ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ବ ବିଦ୍ୟାଳୟ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଚ୍ଚଶିକ୍ଷା ବିଭାଗର ସଚିବକୁ ପତ୍ର । ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀ ମନୀଶ ସିସୋଦିଆ ଏନେଇ ଚିଠି ଲେଖିଛନ୍ତି ।
ସଚିବଙ୍କ ନିକଟକୁ ପଠାଯାଇଥିବା ଚିଠିରେ ଲେଖାଯାଇଛି, ବାରମ୍ବାର ଦାବି ସତ୍ତ୍ୱେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଦ୍ବାରା ଗଭର୍ଣ୍ଣିଂ ବଡି ବା ପରିଚାଳନା କମିଟିର ପ୍ୟାନେଲର ନାମ ପଠାଯାଉନାହିଁ । ଦିଲ୍ଲୀ ସରକାରଙ୍କ ଦ୍ବାରା ଆଂଶିକ ଏବଂ ସମ୍ପୂର୍ଣ୍ଣ ରୂପରେ ଅନୁଦାନପ୍ରାପ୍ତ ଅନେକ କଲେଜକୁ ନିୟମିତ ରୂପରେ ପରିଚାଳନା କମିଟିର ପୁନଃଗଠନ ପାଇଁ କୁହାଯାଇଥିଲା । କିନ୍ତୁ ସେମାନେ କରିନାହାଁନ୍ତି । କଲେଜ ମାର୍ଚ୍ଚ 2019 ପରଠାରୁ ଅସମ୍ପୂର୍ଣ୍ଣ ପରିଚାଳନା କମିଟି ସହ କାର୍ଯ୍ୟ କରିଆସୁଛନ୍ତି ବୋଲି ସିସୋଦିଆ ଚିଠିରେ କହିଛନ୍ତି ।
ତେବେ ସିସୋଦିଆ ଉଚ୍ଚଶିକ୍ଷା ବିଭାଗ ନିକଟକୁ ପଠାଇଥିବା ଚିଠିରେ ଦିଲ୍ଲୀ ବିଶ୍ବ ବିଦ୍ୟାଳୟ ଅଧିନରେ ଥିବା 6 କଲେଜର ନାମ ଉଲ୍ଲେଖ କରିଛନ୍ତି । ଦିଲ୍ଲୀ ବିଶ୍ବ ବିଦ୍ୟାଳୟ ଅଧିନରେ ଥିବା ଲକ୍ଷ୍ମୀବାଇ କଲେଜ, କାଳିନ୍ଦୀ କଲେଜ, କେଶବ କଲେଜ, ଆଦିତି କଲେଜ, ମହର୍ଷି ବାଲ୍ମିକି କଲେଜ ଅଫ ଏଜୁକେଶନ ଏବଂ ଦିନ ଦୟାଲ ଉପାଧ୍ୟାୟ କଲେଜର ପରିଚାଳନା କମିଟିର ପ୍ୟାନେଲ ଗଠନ ହୋଇନାହିଁ । ଦିଲ୍ଲୀ ସରକାର ଏନେଇ ଦିଲ୍ଲୀ ବିଶ୍ବ ବିଦ୍ୟାଳୟକୁ ବାରମ୍ବାର କହିବା ସତ୍ବେ କୌଣସି ପଦକ୍ଷେପ ନିଆଯାଉନାହିଁ । କିଛି କଲେଜ ବିନା ପରିଚାଳନା କମିଟି ଗଠନରେ ହିଁ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଏହା ସେହି କଲେଜର ଭ୍ରଷ୍ଟାଚାରକୁ ଦର୍ଶାଉଛି ବୋଲି ସିସୋଦିଆ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଦିଲ୍ଲୀ ବିଶ୍ବ ବିଦ୍ୟାଳୟ ଅଧିନରେ ଥିବା 28 କଲେଜ ମଧ୍ୟ 12 କଲେଜରେ ଦିଲ୍ଲୀ ସରକାର 100 ପ୍ରତିଶତ ଆର୍ଥିକ ଅନୁଦାନ ଯୋଗାଉଛନ୍ତି । ବଳକା କଲେଜକୁ ଦିଲ୍ଲୀ ସରକାର 5 ପ୍ରତିଶତ ଅନୁଦାନ ଯୋଗାଉଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ