ନୂଆଦିଲ୍ଲୀ: ଶିଶୁ ନିର୍ଯାତନାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି । ଯେଉଁ ଜିଲ୍ଲାରେ 300ରୁ ଅଧିକ ଶିଶୁ ନିର୍ଯାତନା ଘଟଣା ସାମ୍ନାକୁ ଆସୁଛି, ସେଠାରେ ନିର୍ମାଣ ହେବ ଦୁଇଟି ସ୍ବତନ୍ତ୍ର ଅଦାଲତ । ଏହି ଅଦାଲତରେ କେବଳ ଶିଶୁଙ୍କ ଉପରେ ହେଉଥିବା ଶାରୀରିକ ନିର୍ଯାତନାକୁ ନେଇ ହିଁ ଶୁଣାଣି କରାଯିବ । ଶିଶୁ ସଂରକ୍ଷଣ ଅଧିନିୟମ-2012 ବା ପୋକ୍ସୋ ଆକ୍ଟ ଅନ୍ତର୍ଗତରେ ହିଁ ମାମଲାର ଶୁଣାଣି ହେବ ।
ଏହା ପୂର୍ବରୁ ଜୁଲାଇ 25ରେ କେନ୍ଦ୍ର ସହାୟତାରେ ନିର୍ଯାତନା ଅଧିକ ହେଉଥିବା ରାଜ୍ୟମାନଙ୍କରେ ଗୋଟିଏ ସ୍ବତନ୍ତ୍ର ଅଦାଲତ ଗଠନ ପାଇଁ କୁହାଯାଇଥିଲା । ପ୍ରତି ଅଦାଲତରେ 100ଟି ଲେଖାଏଁ ମାମଲା ରୁଜୁ ହୋଇଥିଲା । ଏହାସହ ନିଯୁକ୍ତ ଅଧିକାରୀ, ଷ୍ଟାଫ୍ଙ୍କୁ ଦରମା ଯୋଗାଇଦେବା ମଧ୍ୟ କେନ୍ଦ୍ରର ଦାୟିତ୍ବ ।
ବିଚାରପତି ଦୀପକ ଗୁପ୍ତା ଓ ଅନିରୁଦ୍ଧ ବୋସଙ୍କ ମିଳିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ଏହାକୁ ନେଇ ସଚେତନତା ସୃଷ୍ଟି ପାଇଁ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।