ନୂଆଦିଲ୍ଲୀ: ସମଗ୍ର ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ 66 ହଜାର 946କୁ ବୃଦ୍ଧି ପାଇଛି । ଏଥିସହ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 12237 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ତେବେ କୋରୋନା ଦୃଷ୍ଟିରୁ ଦେଶରେ 3ଟି ରାଜ୍ୟ ସର୍ବାଧିକ ପ୍ରଭାବିତ ହୋଇଛି ।
ଏହି ତିନୋଟି ରାଜ୍ୟ ହେଉଛି ମହାରାଷ୍ଟ୍ର, ତାମିଲନାଡୁ ଏବଂ ଦିଲ୍ଲୀ । ଏହି ତିନୋଟି ରାଜ୍ୟରେ ମୋଟ 2 ଲକ୍ଷ 14ହଜାର 047 କୋରୋନା ଆକ୍ରାନ୍ତ ଥିବାବେଳେ 8131 ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହି ତିନୋଟି ରାଜ୍ୟରେ ମୋଟ ମାମଲାର 58.33% ଆକ୍ରାନ୍ତ ଥିବାବେଳେ ଏପର୍ଯ୍ୟନ୍ତ 66.44% ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସବୁଠାରୁ ଅଧିକ କୋରୋନା ଆକ୍ରାନ୍ତ ମହାରାଷ୍ଟ୍ରରେ ଅଛନ୍ତି।
ମହାରାଷ୍ଟ୍ରରେ ବର୍ତ୍ତମାନ 1 ଲକ୍ଷ 16ହଜାର 752 ଆକ୍ରାନ୍ତ ଅଛନ୍ତି । ଯାହା ମୋଟ ମାମଲାର 31.81% ଅଟେ। ସେହିପରି ମହାରାଷ୍ଟ୍ରରେ କୋରୋନାରେ 6 ହଜାର 551 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଯାହା ମୋଟ ମୃତ୍ୟୁ ମାମଲାର 46.17% ଅଟେ।
ତାମିଲନାଡୁରେ ବର୍ତ୍ତମାନ 50 ହଜାର 193 ଜଣ କୋରୋନା ଆକ୍ରାନ୍ତ ରହିଛନ୍ତି । ଯାହା ଦେଶର ମୋଟ ମାମଲାର 13.67% ଅଟେ । ତାମିଲନାଡୁରେ ଏବେ ସୁଦ୍ଧା 1904 ଆକ୍ରାନ୍ତଙ୍କ କୋରୋନାରେ ମୃତ୍ୟୁ ଘଟିଛି । ଯାହା ମୋଟ ମୃତ୍ୟୁ ମାମଲାର 15.55% ଅଟେ।
ଏଥିସହ ରାଜଧାନୀ ଦିଲ୍ଲୀରେ 47 ହଜାର 102 ଜଣ ଆକ୍ରାନ୍ତ ଅଛନ୍ତି । ଯାହା ମୋଟ ମାମଲାର 12.83% ଅଟେ ।
ପ୍ରକାଶ ଥାଉକି, ଦେଶରେ ବର୍ତ୍ତମାନ ସୁଦ୍ଧା 1 ଲକ୍ଷ 94 ହଜାର 324 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହି ସଂଖ୍ୟା ଅନୁଯାୟୀ ଦେଶରେ ବର୍ତ୍ତମାନ କୋରୋନା ସଂକ୍ରମିତଙ୍କ ସୁସ୍ଥ ହାର 52.95% ଅଟେ । ବର୍ତ୍ତମାନ ଦେଶରେ 1 ଲକ୍ଷ 60 ହଜାର 384 ଆକ୍ରାନ୍ତଙ୍କର ଚିକିତ୍ସା ଜାରି ରହିଛି ।