ଚେନ୍ନାଇ: ନିଆରା ଢଙ୍ଗରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ସ୍ବାଗତ କରିବ ମହାବଳୀପୁରମ । ଏନେଇ ତାମିଲନାଡୁର ପଞ୍ଚରଥ ନିକଟରେ ଉଦ୍ୟାନକୃଷି ବିଭାଗ ପକ୍ଷରୁ 18ପ୍ରକାର ଫଳ ଏବଂ ପନିପରିବାରେ ନିର୍ମିତ ବିଶାଳ ଗେଟ ପ୍ରସ୍ତୁତ କରାଯାଇଛି । ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମହାବଳୀପୁରମ ଗସ୍ତରେ ଆସୁଛନ୍ତି ।
ତେବେ ଉଭୟ ଦେଶର ରାଷ୍ଟ୍ରମୁଖ୍ୟ ଏଠାକୁ ଗସ୍ତ କରିବା ଅବସରରେ ଉଦ୍ୟାନକୃଷି ବିଭାଗର ପ୍ରାୟ 200 କର୍ମଚାରୀ ଏବଂ ଟ୍ରେନିଂ 10 ଘଣ୍ଟା ସମୟରେ ଏହି ଗେଟକୁ ନିର୍ମାଣ କରିଛନ୍ତି । ସବୁଠାରୁ ଆକର୍ଷଣୀୟ ପ୍ରସଙ୍ଗ ଏହା ଯେ, ଏଥିରେ ବ୍ୟବହୃତ ହୋଇଥିବା ଫଳ ଏବଂ ପନିପରିବାକୁ ତାମିଲନାଡୁର ବିଭିନ୍ନ ସ୍ଥାନରୁ ସଂଗ୍ରହ କରାଯାଇଛି।
ଏହି ଗେଟରେ ବ୍ୟବହାର ହୋଇଥିବା ଫଳ ଏବଂ ପନିପରିବା ଜୈବିକ ଏବଂ ସିଧାସଳଖ ଫାର୍ମରୁ ଅଣାଯାଇଛି ବୋଲି ଉଦ୍ୟାନକୃଷି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ତାମିଲଭେନଧନ ଜଣାଇଛନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀ ମୋଦି ଏବଂ ଚୀନ ରାଷ୍ଟ୍ରପତିଙ୍କ ସ୍ବାଗତ ପାଇଁ ସେଠାକାର ସୋର ମନ୍ଦିର ନିକଟରେ ପାରମ୍ପରିକ କଦଳୀ ଗଛ ଲଗାଯାଇଛି ।