ନୂଆଦିଲ୍ଲୀ: ମହାନଦୀ ପ୍ରସଙ୍ଗରେ ଯେଉଁ ବିବାଦ ଓଡ଼ିଶା, ଛତିଶଗଡ଼ ମଧ୍ୟରେ ରହିଛି, ଆପୋଷ ସମାଧାନ କର । ଗତକାଲି (ଫେବୃଆରୀ 9) ମହାନଦୀ ପ୍ରସଙ୍ଗରେ ଏପରି ଶୁଣାଣି କରିଛନ୍ତି ଟ୍ରିବ୍ୟୁନାଲ । ଯଦି ସମାଧାନ ନହୁଏ ତାହେଲେ ଚୂଡାନ୍ତ ଶୁଣାଣି କରିବେ ବୋଲି କହିଛନ୍ତି ଟ୍ରିବ୍ୟୁନାଲ । ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ 9 ତାରିଖରେ ହେବ । ଯାହାକି ରାଜ୍ୟ ସରକାରଙ୍କୁ ଅକଳରେ ପକାଇ ଦେଇଛି ବୋଲି ଚର୍ଚ୍ଚା ହେଉଛି ।
କାରଣ ପୂର୍ବରୁ ଆପୋଷ ସମାଧାନ କଥା କେନ୍ଦ୍ର ଓ ଛତିଶଗଡ଼ କହୁଥିଲେ, ଓଡ଼ିଶା ସରକାର ମାନୁ ନଥିଲେ । ଶେଷରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲା ଓଡ଼ିଶା ।
ଓଡ଼ିଶାର ଦାବି ଥିଲା ଅଣମୌସୁମୀରେ 1.74 ନିୟୁତ ଏକର ଫୁଟ ମହାନଦୀ ଜଳ ଛାଡିବା ନେଇ ସୁନିଶ୍ଚିତ କରିବାକୁ ଓଡ଼ିଶା ପକ୍ଷରୁ ଆବେଦନ କରାଯାଇଥିଲା ଏବଂ ବସନ୍ତପୁର, ମିରୋନୀ, ସାରେଡି ଓ କଲମା ବ୍ୟାରେଜ ଫାଟକ ଖୋଲା ରହୁ ।
ତେବେ ଏହି ଆବେଦନର ଜବାବ ଛତିଶଗଡ ଗତକାଲି ଟ୍ରିବ୍ୟୁନାଲ ଆଗରେ ରଖିଛି । ଯଦି ଜଳ ପ୍ରବାହ କମୁଛି ତାହେଲେ ରାଜ୍ୟ ସରକାର 61ଟି ଶିଳ୍ପ ସଂସ୍ଥାକୁ କେମିତି ପାଣି ଯୋଗାଉଛନ୍ତି ବୋଲି ଛତିଶଗଡ ପ୍ରଶ୍ନ କରିଛି । ମହାନଦୀ ଚିରସ୍ରୋତା ନୁହେଁ । ତେଣୁ ସବୁବେଳେ ସମାନ ସ୍ଥିତି ନୁହଁ, ଓଡିଶାର ଯୁକ୍ତି ଭୁଲ ବୋଲି ଟ୍ରିବ୍ୟୁନାଲ ଆଗରେ ଛତିଶଗଡ ଦର୍ଶାଇଛି ।
ସମସ୍ତ ଯୁକ୍ତିକୁ ନଜରରେ ରଖି ଶେଷରେ ଏହି ମଧ୍ୟବର୍ତ୍ତୀକାଳୀନ ଆବେଦନ ସହିତ ମାର୍ଚ୍ଚ 9ରେ ମୂଳ ଆବେଦନରେ ମଧ୍ୟ ଶୁଣାଣି ହେବ ବୋଲି ଟ୍ରିବ୍ୟୁନାଲ କହିଛନ୍ତି ।
ବିଜେପି ସରକାର କ୍ଷମତାଚ୍ୟୁତ ହେବା ପରେ କଂଗ୍ରେସ ସରକାର ଆସିଛି ଛତିଶଗଡ଼ରେ । ଓଡ଼ିଶା କଂଗ୍ରେସ ସମାଧାନ ପାଇଁ ଖୁବଶୀଘ୍ର ବାଟ ଫିଟିବ ବୋଲି କହିଛି । ସେପଟେ ବିଜେପି କହିଛି ସରକାର ବଦଳିଛି ବିଜେଡି ଓ କଂଗ୍ରେସ ସରକାର ସମାଧାନ ନହେବା ପାଇଁ ରମଣ ସରକାରଙ୍କୁ ଦାୟୀ କରିଥିଲେ । ଏବେ କାହିଁକି ଛତିଶଗଡ଼ ସରକାର ସମାଧାନ କରୁନି ବୋଲି ବିଜେପି ପୂର୍ବରୁ ଏହି ପ୍ରସଙ୍ଗରେ ମତ ରଖିସାରିଛି ।