଡିଜିଟାଲ ମିଡିଆ ମାଧ୍ୟମରେ ଚଳିତ ବର୍ଷ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଏହି ଷଷ୍ଠ ଅନ୍ତର୍ଜାତୀୟ ଯୋଗ ଦିବସ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଭିଡିଓ ବାର୍ତ୍ତାରେ କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ଦିବସକୁ ନିଜ ଘରେ ପାଳନ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ତେଣୁ ଏହାକୁ ସମସ୍ତେ ପାଳନ କରନ୍ତୁ ବୋଲି ରାଷ୍ଟ୍ରପତି କହିଛନ୍ତି।
କୋରୋନା କାଳରେ ସଭିଏଁ ନିଜ ନିଜ ଘରେ ଯୋଗ ଦିବସ ପାଳନ କରିବେ ବୋଲି ସରକାର ପୂର୍ବରୁ ଆହ୍ବାନ ଜଣାଇଥିବାବେଳେ 10 ଲକ୍ଷ ଲୋକ ଭର୍ଚୁଆଲ ମଧ୍ୟମରେ ଯୋଗ ଦିବସ ଅବସରରେ ସୂର୍ଯ୍ୟ ନମସ୍କାର କରିବେ ବୋଲି ଶନିବାର ଟୁଇଟ କରି ସୂଚନା ଦେଇଥିଲେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ।
ଅନ୍ତର୍ଜାତୀୟ ଯୋଗ ଦିବସର ଧାରଣା ପ୍ରଥମେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା 27 ସେପ୍ଟେମ୍ବର 2014 ରେ ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) ରେ ଦେଇଥିବା ଅଭିଭାଷଣରେ ପ୍ରସ୍ତାବ ଦିଆଯାଇଥିଲା।