ମୁମ୍ବାଇ: ରବିବାର ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଜାରି ରହିଥିବା ସସପେନ୍ସରୁ ଗୋଟିଏ ପରେ ଗୋଟିଏ ଦିଗ ସ୍ପଷ୍ଟ ହେବାରେ ଲାଗିଛି । ମହାରାଷ୍ଟ୍ର ରାଜ୍ୟପାଳ ଭଗତ୍ ସିଂ କୋଶ୍ୟାରୀ ରାଜ୍ୟରେ ସରକାର ଗଠନ କରିବା ପାଇଁ ନିକଟ ଅତୀତରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଦ୍ୱିତୀୟ ସର୍ବବୃହତ୍ତ ଦଳ ଭାବେ ଉଭା ହୋଇଥିବା ଶିବସେନାକୁ ଆମନ୍ତ୍ରଣ କରିଛନ୍ତି। ଏଥିପାଇଁ ଶିବସେନାର ବିଧାୟକ ଦଳର ନେତା ଏକନାଥ ସିନ୍ଦେଙ୍କୁ ବହୁମତ ସାବ୍ୟସ୍ତ କରିବା ପାଇଁ କୁହାଯାଇଛି।
ରବିବାର ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ବଡ ନିଷ୍ପତ୍ତି ନେଇଛନ୍ତି । ସଂଖ୍ୟା ବଳରେ ବହୁମତ ସାବ୍ୟସ୍ତ କରି ପାରିନଥିବାରୁ ବିଜେପି ସରକାର ଗଠନ ପାଇଁ ମନା କରିଦେଇଛି ।ଏହାପରେ ରାଜ୍ୟପାଳ ରାଜ୍ୟର ଦ୍ବିତୀୟ ସର୍ବବୃହତ ଦଳ ଶିବସେନାକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି । ଏହାସହ ରାଜ୍ୟପାଳ ଶିବସେନାକୁ ସରକାର ଗଠନ ପାଇଁ ଆବଶ୍ୟକୀୟ ବହୁମତ ସାବ୍ୟସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏଠାରେ ସୂଚନା ଯୋଗ୍ୟ ଯେ ୨୮୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ୧୦୫ଟି ଆସନ ଜିତିଥିଲା । ସେହପିର ଶିବସେନା ୫୬ଟି ଆସନରେ ବିଜୟୀ ହୋଇଥିଲା। ଏହାସହ କଂଗ୍ରେସକୁ 44 ଓ ତାର ସହଯୋଗୀ ଏନସିପିକୁ 54ଟି ଆସନ ମିଳିଛି।
ବିଜେପି ସରକାର ଗଠନ ପାଇଁ ମନା କରିବା ପରେ ଏବେ ଶିବସେନାକୁ ସରକାର ଗଠନ ପାଇଁ ଆମନ୍ତ୍ରଣ ମିଳିଛି । ଏହାସହ ବହୁମତ ସାବ୍ୟସ୍ତ ପାଇଁ ଏନସିପି ସହଯୋଗ ଓ କଂଗ୍ରେସର ସମର୍ଥନ ଲୋଡିପାରେ ଶିବସେନା।